କେନ୍ଦ୍ରାପଡ଼ା: ପୋଖରୀରେ ବୁଡି ୩ ନାବାଳକ ମୃତ । ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ରାଜନଗର ଥାନା ଅନ୍ତର୍ଗତ ବିସ୍ଥାପିତ ଅଞ୍ଚଳ ବଗପାଟିଆ ଗ୍ରାମରେ । ମୃତ ନାବାଳକମାନେ ହେଲେ ବଗପାଟିଆ ଗାଁର ସୁକାନ୍ତ ରାଉତଙ୍କ ପୁଅ ବିଶାଲ ରାଉତ, ଶୈଶବ ସାହୁଙ୍କ ପୁଅ ସନ୍ଦୀପ ସାହୁ ଓ ବୀରକିଶୋର ପରିଡାଙ୍କ ପୁଅ ବିସେନ ପରିଡା । ସମସ୍ତଙ୍କ ବୟସ ୧୦ ବର୍ଷ ବୋଲି ଜଣାପଡ଼ିଛି ।
ସୂଚନା ଅନୁସାରେ ଆଜି ମଧ୍ୟାହ୍ନରେ ଗାଁ ଶେଷ ମୁଣ୍ଡରେ ଥିବା ଏକ ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଏହି ୩ ଜଣ ପାଣିରେ ବୁଡି ଯାଇଥିଲେ । ତେବେ ଦୀର୍ଘ ଦେଢ଼ ଘଣ୍ଟା ବିତିଯିବା ପରେ ମଧ୍ୟ ଏମାନେ ଘରକୁ ନଫେରିବାରୁ ପରିବାର ଲୋକେ ଏମାନଙ୍କୁ ଖୋଜାଖୋଜି କରିଥିଲେ । ପୋଖରୀ କୂଳରେ ଚପଲ ଥିବା ଦେଖି ସ୍ଥାନୀୟ ଲୋକେ ପାଣିରେ ଏମାନଙ୍କୁ ଖୋଜିବା ପରେ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ତେବେ ଡାକ୍ତର ସେଠାରେ ଏହି ୩ ଜଣଙ୍କୁ ମୃତ ଘୋଷଣା କରିଛନ୍ତି ।