କେନ୍ଦ୍ରାପଡ଼ା: ପ୍ରସିଦ୍ଧ ବାରୁଣୀ ସ୍ନାନ ଆରମ୍ଭ ହୋଇଯାଇଛି । ପ୍ରତିବର୍ଷ ଚୈତ୍ର କୃଷ୍ଣ ଦ୍ଵାଦଶୀ ଅଥବା ତ୍ରୟୋଦଶୀ ତିଥିରେ ପଡିଥାଏ ବାରୁଣୀ ସ୍ନାନ । ପୌରାଣିକଠାରୁ ଆଧ୍ୟାତ୍ମିକ ଚେତନା ଓ ବୈଜ୍ଞାନିକ କାରଣ ରହିଛି ଏହି ସ୍ନାନରେ । ଦୂରଦୂରାନ୍ତରୁ ଭକ୍ତ ଏହି ସ୍ନାନ ପାଇଁ ଆସିଥାନ୍ତି । ଯାହାକୁ ନେଇ ଉତ୍ସବମୁଖର ହୋଇ ଉଠିଛି କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲା ।
ତେବେ କେନ୍ଦ୍ରାପଡ଼ା ନିକିରାଇ ଥାନା ଅଧିନ ଇନ୍ଦୁପୁରର ଅଧିଷ୍ଠାତ୍ରୀ ଦେବୀ ମା' ଚଣ୍ଡୀଦେବୀଠାରେ ଲାଗିଥାଏ ଭକ୍ତଙ୍କ ଭିଡ । ମା' ଚଣ୍ଡୀଦେବୀଙ୍କୁ ପ୍ରାତଃ ସମୟରୁ ସ୍ନାନ କରାଯିବା ପରେ ଆରମ୍ଭ ହୋଇଥାଏ ଏହି ବାରୁଣୀ ସ୍ନାନ । କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇ, ଡେରାବିଶ୍ ବ୍ଲକ ସମେତ ପଡୋଶୀ ଯାଜପୁର ଜିଲ୍ଲାର ବରୀ ଓ ବିଞ୍ଝାରପୁର ଅଞ୍ଚଳରୁ ବାରୁଣୀରେ ବୁଡ଼ ପକାଇବା ପାଇଁ ଭିଡ଼ ଲାଗିଥାଏ । ବ୍ରାହ୍ମଣୀ, ବିରୂପା ଓ ବିଲୁପ୍ତ ପ୍ରାୟ କେଲୁଅ ନଦୀର ସଙ୍ଗମସ୍ଥଳୀ ଇନ୍ଦୁପୁରର ଗୋଟିଏ ପଟେ ମା ଚଣ୍ଡୀଦେବୀ ଅନ୍ୟପଟେ ମା ବିରଜାଙ୍କ ଦର୍ଶନ କରି ଧନ୍ୟ ହୋଇଥାଏ ଶ୍ରଦ୍ଧାଳୁ ।
ତେବେ ବାରୁଣୀରେ ବୁଡ ପକାଇଲେ ତିନି ଜନ୍ମର ପାପ କ୍ଷୟ ହୋଇଥାଏ ବୋଲି ବିଶ୍ୱାସ ରଖି ଏଠାରେ ବୁଡ଼ ପକାଇଥାନ୍ତି ଭକ୍ତ । ରାତ୍ରର ଚତୁର୍ଥ ପ୍ରହରରେ ଏହି ତ୍ରିନଦୀ ସଙ୍ଗମସ୍ଥଳରୁ ପବିତ୍ର ଜଳକୁ ଚଣ୍ଡୀଦେବୀଙ୍କ ପୂଜକ ଆଣି ମା'ଙ୍କୁ ସ୍ନାନ କରାଇବା ପରେ ଅପେକ୍ଷାରତ ଭକ୍ତମାନେ ବୁଡ଼ ପକାଇଥାନ୍ତି । ଏହାପରେ ମା'ଙ୍କର ସର୍ବାଙ୍ଗ ଶରୀର ଲାଗି କରାଯାଇ ମା'ଙ୍କର ନବଦୁର୍ଗା ବେଶ କରାଯାଇଥାଏ ଆଉ ସ୍ନାନ ସାରି ମା'ଙ୍କର ଏହି ଦୁର୍ଲ୍ଲଭ ବେଶ ଦର୍ଶନ କରିବା ପାଇଁ ଭକ୍ତ ଅପଲକ ନୟନରେ ଚାହିଁ ରହିଥାଏ ।