ଓଡିଶା

odisha

ETV Bharat / state

ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀଙ୍କ ସେବାରେ ପାଖଡ ସରପଞ୍ଚ - ସରପଞ୍ଚ ଗୌରାଙ୍ଗ ଚରଣ ପରିଡା

କ୍ବାରେଣ୍ଟାଇନ ସେଣ୍ଟରରେ ନିଜେ ଝାଡୁ ମାରିବା, ଖାଦ୍ୟ ସାମଗ୍ରୀ ବାଣ୍ଟିବା, ସେଣ୍ଟରରେ ରହୁଥିବା ପ୍ରବାସୀ ମାନଙ୍କୁ ମନୋରଞ୍ଜନ ଯୋଗାଇବା ସମସ୍ତ କାମ ନିଜ ହାତକୁ ନେଇ ଉଦାହରଣ ପାଲଟିଛନ୍ତି ପାଖଡ଼ ସରପଞ୍ଚ ଗୌରାଙ୍ଗ ଚରଣ ପରିଡା ।

the-greatness-of-the-pakhada-sarpanchthe-greatness-of-the-pakhada-sarpanch
ସରପଞ୍ଚଙ୍କ ମହାନତା: ସଙ୍ଗରୋଧ କେନ୍ଦ୍ରରେ ଓଡିଆ ପ୍ରବାସୀଙ୍କ ସେବାରେ ପାଖଡ ସରପଞ୍ଚ

By

Published : Jun 11, 2020, 9:11 PM IST

କେନ୍ଦ୍ରାପଡା: ଅଦମ୍ୟ ନିଷ୍ଠା,ତ୍ୟାଗ ଓ ଦାୟିତ୍ବବୋଧତା ଆଗରେ ତୁଚ୍ଛ ହୋଇ ପଡିଛି ପରିବାର ଓ ବନ୍ଧୁବର୍ଗ । ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କର ଯେଭଳି କୌଣସି ଅସୁବିଧା ନହେବ ସେନେଇ ନିଜକୁ ଉତ୍ସର୍ଗ କରିଛନ୍ତି ସରପଞ୍ଚ ।

ସରପଞ୍ଚଙ୍କ ମହାନତା: ସଙ୍ଗରୋଧ କେନ୍ଦ୍ରରେ ଓଡିଆ ପ୍ରବାସୀଙ୍କ ସେବାରେ ପାଖଡ ସରପଞ୍ଚ

ସରକାରୀ କ୍ବାରେଣ୍ଟଇନ ସେଣ୍ଟରକୁ ଟ୍ରଲିରେ ଖାଦ୍ୟ ବୋହି ଅଣାଯାଉଛି ଆଉ ଏହି ଟ୍ରଲି ଚଳାଉଛନ୍ତି ନିଜେ ନିର୍ବାଚିତ ଲୋକ ପ୍ରତିନିଧି । ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି କେନ୍ଦ୍ରାପଡ଼ା ଗରଦପୁର ବ୍ଲକ ପାଖଡ଼ ଗ୍ରାମପଞ୍ଚାୟତରେ । କ୍ବାରେଣ୍ଟାଇନ ସେଣ୍ଟରରେ ନିଜେ ଝାଡୁ ମାରିବା, ଖାଦ୍ୟ ସାମଗ୍ରୀ ବାଣ୍ଟିବା, ସେଣ୍ଟରରେ ରହୁଥିବା ପ୍ରବାସୀ ମାନଙ୍କୁ ମନୋରଞ୍ଜନ ଯୋଗାଇବା ସହିତ ସେମାନଙ୍କ ସହିତ ସାମିଲ ହୋଇ 'ଏହା ସଙ୍ଗରୋଧ କେନ୍ଦ୍ର ନୁହେଁ ସମ୍ପର୍କର କେନ୍ଦ୍ର' ବୋଲି ବିବେଚନା କରିବା ପାଇଁ ଲୋକମାନଙ୍କୁ ଉତ୍ସାହିତ କରନ୍ତି ପାଖଡ଼ ସରପଞ୍ଚ ଗୌରାଙ୍ଗ ଚରଣ ପରିଡା ।

କେବଳ ସେତିକି ନୁହେଁ ମହାବାତ୍ୟା ଅମ୍ଫାନ ସମୟରେ ଲୋକମାନଙ୍କ ପାଖରେ ପହଞ୍ଚି ସେମାନଙ୍କୁ ସ୍ଥାନାନ୍ତରିତ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଗୌରାଙ୍ଗ, ବାତ୍ୟା ସମୟରେ ଲୋକମାନେ କିପରି ଯୋଗାଯୋଗ ବିଛିନ୍ନ ନହେବେ ଓ ପ୍ରଶାସନ ଏଭଳି ଦୁର୍ବିପାକ ସମୟରେ କିପରି ଲୋକମାନଙ୍କ ପାଖରେ ସୁବିଧାରେ ପହଞ୍ଚି ପାରିବ ସେନେଇ ହାତରେ ଅସ୍ତ୍ର ଧରି ଭାଙ୍ଗିପଡିଥିବା ଗଛ ଗୁଡିକୁ କାଟି ରାସ୍ତା ସଫା କରିଥିଲେ ଗୌରାଙ୍ଗ ଯାହା ତାଙ୍କ କର୍ମ ତତ୍ପରତା ସମେତ ଜଣେ ଉତ୍ସର୍ଗୀକୃତ ଲୋକ ପ୍ରତିନିଧିର ପରିଚୟ ଦେଇଥାଏ ।

ଗତ ମେ 13 ତାରିଖରୁ ପାଖଡ଼ ପଞ୍ଚାୟତର 3ଟି ସେଣ୍ଟରରେ ରହି ଆସୁଥିବା ପ୍ରବାସୀମାନଙ୍କୁ ପ୍ରତ୍ୟେକ ଦିନ ବିଭିନ୍ନ ପ୍ରକାର ମନୋରଞ୍ଜନ ଓ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରାଇବା ଲକ୍ଷ୍ୟ ନେଇ ବିଭିନ୍ନ ମାଧ୍ୟମରେ ପ୍ରବାସୀ ମାନଙ୍କ ମନକୁ ଜିଣି ନେଇଛନ୍ତି ଗୌରାଙ୍ଗ । ସେତିକି ନୁହେଁ,ସାବିତ୍ରୀ ଅମାବାସ୍ୟା ଦିନ ପ୍ରବାସୀ ମହିଳାଙ୍କୁ ଶାଢ଼ୀ ଓ ଫଳମୂଳ ବଣ୍ଟନ କରି ସେମାନଙ୍କ ପାଇଁ ଜଣେ ଭାଇର ଭୂମିକା ଗ୍ରହଣ କରିଥିବା ଗୌରାଙ୍ଗ ଇଦ ପର୍ବ ପାଳନ ସମୟରେ ମୁସଲମାନ ଭାଇ ମାନଙ୍କୁ ଟୋପି ଓ ଗାମୁଛା ସହିତ ମିଠା କ୍ଷୀରି ବାଣ୍ଟି ସେମାନଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି ଗୌରାଙ୍ଗ ।

ଜଣେ କ୍ବାରେଣ୍ଟାଇନ ଫେରନ୍ତା ଘରେ ପହଁଚିବା ପରେ ତାଙ୍କ ରିପୋର୍ଟ ପଜିଟିଭ ଚିହ୍ନଟ ଆସିଥିଲା । ଘରକୁ ଫେରିବା ପରେ ଏହି 37 ବର୍ଷୀୟ ଯୁବକ ଜଣକ ବିଭିନ୍ନ ସ୍ଥାନରେ ବୁଲାବୁଲି କରିଥିବାରୁ ପ୍ରଥମେ ଏହି ଯୁବକଙ୍କର କଣ୍ଟାକ୍ଟ ଟ୍ରେସିଂ କରିବା ପାଇଁ 48 ଘଣ୍ଟିଆ ପାଖଡ଼ ପଞ୍ଚାୟତର 12ନଂ ୱାର୍ଡକୁ ସଟଡାଉନ ଘୋଷଣା କରିଥିଲେ ଗୌରାଙ୍ଗ ଯାହାକି ଜିଲ୍ଲାରେ ଜଣେ ସରପଞ୍ଚଙ୍କ ଦ୍ବାରା ପ୍ରଥମ ସଟଡାଉନ ଥିଲା । ଏହାପରେ ସଟଡାଉନ ଅଞ୍ଚଳରେ ଥିବା ପରିବାରଙ୍କୁ ଆବଶ୍ୟକୀୟ ସାମଗ୍ରୀ ଯୋଗାଇବା ସହିତ ଆବଶ୍ୟକତା ଅନୁଯାୟୀ ସେମାନଙ୍କୁ ସହାୟତା ପ୍ରଦାନ କରୁଛନ୍ତି ଗୌରାଙ୍ଗ । କେବଳ ଗୌରାଙ୍ଗ ନୁହେଁ ତାଙ୍କର ଏହି ସେବା ସମର୍ପିତ କାର୍ଯ୍ୟରେ ତାଙ୍କୁ ସହଯୋଗ କରିଛନ୍ତି ତାଙ୍କ ଭାଇ ଓ ୱାର୍ଡ ସଦସ୍ୟ । କ୍ବାରେଣ୍ଟଇନ ସେଣ୍ଟରରେ ବାହାରୁଥିବା ପଜିଟିଭ ସଂଖ୍ୟା ବଢ଼ୁଥିବାରୁ ଏଠାରେ କେହି କାମ କରିବା ଅମଙ୍ଗ ହେଉଛନ୍ତି ଯେଉଁଥିପାଇଁ କି ନିଜେ ସରପଞ୍ଚ ଗୌରାଙ୍ଗ ଓ ତାଙ୍କ ଭାଇ ସମେତ ଜଣେ ୱାର୍ଡ ସଭ୍ୟ ଏହି ମହତ କାମ କରୁଛନ୍ତି । ଗୌରାଙ୍ଗ,ତାଙ୍କ ଭାଇ ଓ ୱାର୍ଡ ସଭ୍ୟଙ୍କର ଏଭଳି ସେବାକୁ ପ୍ରଶଂସା କରିଛି ଜିଲ୍ଲା ପ୍ରଶାସନ । ଏଭଳି ସେବା ମନୋବୃତ୍ତି ପାଇଁ ଇତିହାସ ଏମାନଙ୍କୁ ମନେ ରଖିବ ବୋଲି କହିଛନ୍ତି ଉପ ଜିଲ୍ଲାପାଳ ।

ଗୌରାଙ୍ଗଙ୍କର ଏଭଳି ସେବା ମନୋଭାବ ଅନ୍ୟ ସରପଞ୍ଚ ମାନଙ୍କ ପାଇଁ ଉଦାହରଣ ପାଲଟିଥିବା ବେଳେ ବିଭିନ୍ନ କ୍ବାରେଣ୍ଟଇନ ସେଣ୍ଟରରୁ ଆସୁଥିବା ସରପଞ୍ଚ ବିରୋଧି ଚିତ୍ରର ଏକ ବ୍ୟତିକ୍ରମ ନିଶ୍ଚେ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details