କେନ୍ଦ୍ରାପଡା: ମନ୍ତ୍ରୀଙ୍କ ଅଞ୍ଚଳର ଶିକ୍ଷାନୁଷ୍ଠାନରେ ଚାଲିଛି ବିବାଦ । ବିବାଦ ଛିଡୁନି କି ମନ ମିଳୁନି । ଅନ୍ୟପଟେ ଏହି ବାଦ ବିବାଦର ଶିକାର ହେଉଛନ୍ତି ଛାତ୍ରଛାତ୍ରୀ । ଏହି ଘଟଣା ହେଉଛି କେନ୍ଦ୍ରାପଡ଼ା ମହାକାଳପଡ଼ା ବାବର ଅଞ୍ଚଳରେ ଥିବା ଠାକୁର ନିଗମାନନ୍ଦ ମହାବିଦ୍ୟାଳୟର ।
ପାୱାରଫୁଲ୍ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ନିର୍ବାଚନ ମଣ୍ଡଳୀ ମହାକାଳପଡ଼ା ବ୍ଲକ ଗୋଗୁଆ ପଞ୍ଚାୟତରେ ଥିବା ଏହି ମହାବିଦ୍ୟାଳୟଟି ୧୯୯୩ ମସିହାରେ ସ୍ଥାପିତ ହୋଇଥିଲା । ଗ୍ରାମାଞ୍ଚଳରେ ଉଚ୍ଚଶିକ୍ଷାର ପ୍ରସାର ସାଙ୍ଗକୁ କେହି ସାଧାରଣ ଗରିବ ଶ୍ରେଣୀର ପିଲା ଉଚ୍ଚଶିକ୍ଷାରୁ ବଞ୍ଚିତ ନହେବା ଲକ୍ଷନେଇ ମୋଟ ୧୩ ଜଣ ଅଧ୍ୟାପକ/ଅଧ୍ୟାପିକା ଓ ଅଣଶିକ୍ଷକଙ୍କୁ ନେଇ ଏହି ମହାବିଦ୍ୟାଳୟ ସ୍ଥାପନ କରାଯାଇଥିଲା । ହେଲେ ଏବେ ଏହା ନିଜ ଲକ୍ଷ୍ୟ ପଥରୁ ଦୂରେଇ ନିଜନିଜ ଭିତରେ ଦ୍ଵନ୍ଦ୍ୱ ଓ କଳହ ଯୋଗୁଁ ପାଠପଢ଼ା ତ ପାଠପଢ଼ା ମହାବିଦ୍ୟାଳୟକୁ ଆସିବା ପାଇଁ ଛାତ୍ରଛାତ୍ରୀ ଡ଼ରିଲେଣି ବୋଲି ଅଭିଯୋଗ ହେଉଛି ।
କଲେଜ କର୍ମଚାରୀଙ୍କ ମଧ୍ୟରେ ଶୀତଳ ଯୁଦ୍ଧ,ଅନ୍ଧାରମୁହାଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ରାଜନୀତି ବିଜ୍ଞାନର ଅଧ୍ୟାପିକା ସଂଯୁକ୍ତା ଦାସ ଜନୈକା ଛାତ୍ରୀ ତଥା ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ଝିଆରୀ ପ୍ରୀତିବାଳା ପରିଡାକୁ ପରୀକ୍ଷା ସମୟରେ ବିଭିନ୍ନ ପ୍ରକାର ହଇରାଣ ହରକତ କରିବା ନେଇ ଥାନାରେ ମାମଲା ହୋଇଥିବା ବେଳେ ଅଧ୍ୟକ୍ଷଙ୍କ ଅହେତୁକ ହସ୍ତକ୍ଷେପ ଓ ଲେଡିଜ୍ କମନରୁମରେ ସିସିଟିଭି ସହ ଛାତ୍ରଛାତ୍ରୀଙ୍କୁ ଧମକ ଦେବା ନେଇ ଅଭିଯୋଗ ଆଣିଛନ୍ତି ସମ୍ପୃକ୍ତ ଅଧ୍ୟାପିକା ଜଣକ ।
କେବଳ ଅଧ୍ୟାପିକା ନୁହଁନ୍ତି କଲେଜ ଆକାଉଣ୍ଟାଣ୍ଟ ତଥା କ୍ଲର୍କଙ୍କ ବିରୋଧରେ ମଧ୍ୟ ଅଭିଯୋଗ ଆଣିଛନ୍ତି ଅଧ୍ୟକ୍ଷ । ଅଧ୍ୟକ୍ଷଙ୍କ ଅଭିଯୋଗ ଅନୁଯାୟୀ, ଏହି କଲେଜରେ ଥିବା ଅଧ୍ୟାପିକା ଜଣଙ୍କ ତାଙ୍କ ରାଜନେତା ଭାଇଙ୍କ ସହଯୋଗରେ କଲେଜକୁ ନଆସି ବିଭିନ୍ନ ସମୟରେ ଥାନା, କୋର୍ଟ-କଚେରୀ ଧମକ ଦେଖାଇ ପୂର୍ବରୁ ବହୁବାର ଦରମା ପାଇଥିବା ବେଳେ ସମ୍ପୃକ୍ତ କ୍ଲର୍କ ଅଧ୍ୟାପିକା ଜଣଙ୍କୁ ସହଯୋଗ କରିଥାନ୍ତି ବୋଲି ଅଭିଯୋଗ କରିଛନ୍ତି ଅଧ୍ୟକ୍ଷ ।
କେବଳ ସେତିକି ନୁହେଁ ଅଧ୍ୟାପିକା ଓ କ୍ଲର୍କ ମିଶି ଯୁବତୀ ଚାଲାଣ ବ୍ୟବସାୟରେ ସମ୍ପୃକ୍ତ ବୋଲି ଅଧ୍ୟକ୍ଷ ବିଚିତ୍ର ପରିଡାଙ୍କ ନିକଟରେ ଅଭିଯୋଗ ହୋଇଥିବା କହିଛନ୍ତି ଅଧ୍ୟକ୍ଷ । ସମ୍ପୃକ୍ତ କ୍ଲର୍କଙ୍କୁ ଅଧ୍ୟକ୍ଷଙ୍କ ଅଭିଯୋଗ ବାବଦରେ ପଚରାଯିବାରୁ, ସେ ଅଧ୍ୟକ୍ଷଙ୍କୁ ସମସ୍ତ କାର୍ଯ୍ୟରେ ସହଯୋଗ କରୁଥିବା ବେଳେ ଅଧ୍ୟକ୍ଷ ତାଙ୍କ ଠାରୁ କଲେଜର ସମସ୍ତ ରସିଦ ବହି, କ୍ୟାସବୁକ ଇତ୍ୟାଦି ଛଡାଇ ନେଇଥିବା ପାଲଟା ଅଭିଯୋଗ କରିଛନ୍ତି । ଅନ୍ୟପଟେ ଯୁବତୀ ଚାଲାଣ ସମ୍ପର୍କରେ ସେ କିଛି ଜାଣିନାହାନ୍ତି ଓ ସେ କଲେଜରେ ପଢ଼ୁଥିବା ସମସ୍ତ ପିଲାଙ୍କୁ ନିଜର ପୁଅଝିଅ ଭାବନ୍ତି ବୋଲି କହିଛନ୍ତି । ୩୫୦ ଛାତ୍ରଛାତ୍ରୀଙ୍କ ଜୀବନ ନିର୍ଦ୍ଧାରଣ କରୁଥିବା ଏହି କଲେଜଟିକୁ ମୁଖ୍ୟମନ୍ତ୍ରୀ କିମ୍ବା ୫T ସଚିବ ଦୃଷ୍ଟି ଦେଲେ ଛାତ୍ରଛାତ୍ରୀ ଉପକୃତ ହୋଇପାରାନ୍ତେ ବୋଲି ଆଶା ଓ ବିଶ୍ବାସ ସ୍ଥାପନ କରିଛନ୍ତି ସାଧାରଣ ଜନତା ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ