କେନ୍ଦ୍ରାପଡା: ସ୍କୁଲରେ ପାଠ ବଦଳରେ ପିଲାଙ୍କୁ କାମ କରାଇବା ଘଟଣା । ଅନ୍ୟତ୍ର ବଦଳି ହେଲେ ପ୍ରଧାନ ଶିକ୍ଷୟିତ୍ରୀ । ଆଗପଡା ଉନ୍ନୀତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କୁ ପାଠପଢା ସମୟରେ ସ୍କୁଲରେ ଘାସ ବଛାଇବା, ଝାଡୁ ମରାଇବା ଭଳି କାର୍ଯ୍ୟରେ ନିୟୋଜିତ କରୁଥିବା ନେଇ ‘ଇଟିଭି ଭାରତ’ରେ ଖବର ପ୍ରସାରଣ ପରେ ବ୍ଲକ ଶିକ୍ଷାଧିକାରୀ ସମ୍ପୃକ୍ତ ସ୍କୁଲର ଶିକ୍ଷୟିତ୍ରୀଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବଦଳି କରାଯାଇ ସିହୋପଡାର ଗୋଠେଶ୍ବର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପଠାଯାଇଥିବା ଜଣାପଡିଛି ।
ଏହାମଧ୍ୟ ପଢନ୍ତୁ:ପାଠ ବଦଳରେ ସ୍କୁଲ କାମରେ ଲାଗିଛନ୍ତି ପିଲା, କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଭାବକଙ୍କ ଦାବି
ସୂଚନାନୁଯାୟୀ, କେନ୍ଦ୍ରାପଡ଼ା ରାଜକନିକା ବ୍ଲକ ଆଗପଡା ଉନ୍ନୀତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଲୋପାମୁଦ୍ରା ବାରିକ ପାଠପଢା ସମୟରେ ଛାତ୍ରଛାତ୍ରୀଙ୍କୁ ଘାସ ବଛାଇବା, ଝାଡୁ ମରାଇବା, ଘର ପୋଛା ମରାଇବା, ନବନିର୍ମିତ ପାଚେରୀରେ ଚଢି ପାଣି ଦେବାକୁ ବାଧ୍ୟ କରିବା ଭଳି ସଙ୍ଗୀନ ଅଭିଯୋଗ ହୋଇଥିଲା । ଏ ସମ୍ପର୍କରେ ଗତ ଅଗଷ୍ଟ ୬ ତାରିଖରେ ଇଟିଭି ଭାରତରେ "କଲମ ବଦଳରେ ଝାଡୁ"ଶୀର୍ଷକ ଖବର ପ୍ରସାରିତ ହୋଇଥିଲା । ଏହି ଘଟଣା ପଦାକୁ ଆସିବା ପରେ ତତ୍ପର ହୋଇ ଉଠିଥିଲା ବ୍ଲକ ଶିକ୍ଷା ବିଭାଗ । ବ୍ଲକ ଶିକ୍ଷାଧିକାରୀ ସରୋଜକାନ୍ତ ବିହାରୀ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଶିକ୍ଷୟତ୍ରୀ ଲୋପାମୁଦ୍ରା ଛାତ୍ରଛାତ୍ରୀଙ୍କୁ ଏଭଳି କାମରେ ନିୟୋଜିତ କରିଥିବା ନେଇ ପ୍ରମାଣ ପାଇବା ପରେ ତାଙ୍କୁ ଆଗପଡା ବିଦ୍ୟାଳୟରୁ ବଦଳି କରି ଗୋଠେଶ୍ବର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପଠାଇଛନ୍ତି ।
ଇଟିଭି ଭାରତ, କେନ୍ଦ୍ରାପଡା