କେନ୍ଦ୍ରାପଡା: ଶିକ୍ଷାର ଭିତ୍ତିଭୂମି ଦୃଢହେବ... ସଭିଏଁ ପଢିବେ, ସଭିଏଁ ବଢିବେ । ପାଠପଢି ପିଲାଏଁ ରାଜ୍ୟ ଆଉ ଦେଶରେ ନାଁ ରଖିବେ । ଏଥିପାଇଁ ଯୋଜନା ପରେ ଯୋଜନା ପ୍ରଣୟନ କରି ଚାଲିଛନ୍ତି ସରକାର । ଚକାଚକ ବିଦ୍ୟାଳୟକୁ ମାର୍ବଲ ମାର୍କା ଚଟାଣ, ତା' ସାଙ୍ଗକୁ କିଚେନ, ଗାର୍ଡେନ ସବୁ ସୁବିଧା ଖଞ୍ଜି ଦେଇଛନ୍ତି । ହେଲେ ଯେଉଁଟା ମୌଳିକ ଆବଶ୍ୟକତା ସେଥିପ୍ରତି ବୋଧହୁଏ ସରକାରଙ୍କ ନିଘା ନାହିଁ ।
ବାହାର ସୁନ୍ଦର ଭିତର ପମ୍ଫା ପରି ଚାଲିଛି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ଚଷାଖଣ୍ଡ ସରକାରୀ ପ୍ରାଥମିକ ବିଦ୍ୟାଳୟ । କାରଣ ଏଠାରେ ପାଞ୍ଚଟି କ୍ଲାସ ପିଲାଙ୍କୁ ପାଠ ପଢାଉଛନ୍ତି ଜଣେ ମାତ୍ର ଶିକ୍ଷୟିତ୍ରୀ । ଦୀର୍ଘ ଦୁଇବର୍ଷ ଧରି ପ୍ରାଥମିକ ଶିକ୍ଷାକେନ୍ଦ୍ରଗୁଡିକ ବନ୍ଦ ରହିବା ପରେ ଗତ ୨୮ ଫେବୃୟାରୀରୁ ଖୋଲିଛି । ଏହାରି ଭିତରେ ପିଲାମାନେ ପାଠପଢ଼ାରେ ଦୁଇବର୍ଷ ପଛେଇ ଯାଇଥିବା ଅନୁଭବ କରି ଚଳିତବର୍ଷ ଖରାଛୁଟିକୁ କମାଇ ଆସନ୍ତା ମେ ୧ ତାରିଖରୁ "ବ୍ରିଜ କୋର୍ସ" ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଏନେଇ ନିଜେ ଗଣଶିକ୍ଷା ମନ୍ତ୍ରୀ ମଧ୍ୟ ଘୋଷଣା କରିଛନ୍ତି । ତେବେ ପ୍ରବଳ ଖରା କାରଣରୁ ସ୍କୁଲକୁ ଗତକାଲି (ସୋମବାର)ଠୁ 5 ଦିନ ପାଇଁ ବନ୍ଦ ରଖାଯାଇଛି ।
ହେଲେ ଛାତ୍ରଛାତ୍ରୀଙ୍କ ମୌଳିକ ଆବଶ୍ୟକତା ଓ ଅଧିକାର ଯାହାର ରୁଗ୍ଣ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଡେରାବିଶ୍ ଶିକ୍ଷା ସର୍କଲ ଅଧିନ ଗୋଲରାହାଟ ପଞ୍ଚାୟତର ସରକାରୀ ପ୍ରାଥମିକ ବିଦ୍ୟାଳୟ,ଚଷାଖଣ୍ଡରେ । ଏହି ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୬୫ ଜଣ ଛାତ୍ରଛାତ୍ରୀଙ୍କୁ ପଢାଉଛନ୍ତି ଜଣେ ମାତ୍ର ଶିକ୍ଷୟିତ୍ରୀ । ଜଣେ ଶିକ୍ଷୟତ୍ରୀ ୫ ଟି ଶ୍ରେଣୀର ୬୫ଜଣ ଛାତ୍ରଛାତ୍ରୀଙ୍କୁ ଗୋଟିଏ ଛାତ ତଳେ ପଢ଼ାଇବା କାଠିକର ପାଠ ହୋଇ ପଡୁ ଥିବାବେଳେ ଏବେ ଶିକ୍ଷାବର୍ଷ ଆରମ୍ଭ ପାଇଁ ନୂତନ ନାମଲେଖା, ୫ମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଟିସି ପ୍ରଦାନ, ମଧ୍ୟାହ୍ନ ଭୋଜନ ତଦାରଖ ସମେତ ବିଭିନ୍ନ ସରକାରୀ ବାଧ୍ୟତାମୂଳକ କାର୍ଯ୍ୟ ରହୁଥିବାରୁ ଠିକ ଭାବରେ ପାଠ ପଢିପାରୁନଥିବା କହିଛନ୍ତି ଛାତ୍ରଛାତ୍ରୀ ।