ଓଡିଶା

odisha

ETV Bharat / state

ସାରଥୀ ଆଶ୍ରମ ଖୋଲିବା ପଛରେ କିଏ, ବିଭିନ୍ନ ମହଲରୁ ବିରୋଧ - ବହୁଚର୍ଚ୍ଚିତ ସାରଥୀ ବାବା ଘଟଣା

କେନ୍ଦ୍ରାପଡ଼ା ସ୍ଥିତି ବାରିମୂଳ ଆଶ୍ରମରେ ଆତ୍ମଘୋଷିତ ସାରଥୀ ବାବାଙ୍କ ପୂଜାର୍ଚ୍ଚନା କରିଛନ୍ତି ଅନୁଗାମୀ । ପ୍ରଶାସନର ସୁରକ୍ଷା ନେଇ ସାଧାରଣରେ ଉଠିଲା ପ୍ରଶ୍ନ । ଅଧିକ ପଢ଼ନ୍ତୁ

supporters continue to worship of sarathi baba in barimula ashram kendrapara
ସାରଥୀ ଆଶ୍ରମ ଖୋଲିବା ପଛରେ କିଏ, ବିଭିନ୍ନ ମହଲରୁ ବିରୋଧ

By

Published : Aug 24, 2022, 7:41 AM IST

କେନ୍ଦ୍ରାପଡ଼ା: ଦୀର୍ଘ ୭ ବର୍ଷର ନୀରବତା ପରେ ସକ୍ରିୟ ହୋଇ ଉଠିଛନ୍ତି ସାରଥୀ ତଥା ସନ୍ତୋଷ ରାଉଳର ଅନୁଗାମୀ । ଆତ୍ମଘୋଷିତ ଭଗବାନ ସାରଥୀ ମହିଳାଙ୍କୁ ନିର୍ଯାତନା ଓ ଲୋକଙ୍କୁ ଲୁଟି ଗିରଫ ହେବାପରେ ନିଷ୍କ୍ରିୟ ହୋଇ ପଡ଼ିଥିବା ଭକ୍ତ ଏବେ ପୁନର୍ବାର ଆଶ୍ରମ ଭିତରେ ପଶି ପୂଜାର୍ଚ୍ଚନା ଏବଂ ସତସଙ୍ଗ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଗତ ଜନ୍ମାଷ୍ଟମୀରେ ସମସ୍ତ ଆଇନ କାନୁନକୁ ଫୁ କରି ଆଶ୍ରମ ମଧ୍ୟରେ ପଶି ସାରଥୀଙ୍କ ଫଟୋ ପୂଜାର୍ଚ୍ଚନା କରିଛନ୍ତି (supporters continue to worship of sarathi baba) । ଯାହା ଫଳରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ସାରଥୀ । ଏନେଇ ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ସାତବର୍ଷ ତଳର ନିଆଁ କୁହୁଳିବା ପାଇଁ ସାରଥୀଙ୍କ ଅନୁଗାମୀ ଯେଉଁଭଳି ବ୍ୟବସ୍ଥା ଆରମ୍ଭ କଲେଣି, ଯଦି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆନଯାଏ ତେବେ ପରିସ୍ଥିତି ଭୟାବହ ହେବ ବୋଲି କହିଛନ୍ତି ସାରଥୀର ବିରୋଧୀ ।

ସାରଥୀ ଆଶ୍ରମ ଖୋଲିବା ପଛରେ କିଏ

୨୦୧୫ମସିହା ଅଗଷ୍ଟ ୮ତାରିଖରେ ସାରଥୀ ଓରଫ ସନ୍ତୋଷ ରାଉଳଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ଜନୈକା ଡାକ୍ତରୀ ଛାତ୍ରୀଙ୍କୁ ପତ୍ନୀର ପରିଚୟ ଦେଇ ହାଇଦ୍ରାବାଦର ଗୋଲକୁଣ୍ଡା ସ୍ଥିତ ବଞ୍ଜାରା ହିଲସ୍‌ ହୋଟେଲରେ ନେଇ ରହିବା ଖବର ପ୍ରଚାରିତ ହେବା ପରେ ଅଗଷ୍ଟ ୫ରୁ ସାରଥୀଙ୍କୁ ବିଭିନ୍ନ ମହଲରେ ବିରୋଧ ଆରମ୍ଭ ହୋଇଥିଲା । ଏହାପରେ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ହଟ୍ଟଗୋଳ ପରେ ବିରୋଧୀଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଥିଲା । ଏହାପରେ ସାରା ରାଜ୍ୟରେ ବିରୋଧର ନିଆଁ ଜଳିଥିଲା । ରାଜ୍ୟ ସରକାରଙ୍କ ତ୍ବରିତ କାର୍ଯ୍ୟାନୁଷ୍ଠାନ ସ୍ବରୂପ କ୍ରାଇମବ୍ରାଞ୍ଚକୁ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚ ଅଧିକାରୀ ଅରୁଣ ବୋଥ୍ରା ସାରଥୀଙ୍କୁ ବାରିମୂଳ ଆଶ୍ରମରୁ (barimula ashram kendrapara) ଗିରଫ କରିଥିଲେ।

ଅନ୍ୟପଟେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)ଜବତ କରିଥିବା ସାରଥୀଙ୍କ ୨୫ ଗୋଟି ସ୍ଥାବର ଅସ୍ଥାବର ସମ୍ପତ୍ତି ଉପରେ କଟକଣା ଲଗାଯାଇଛି । ଏପରିକି ଜବତ ଚାଷଜମିରେ ଚାଷ କାର୍ଯ୍ୟ ବାରଣ ସମ୍ପର୍କରେ ନିର୍ଦ୍ଦେଶ ରହି ନାଲି ପତାକା ଲଗାଯାଇଛି । ଆଶ୍ରମରେ କେବଳ ତାଙ୍କ ମାଆ ଓ ଗୋସେବା ପାଇଁ ଦୁଇଜଣ ବ୍ୟକ୍ତିଙ୍କୁ ରହିବାକୁ କୋର୍ଟ ଅନୁମତି ଦେଇଛନ୍ତି । କିନ୍ତୁ ଗତ ଜନ୍ମାଷ୍ଟମୀ ସମୟରେ ଅନାଧିକାର ପ୍ରବେଶକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି କେନ୍ଦ୍ରାପଡା ବାସିନ୍ଦା । ଏଥିସହ ଜିଲ୍ଲା ପୋଲିସର ଉଦାସୀନତା ଓ ଏହି ଜବତ ସମ୍ପତ୍ତିକୁ ସୁରକ୍ଷା ନଦେଵା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଘଟଣାକୁ ନେଇ କେନ୍ଦ୍ରାପଡ଼ା ବାର ଆସୋସିଏସନର ସଦସ୍ୟ ତଥା ବରିଷ୍ଠ ଆଇନଜୀବୀ ଦୁର୍ଯୋଧନ ସାହୁ କହିଛନ୍ତି," କେତେକ ସାରଥୀ ଭକ୍ତ ଯେଉଁ ଅପଚେଷ୍ଟା ଚଳାଇ କେନ୍ଦ୍ରାପଡ଼ାବାସୀଙ୍କୁ ଭୂଆଁ ବୁଲାଇବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ତାହାକୁ ନିଷ୍ଫଳ କରାଯିବ । ଦରକାର ପଡ଼ିଲେ ପୁନର୍ବାର ସେମାନେ ଆଇନକୁ ହାତକୁ ନେବେ।"

ତମାମ ଘଟଣାରେ ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗର ଅପାରଗତାକୁ ପ୍ରମାଣିତ କରୁଛି ବୋଲି ସେ କହିଛନ୍ତି । ବର୍ତ୍ତମାନ ସାରଥୀଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି । ଅନ୍ୟପଟେ ଇଡି ଦ୍ବାରା ଜବତ ହୋଇଥିବା ସମ୍ପତ୍ତି ସୁରକ୍ଷା ସମ୍ପର୍କରେ ସଦର ଥାନା ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି, " ସେଠାରେ କୌଣସି ପୋଲିସ ସୁରକ୍ଷା ଦିଆଯାଇ ନାହିଁ ।" ଥାନାରେ ଯୋଗ ଦେବା ସମୟରେ ସାରଥୀ ଆଶ୍ରମରେ ପୋଲିସ ମୁତୟନ କଥା ଜାଣିନଥିବା ଫୋନ ଯୋଗେ ସୂଚନା ଦେଇଛନ୍ତି ।

୨୦୧୫ ମସିହାରୁ ଏଯାବତ ନିରବୀ ଯାଇଥିବା ଭକ୍ତଙ୍କ ବାରିମୂଳ ଆଶ୍ରମ ଭିତରକୁ ଏଭଳି ପ୍ରବେଶ ଜିଲ୍ଲାରେ ପୁନଃ ଆଇନ ଶୃଙ୍ଖଳା ପରିସ୍ଥିତିକୁ ବିପର୍ଯ୍ୟସ୍ତ କରିବା ପାଇଁ ପ୍ରୋତ୍ସାହିତ କରୁଛି ବୋଲି ବରିଷ୍ଠ ସାମ୍ବାଦିକ ଗଣେଶ ଚନ୍ଦ୍ର ସାମଲ ଅଭିଯୋଗ କରିଛନ୍ତି । ଅନ୍ୟପଟେ ସାରଥୀଙ୍କ ଜଣେ ଅନୁଗତଙ୍କ କହିବା ଅନୁଯାୟୀ, "ପ୍ରତ୍ୟେକ ମଣିଷଙ୍କ ଭିତରେ କିଛି ସୁଗୁଣ ଓ ଦୁର୍ଗୁଣ ରହିଥାଏ, ସେହିଭଳି ବାବା ନିକଟରେ ଏଭଳି ଗୁଣ ରହିବା ସ୍ବାଭାବିକ । ତାଙ୍କ ଦ୍ବାରା କରାଯାଉଥିବା ଉତ୍ତମ କାର୍ଯ୍ୟ ପାଇଁ ସାଧାରଣ ଲୋକେ ଉପକୃତ ହେଉଥିଲେ ।"

କେତେକ ଅନୁଗାମୀଙ୍କ ପାଇଁ ପୁଣି ସରଳ ଧର୍ମ ବିଶ୍ବାସୀ ଲୋକ ଭ୍ରଷ୍ଟାଚାରରେ ବଳି ପଡ଼ିବେ । ସାରଥୀ ଲୋକଙ୍କ ଭାବାବେଗ ସହ ଖେଳିବାକୁ ସୁଯୋଗ ପାଇବେ । ତେଣୁ ଏଥିପ୍ରତି ପ୍ରଶାସନ ସଚେତନ ରହିବା ଆବଶ୍ୟକ ବୋଲି କେନ୍ଦ୍ରାପଡ଼ାବାସୀ କହିଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details