କେନ୍ଦ୍ରାପଡ଼ା: ପିକନିକ ବେଳେ ଅଘଟଣ । ପିକନିକ ସାରି ଘରକୁ ଫରିବା ବାଟରେ ଅସୁସ୍ଥ ହୋଇ 7ରୁ ଊର୍ଦ୍ଧ୍ବ ଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କଟକ ଜିଲ୍ଲା ତୁଳସୀପୁର ସ୍ଥିତ ବାପୁଜୀ ଶିକ୍ଷା ନିକେତନର 7ରୁ ଊର୍ଦ୍ଧ୍ବ ଛାତ୍ରୀ ଅସୁସ୍ଥ ହୋଇ ଗୁରୁତର ହୋଇପଡ଼ିଥିବା ଜଣାପଡ଼ିଛି ।
ଶୁକ୍ରବାର ସକାଳୁ କଟକ ତୁଳସୀପୁର ସ୍ଥିତ ବାପୁଜୀ ଶିକ୍ଷା ନିକେତନର ପାଖାପାଖି 50ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ପିକନିକ କରିବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ସ୍ଥିତ ପେଣ୍ଠ ବେଳା ଭୂମିକୁ ଯାଇଥିଲେ । ପିକନିକ ସାରି ଘରକୁ ଫେରୁଥିବା ସମୟରେ ପଟ୍ଟାମୁଣ୍ଡାଇ ନୂଆଗାଁ ନିକଟରେ 7 ଜଣ ଛାତ୍ରୀ ଗୁରୁତର ହେବା ସହ ସଂଜ୍ଞାହୀନ ହୋଇ ପଡ଼ିଥିଲେ । ସେମାନଙ୍କୁ ତୁରନ୍ତ ପଟ୍ଟାମୁଣ୍ଡାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବିଳମ୍ବିତ ରାତି ସୁଦ୍ଧା ଛାତ୍ରୀମାନଙ୍କ ଅବସ୍ଥା ଗୁରୁତର ରହିଥିଲା ।