ଓଡିଶା

odisha

ETV Bharat / state

ଟ୍ୟୁସନ ନହେଲେ ମାର୍କ ନାହିଁ, ଘରୋଇ ସ୍କୁଲ ନାଁରେ ଅଭିଯୋଗ ଆଣିଲେ ଛାତ୍ରଛାତ୍ରୀ - ଦଶମ ପରୀକ୍ଷା ମାର୍କିଂ ତ୍ରୁଟି ଅଭିଯୋଗ

କେନ୍ଦ୍ରାପଡାରେ ଇଂରାଜୀ ବିଦ୍ୟାଳୟରେ ମାର୍କ ଦେବାକୁ ନେଇ ପ୍ରବଳ ଅସନ୍ତୋଷ । ନିର୍ଦ୍ଦିଷ୍ଟ ଶିକ୍ଷକଙ୍କ ନିକଟରେ ଟିଉସନ ହୋଇନଥିବାରୁ ମାର୍କ କମାଇ ଦେଇଥିବା ଅଭିଯୋଗ । ଅଧିକ ପଢନ୍ତୁ...

ଘରୋଇ ସ୍କୁଲ KPS ର ମନମାନି, ଅନ୍ଧାରରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ
ଘରୋଇ ସ୍କୁଲ KPS ର ମନମାନି, ଅନ୍ଧାରରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

By

Published : Aug 21, 2021, 4:17 PM IST

କେନ୍ଦ୍ରାପଡା: ମୋ ପାଖରେ ଟିଉସନ ହୋଇନାହଁ ମାର୍କ ନାହିଁ, +୨ ଆଡମିଶନ ଆମ ସ୍କୁଲରେ କରିବ ନାହିଁ ତ ମାର୍କ ନାହିଁ ! ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଏମିତି ଖେଳ ଖେଳାଯାଇଛି କେନ୍ଦ୍ରାପଡ଼ା ଜିଲ୍ଲାର ଏକ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ । ଯାହାର ଅଭିଯୋଗ ଆଣିଛନ୍ତି ଖୋଦ ଛାତ୍ରଛାତ୍ରୀ ଓ ଅଭିଭାବକ ।

ଘରୋଇ ସ୍କୁଲ KPS ର ମନମାନି, ଅନ୍ଧାରରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

କୋରୋନା କାରଣରୁ ଚଳିତବର୍ଷ ବନ୍ଦ ରହିଥିଲା ସିବିଏସଇ ପରୀକ୍ଷା । ଗତବର୍ଷର ନବମ ଶ୍ରେଣୀର ମାର୍କ ଓ ଚଳିତବର୍ଷ କ୍ଳାସ ୟୁନିଟ ଟେଷ୍ଟର ମାର୍କକୁ ମିଶାଇ ସିବିଏସଇ ଦଶମ ଶ୍ରେଣୀର ପରୀକ୍ଷାଫଳ ପ୍ରକାଶିତ ହେବା ପରେ ଆରମ୍ଭ ହୋଇଥିଲା ଘରୋଇ ସ୍କୁଲରେ ପାଠ ପଢୁଥିବା ବିଦ୍ୟାର୍ଥୀ ଏବଂ ଅଭିଭାବକଙ୍କ ପ୍ରତିକ୍ରିୟା । ଜିଲ୍ଲାର 'କେନ୍ଦ୍ରାପଡ଼ା ପବ୍ଲିକ ସ୍କୁଲ' ନାମରେ ସଂଖ୍ୟାଧିକ ଛାତ୍ରଛାତ୍ରୀ ଆଣିଥିଲେ ଅଭିଯୋଗ । ସେମାନଙ୍କ ପାଖରେ ଟିଉସନ ନହେଲେ ମାର୍କ କମାଇଦେବାକୁ ଛାତ୍ରଛାତ୍ରୀଙ୍କୁ ଧମକ ଦେଇଥିଲେ ଶିକ୍ଷକ, ଯାହାକି ସେମାନଙ୍କ ମାର୍କରୁ ପ୍ରତିଫଳିତ ହୋଇଛି ବୋଲି ଅଭିଯୋଗ ହୋଇଛି । ଦଶମ ଶ୍ରେଣୀ ନ ସରୁଣୁ ଏହି ସ୍କୁଲରେ +୨ ପଢିଲେ ମାର୍କ ଅଧିକ ଦିଆଯିବ ବୋଲି ଶିକ୍ଷକ ଶିକ୍ଷୟିତ୍ରୀ କହିଥିବା ମଧ୍ୟ ଅଭିଯୋଗ ହୋଇଛି । ୯୦%ରୁ ଊର୍ଦ୍ଧ୍ବ ନମ୍ବର ରଖିବା ପାଇଁ ଆଶାୟୀ ଛାତ୍ରଛାତ୍ରୀଙ୍କୁ କମ ମାର୍କ ମିଳିଥିବା ଅଭିଯୋଗ କରି ଛାତ୍ରଛାତ୍ରୀ ଓ ଅଭିଭାବକ ସେମାନଙ୍କ ଖାତା ରିଚେକିଂ ପାଇଁ ଆବେଦନ କରିବାରୁ ଧମକ ଚମକ ଦିଆଯିବା ସହ ଖରାପ ବ୍ୟବହାର କରାଯାଉଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଛି ।

କେବଳ ସେତିକି ନୁହେଁ, ଏନେଇ ସ୍କୁଲ କର୍ତ୍ତୃପକ୍ଷ ଏବଂ ପ୍ରତିଷ୍ଠାତାଙ୍କ ସହ ଆଲୋଚନା କରୁଥିବାବେଳେ ଜଣେ ଅଭିଭାବିକା ମୋବାଇଲରେ ଏହାକୁ ରେକର୍ଡ କରୁଥିଲେ । ଏହି ସମୟରେ ସ୍କୁଲର ପ୍ରତିଷ୍ଠାତା ତଥା ତୁଳସୀ ମହିଳା ମହାବିଦ୍ୟାଳୟର ପୂର୍ବତନ ପ୍ରାଧ୍ୟାପକ ଅଜୟ ରାଉତ ଅଭିଭାବିକାଙ୍କୁ ଅସଦ ବ୍ୟବହାର କରି ମୋବାଇଲ ଛଡାଇ ନେବାପାଇଁ ଉଦ୍ୟମ କରୁଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଉଛି ।

ଏନେଇ ସ୍କୁଲର ଅଧ୍ୟକ୍ଷଙ୍କୁ ପଚାରିବାରୁ ସେ ବୋର୍ଡ ଦ୍ୱାରା ନିର୍ଦ୍ଧାରିତ ନିୟମାନୁଯାୟୀ ମାର୍କ ଦିଆଯାଇଛି ଏବଂ କରାଯାଇଥିବା ଅଭିଯୋଗର କୌଣସି ସତ୍ୟତା ନଥିବା କହିଛନ୍ତି । ତେବେ କେଉଁ ପରିସ୍ଥିତିରେ ସ୍କୁଲର ପ୍ରତିଷ୍ଠାତା ଅଜୟ ରାଉତ ଅଭିଭାବିକାଙ୍କ ଠାରୁ ମୋବାଇଲ ଛଡାଉଥିଲେ ବୋଲି ପ୍ରଶ୍ନ କରିବାରୁ ପ୍ରସଙ୍ଗ ସମ୍ପର୍କରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ଅଧ୍ୟକ୍ଷ ।

ଘରୋଇ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଉନ୍ନତ ଶିକ୍ଷା ଦିଆଯିବା ଲକ୍ଷ୍ୟରେ ଅଭିଭାବକମାନେ ଇଂରାଜୀ ମିଡିୟମ ସ୍କୁଲକୁ ଅଧିକ ପସନ୍ଦ କରିବା ଏବଂ ଏହି କାରଣରୁ ଛତୁ ଫୁଟିବା ଭଳି ପବ୍ଲିକ ସ୍କୁଲ୍ ଖୋଲିବା କେତେ ପ୍ରାସଙ୍ଗିକ ତାହା ସମୟ କହିବ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details