କେନ୍ଦ୍ରାପଡ଼ା:"ମୁଁ ପ୍ରଥମ ଧାଡ଼ିରେ ବସି ପରୀକ୍ଷା ଦେଉଥିବା ବେଳେ ମୋତେ ସାର ପଛ ଧାଡ଼ିରେ ବସିବାକୁ କହିଲେ । ଏହାପରେ ମୁ ଉତ୍ତର ଲେଖୁଥିବା ବେଳେ ସାର୍ ମୋ ସହ ଅସଦାଚାରଣ କଲେ । ପ୍ରଧାନ ଶିକ୍ଷକ ଓ ପୋଲିସ ନିକଟରେ ଅଭିଯୋଗ କରିବା ପରେ ବି କିଛି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ ।" ଏଭଳି ଏକ ଚିଠିରେ ନିଜ ସହ ଘଟିଥିବା ଅସଦାଚାରଣ ନେଇ ରାଜ୍ୟର ହାଇକୋର୍ଟ ବିଚାରପତିଙ୍କ ପାଖକୁ ଚିଠି ଲେଖିଛନ୍ତି ଜଣେ ଦଶମ ଶ୍ରେଣୀର ଛାତ୍ରୀ । ଏହି ଅଭିଯୋଗ ବିଷୟରେ ଜାଣିଲେ ଶିକ୍ଷକଙ୍କ ଉପରୁ ଭରସା ଉଠିଯିବ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଅଞ୍ଚଳରେ ଏଭଳି ଏକ ଅଭିଯୋଗ ଆଣି ହାଇକୋର୍ଟ ବିଚାରପତିଙ୍କ ନିକଟକୁ ଚିଠି ଲେଖିଛନ୍ତି ଜଣେ ଦଶମ ଶ୍ରେଣୀ ଛାତ୍ରୀ ।
ଅନ୍ଧକାରକୁ ଏଡ଼ାଇ ଭବିଷ୍ୟତକୁ ଆଲୋକିତ କରିବା ପାଇଁ ଜଣେ ଛାତ୍ର କିମ୍ବା ଛାତ୍ରୀ ବିଦ୍ୟାଳୟ ଆସନ୍ତି । ସେଠାରେ ପାଠ୍ୟ ପୁସ୍ତକ ସହ ନୀତିଶିକ୍ଷା ଦିଅନ୍ତି ଗୁରୁ ରୂପୀ ଭଗବାନ । ହେଲେ ମହାକାଳପଡ଼ାରେ ଜଣେ ଶିକ୍ଷକଙ୍କ ବିରୋଧରେ ଜଣେ ଛାତ୍ରୀ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଗୁରୁଙ୍କ ବ୍ୟକ୍ତିତ୍ବ ଓ ବିଶ୍ବସନୀୟତା ଉପରେ ପ୍ରଶ୍ନ ଉଠିଛି । ଗତ ଜୁଲାଇ ୧୮ ତାରିଖରେ ମହାକାଳପଡ଼ା ଅଞ୍ଚଳର ଏକ ବିଦ୍ୟାଳୟର ଗଣିତ ଶିକ୍ଷକ ବିଶ୍ବମ୍ବର ପରିଡ଼ା ସର୍ପ୍ରାଇଜ୍ ଗଣିତ ପରୀକ୍ଷା କରାଇଥିଲେ ।
ଏହି ସମୟରେ ଜଣେ ଛାତ୍ରୀଙ୍କୁ ସେ ପ୍ରଥମ ଧାଡ଼ିରୁ ଉଠାଇ ଶେଷ ଧାଡ଼ିରେ ବସାଇଥିଲେ । କାନ ପାଖରେ ଆସି କହିଥିଲେ ମୋ ପାଖରେ ୩୦ ନମ୍ବର ଅଛି । ଏହାପରେ ତାଙ୍କ ସହ ଅସଦାଚାରଣ କରିବାକୁ ଲାଗିଲେ । ଛାତ୍ରୀ ଜଣକ କାନ୍ଦି ବିରୋଧ କରିବାରୁ ତାଙ୍କୁ ଫେଲ୍ କରିବାକୁ ଧମକ ଦେଇଥିଲେ ଅଭିଯୁ୍କ୍ତ ଗଣିତ ଶିକ୍ଷକ । ପ୍ରଧାନ ଶିକ୍ଷକଙ୍କ ନିକଟରେ ଅଭିଯୋଗ କରିବାରୁ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲେ । ଏହାପରେ ପୀଡ଼ିତାଙ୍କ ପରିବାରବର୍ଗ ମହାକାଳପଡ଼ା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ୧୫ ଦିନ ବିତି ଯାଇଥିଲେ ସୁଦ୍ଧା ପୋଲିସ ଅଭିଯୁକ୍ତକୁ ଗିରଫ କରି ନାହିଁ । ସେପଟେ ଜାମିନ ଆବେଦନ କରିଛନ୍ତି ଅଭିଯୁକ୍ତ ଶିକ୍ଷକ ।
ଏହାକୁ ନେଇ ଛାତ୍ରୀ ଜଣକ ଶେଷରେ କିଛି ଉପାୟ ନପାଇ ହାଇକୋର୍ଟ ବିଚାରପତିଙ୍କୁ ଚିଠି ଲେଖିଛନ୍ତି । ସେ କହିଛନ୍ତି ଯେ, "ଗଣିତ ସାର୍ ମୋ ସହ ଅସଦାଚରଣ କଲେ । ମୁଁ ଏ ବିଷୟରେ ପରିବାର ଲୋକଙ୍କୁ ଜଣାଇବା ପରେ ବାପା ପ୍ରଧାନ ଶିକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ । ହେଲେ ସାର୍ଙ୍କ ବିରୋଧରେ କୌଣସି ପଦକ୍ଷେପ ନନେବାରୁ ବାପା ମହାକାଳପଡ଼ା ଥାନାରେ ଅଭିଯୋଗ କରିଥିଲେ । ୧୫ ଦିନ ବିତି ଯାଇଥିଲେ ସୁଦ୍ଧା ପୋଲିସ ସାର୍ଙ୍କୁ ଗିରଫ କରୁନାହିଁ । ବର୍ତ୍ତମାନ ସାର୍ ଜାମିନ ଆବେଦନ କରିଛନ୍ତି । ସାର୍ଙ୍କୁ ଜାମିନ୍ ଦିଅନ୍ତୁ ନାହିଁ । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ।"
ଇଟିଭି ଭାରତ, କେନ୍ଦ୍ରାପଡ଼ା