କେନ୍ଦ୍ରାପଡା:ଜିଲ୍ଲା ମାର୍ଶାଘାଇ ବଜାରରେ ଥିବା ଗାଇଡ୍ ରେସିଡେନ୍ସିଆଲ୍ ଟ୍ୟୁଟୋରିଆଲରେ ଅଘଟଣ । ଟ୍ୟୁଟୋରିଆଲର ଜଣେ ଛାତ୍ରଙ୍କର 11 KV ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବା ଫଳରେ ମୃତ୍ୟୁ ଘଟିଛି । ଛାତ୍ର ଜଣକ ହେଲେ ଆଳି ବ୍ଲକ ଆଇତିପୁର କଲେଜର +୨ ବିଜ୍ଞାନର ଛାତ୍ର ଦେବୀ ପ୍ରସାଦ ଦାସ । ମୃତ ଦେବୀ ପ୍ରସାଦ ଦାସଙ୍କ ପରିବାରବର୍ଗ ଏବାବଦରେ ଥାନାରେ ଟ୍ୟୁଟୋରିଆଲ କର୍ତ୍ତୃପକ୍ଷ ଓ ବିଦ୍ୟୁତ ବିଭାଗ ନାମରେ ଲିଖିତ ଅଭିଯୋଗ କରିଛନ୍ତି ।
ଦେବୀପ୍ରସାଦ ଗାଇଡ୍ ରେସିଡେନ୍ସିଆଲ୍ ଟ୍ୟୁଟୋରିଆଲରେ ରହି ପାଠପଢୁଥିଲେ । ଅସାବଧାନତା ବଶତଃ ବାଲକୋନିର ଅତି ନିକଟରେ ଯାଇଥିବା 11kv ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଏହାସହ ଅନ୍ୟ ଛାତ୍ରଛାତ୍ରୀ ମଧ୍ୟ ଆହତ ହୋଇଥିଲେ । ଦେବୀପ୍ରସାଦ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳି ଯାଉଥିବା ବେଳେ ଟ୍ୟୁଟୋରିଆଲର ଅନ୍ୟ ଛାତ୍ରଛାତ୍ରୀ ଏହାକୁ ଦେଖି ଭୟଭୀତ ହୋଇଯାଇଥିଲେ । ବିଳମ୍ବିତ ରାତିରେ ଅଭିଭାବକ ମାନେ ଆସି ନିଜ ନିଜର ପୁଅ,ଝିଅ ମାନଙ୍କୁ ଘରକୁ ନେଇ ଯାଇଥିବା ଦେଖାଯାଇଛି ।