କେନ୍ଦ୍ରାପଡା: ଯୁକ୍ତ ଦୁଇ ପଢ଼ୁଥିବା ଛାତ୍ରଙ୍କ ଘରୋଇ କୋଚିଂ ସେଣ୍ଟରରେ ଅସ୍ବଭାବିକ ମୃତ୍ୟୁ । ପୋଲିସରେ ଅଭିଯୋଗ ପରେ ମଧ୍ୟ ହେଉନି କୌଣସି କାର୍ଯ୍ୟାନୁଷ୍ଠାନ । ଏନେଇ ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ କୋଚିଂ ସେଣ୍ଟର ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି ମୃତ ଛାତ୍ରଙ୍କ ପରିବାର ଓ ଗାଁ ଲୋକେ । ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଏହି ଅନଶନ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।
ଅଭିଯୋଗ ଅନୁଯାୟୀ, ସଦର ଥାନା ଫୋରଡ଼ ଗାଁର ସୁବାଷ ମୁଦୁଲିଙ୍କ ଏକମାତ୍ର ପୁଅ ସୁବ୍ରତ ମୁଦୁଲି କ୍ୟାରିୟର ପାୱାର ନାମକ ଏକ ଘରୋଇ କୋଚିଂ ସେଣ୍ଟରରେ ରହି ପାଠ ପଢ଼ୁଥିଲେ । ତେବେ ଗତ ୧୧ ତାରିଖ ରାତିରେ ଏହି କୋଚିଂ ସେଣ୍ଟରର ମାଲିକ ଆଶିଷ ସ୍ୱାଇଁ ଓ ଅନ୍ୟ ଦୁଇ ଜଣ ଛାତ୍ର ସୁବ୍ରତଙ୍କୁ ମୃତ ଅବସ୍ଥାରେ ଶ୍ୟାମଗୁଡ଼ିଆସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ପୁଅ ସୁବ୍ରତର କୌଣସି ଅଘଟଣ ଘଟିଥିବା ନେଇ କୋଚିଂ ସେଣ୍ଟର କର୍ତ୍ତୃପକ୍ଷ ବାପା ସୁବାଷ କିମ୍ବା ପରିବାରର ଅନ୍ୟ କୌଣସି ସଦସ୍ୟଙ୍କୁ କିଛି ବି ଜଣାଇନଥିଲେ । ତେବେ ସୌଭାଗ୍ୟବସତଃ ଉକ୍ତ ରାତିରେ ସୁବାଷ ଓ ତାଙ୍କ ପତ୍ନୀ ସ୍ନିଗ୍ଧାରାଣୀଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଡ୍ମିଶନ କରିବାକୁ ଆଣିଥିଲେ । ଏହି ସମୟରେ ପୁଅ ସୁବ୍ରତ ମେଡିକାଲ ବେଞ୍ଚରେ ଶୋଇ ରହିଥିବା ଦେଖିବାକୁ ପାଇଥିଲେ ।