କେନ୍ଦ୍ରାପଡା:କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା କନପୁର ଗାଁରେ ଘଟିଛି ଏକ ହୃଦୟ ବିଦାରକ ଘଟଣା । ପାରିବାରିକ କଳହରୁ ନୃଶଂସ ହେଲା ପୁଅ । ବିଶ୍ବ ମାତୃତ୍ବ ଦିବସରେ ମାଆକୁ ହତ୍ୟା କଲା ଜହ୍ଲାଦ ପୁଅ ।ସାରା ବିଶ୍ୱ ମାତୃଦିବସ ପାଳନ କରୁଥିବାବେଳେ ଠିକ୍ ସେହିଦିନ ସମ୍ପତ୍ତି ପାଇଁ ଜନ୍ମକଲା ମା'କୁ ତଣ୍ଟି ଚିପି ହତ୍ୟା କରିଛି ପୁଅ । ଏହି ଘଟଣା ଏବେ ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । କନପୁର ଗାଁ'ର ଦ୍ରୌପଦୀ ବାରିକଙ୍କୁ ନିର୍ମମ ଭାବେ ହତ୍ୟା କରିଛି ପୁଅ ସଞ୍ଜୀବ ବାରିକ ।
ତେବେ ହତ୍ୟା କରିବା ପରେ ନିଜ ଭିଣୋଇ ଓ ପରିବାର ଲୋକଙ୍କ ସହାୟତାରେ ପ୍ରମାଣ ନଷ୍ଟ କରିବାକୁ ମା'ର ମୃତଦେହକୁ ପୋଡି ଦେଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ତିନିଦିନ ପରେ ଅର୍ଥାତ ଗତକାଲି ଦ୍ରୌପଦୀଙ୍କର ଭାଇ ଭଦ୍ରକ ଧୂସୁରୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଧୂସୁରୀ ପୋଲିସ ଓ ରାଜକନିକା ପୋଲିସ ପଟ୍ଟାମୁଣ୍ଡାଇ ଏସଡିପିଓ ପ୍ରଥମେ ସହଯୋଗୀ ଭିଣୋଇ ନିରାକାର ନାୟକକୁ ଗିରଫ କରିବା ପରେ ସନ୍ଧ୍ୟାରେ ନୃଶଂସ ପୁଅ ସଞ୍ଜୀବକୁ ଗିରଫ କରି ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, ମୁମ୍ବାଇରେ ଏକ ପ୍ଲଟ ଦ୍ରୌପଦୀଙ୍କ ନାମରେ ରହିଥିବା ବେଳେ ଏହାକୁ ବିକ୍ରି କରିବା ପାଇଁ ପୁଅ ସଞ୍ଜୀବ ମାଆ ଉପରେ ବାରମ୍ବାର ଚାପ ପକାଉଥିଲା । ଏଥିରେ ଦ୍ରୌପଦୀ ରାଜି ନହେବାରୁ ଗୁଜୁରାଟରେ ରହୁଥିବା ବେଳେ ଗତ ୫ଦିନ ତଳେ ଘରକୁ ଫେରି ମାଆ ଦ୍ରୌପଦୀଙ୍କୁ ହତ୍ୟା କରି ଫେରାର୍ ହୋଇଯାଇଥିଲା ଜହ୍ଲାଦ ପୁଅ । ଏପଟେ ହତ୍ୟାକାଣ୍ଡକୁ ଆକସ୍ମିକ ମୃତ୍ୟୁର ରୂପ ଦେବାକୁ ଚେଷ୍ଟା କରିଥିଲା ଜହ୍ଲାଦ ପୁଅ ।