କେନ୍ଦ୍ରାପଡ଼ା:ଦେବସ୍ନାନ ପୂର୍ଣ୍ଣିମାରେ ରତନ ବେଦୀରୁ ଓହ୍ଲାଇ ଆସି ସ୍ନାନ ମଣ୍ଡପରେ ଦର୍ଶନ ଦେଉଛନ୍ତି ମଣି ବିଗ୍ରହ । ସାମାନ୍ୟ ବିଳମ୍ବ ସତ୍ତ୍ୱେ ପୂର୍ବାହ୍ନରେ ସେବାୟତ ସମୂହ ଶ୍ରୀଜିଉମାନଙ୍କୁ ପହଣ୍ଡି କରି ସ୍ନାନ ବେଦୀକୁ ଆଣିଛନ୍ତି । ପୂର୍ବାହ୍ନରେ ସ୍ନାନ ମଣ୍ଡପରେ ଶ୍ରୀଜିଉ ପହଞ୍ଚିବା ପରେ ମଙ୍ଗଳ ଆଳତୀ କରାଯାଇ ପୂର୍ବ ରାତ୍ରିରୁ ଅଭିମନ୍ତ୍ରିତ ହୋଇ ରହିଥିବା ୧୦୮ ଗରା ସୁବାସିତ ଜଳରାଶିରେ ସେବାୟତମାନେ ସ୍ନାନ କରାଇଛନ୍ତି ।
ବର୍ଷକେ ଥରେ ଶ୍ରୀଜିଉ ସ୍ନାନ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଅନ୍ୟ ଏକ ପରମ୍ପରା ଅନୁଯାୟୀ ଦେବସ୍ନାନ ପୂର୍ଣ୍ଣିମାରେ ବ୍ରହ୍ମ ତାଳଧ୍ୱଜ ରଥର ଚକରେ ଅଖ ସଂଯୋଗ କରାଯିବା ବିଧି ରହିଛି । ଅନ୍ୟପଟେ ସ୍ନାନ ପୂର୍ଣ୍ଣିମା ବିଧିରେ ସାମାନ୍ୟ କାର୍ଯ୍ୟକ୍ରମ ସମୟ ବିଳମ୍ବ ହୋଇଥିବା ବେଳେ ମଧ୍ୟାହ୍ନରେ ଶ୍ରୀଜିଉଙ୍କ ପାଇଁ ଭୋଗଲାଗି କାର୍ଯ୍ୟକ୍ରମ ହୋଇଛି । ଗତ ଅକ୍ଷୟ ତୃତୀୟା ଠାରୁ ଭିତର ଚନ୍ଦନ ଯାତ୍ରା ୨୧ ଦିନ ପର୍ଯ୍ୟନ୍ତ ଚାଲିଥିଲା ଏବଂ ଗତ ରାତିରେ ଏହା ସମାପିତ ହୋଇଛି । ମନ୍ଦିର ପରିଚାଳନା ବୋର୍ଡର ନିଷ୍ପତ୍ତି ଅନୁଯାୟୀ, ଆଜି ପୂର୍ବାହ୍ନରେ ଶ୍ରୀଜିଉଙ୍କୁ ସ୍ନାନ ମଣ୍ଡପକୁ ଅଣାଯାଇ ସୁବାସିତ ଅଭିମନ୍ତ୍ରିତ ଜଳରେ ସ୍ନାନ କରାଯିବା, ଜୟମଙ୍ଗଳା ଆଳତୀ,ବଲ୍ଲଭ ମଣୋହୀ, ମଙ୍ଗଳାର୍ପଣ, ଅପରାହ୍ନରେ ଗଜବଦନ ବେଶ ଦର୍ଶନ, ଖେଚୁଡ଼ି ଧୂପ ଓ ରାତ୍ର ୧୦ ଘଟିକାରେ ଅଣସର ଘର ପ୍ରବେଶ କରାଯିବ ବୋଲି ସ୍ଥିର କରାଯାଇଛି ।