କେନ୍ଦ୍ରାପଡା: ଗାଁ ହେବ ସହର । ସହରୀ ସୁବିଧା ପାଇବେ ଗ୍ରାମବାସୀ। ଏହି ଲକ୍ଷରେ କେନ୍ଦ୍ରାପଡା ରାଜକନିକା ବ୍ଲକର ନହୁଣୀ ପଞ୍ଚାୟତ ଗାଁମୁଣ୍ଡରେ ନିର୍ମାଣ ହୋଇଥିଲା ସ୍ମାର୍ଟ ପାର୍କ । ଆମୋଦ ପ୍ରମୋଦ ପାଇଁ ତିଆରି ହୋଇଥିବା ପାର୍କ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି। କେଉଁଠି ଖେଳ ଉପକରଣ ସହ ଚେୟାର ଟେବୁଲ୍ ଭାଙ୍ଗି ଯାଇଛି ତ କେଉଁଠି ଏହି ଆମୋଦ ଉଦ୍ୟାନ ଚାଷଜମି ପାଲଟି ଯାଇଛି ।
ଗ୍ରାମାଞ୍ଚଳର ଶୋଭାବର୍ଦ୍ଧନ ସହିତ ଶିଶୁମାନଙ୍କ ଆମୋଦପ୍ରମୋଦ ଲକ୍ଷ୍ୟରେ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ବରାଦରେ ଏହି ପାର୍କ ନିର୍ମାଣ ହୋଇଥିଲା । ହେଲେ ପାର୍କ ବର୍ତ୍ତମାନ ଶୋଚନୀୟ ଅବସ୍ଥାରେ ପଡି ରହିଛି । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ଲକ୍ଷ ଲକ୍ଷ ଟଙ୍କାକୁ ବ୍ୟକ୍ତିଗତ ଭାବେ ଲାଭ ଉଠାଉଛନ୍ତି ଲାଭଖୋର ଲୋକ । ବାହାରେ ସବୁବେଳେ ତାଲା ଝୁଲୁଥିବା ବେଳେ ଭିତରେ କିନ୍ତୁ ବିରି ଚାଷ ହେଉଛି। ଏଥିସହିତ ଆମୋଦ ପ୍ରମୋଦ ନିମନ୍ତେ ଲଗା ଯାଇଥିବା ଖେଳ ସାମଗ୍ରୀ ଗୁଡିକ ମଧ୍ୟ ଅକାମୀ ହୋଇ ପଡି ରହିଛି। ସେହିପରି ଲଗା ଯାଇଥିବା ବିଭିନ୍ନ ଗଛ ଗୁଡ଼ିକର ଅବସ୍ଥା ବି ଶୋଚନୀୟ ହୋଇପଡ଼ିଛି ।
ତେବେ ପାର୍କ ନିର୍ମାଣର କିଛି ଦିନ ନ ଯାଉଣୁ ତାହା ରକ୍ଷଣା ବେକ୍ଷଣ ଅଭାବରୁ ପରିତ୍ୟକ୍ତ ହୋଇ ପଡ଼ିଛି। "ଗ୍ରାମାଞ୍ଚଳରେ ସହରୀ ସୁବିଧା" ଉପଲବ୍ଧ କରାଇବା ପାଇଁ ସରକାରଙ୍କ ଏହି ବହୁମୁଖୀ "ଆମ ଗାଁ ଉଦ୍ୟାନ ବା ସ୍ମାର୍ଟ ପାର୍କ"ର ପରିକଳ୍ପନା ସୂଦୁରପ୍ରସାରୀ ହୋଇ ଏଥିରେ ଅନ୍ୟୂନ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ବରାଦ ହୋଇଥିଲା । ଲକ୍ଷ୍ୟ ଥିଲା ଗାଁଲୋକେ ଅବସର ଚିତ୍ତଵିନୋଦନ ପାଇଁ ସକାଳ ସଞ୍ଜରେ ଏହି ଉଦ୍ୟାନରେ ବୁଲି ସମୟ ନିର୍ବାହ କରିବେ। ଏମିତିକି ଗାଁର ଛୋଟ ଛୋଟ ପିଲାମାନେ ବି ବହୁ ଆଧୁନିକ ଖେଳ ଉପକରଣର ମଜା ନେଇପାରିବେ।