କେନ୍ଦ୍ରାପଡ଼ା: କୋଭିଡ ମହାମାରୀ ଅନେକଙ୍କ ଜୀବନ ଛଡାଇ ନେଇଥିବା ବେଳେ ଜୀବିକା ପାଇଁ ଅନେକ କରୁଛନ୍ତି ସଂଘର୍ଷ । ତେବେ ଜଣେ ଦୃଷ୍ଟିବାଧିତ ହୋଇ ମଧ୍ୟ କେବେ କାହା ପାଖରେ ହାତ ପାତିନଥିବା ଦିବ୍ୟାଙ୍ଗ ଆଦିତ୍ୟଙ୍କ ପାଇଁ ଲକଡାଉନ ପାଲଟିଛି ଅଭିଶାପ । ଏ ଦୃଶ୍ୟ ହେଉଛି କେନ୍ଦ୍ରାପଡା ତିନିମୁହାଣୀ ସରକାରୀ ଜମିରେ ଘର କରି ରହୁଥିବା ଆଦିତ୍ୟ ପ୍ରସାଦ ମଲ୍ଲିକ ଓ ତାଙ୍କ ପରିବାରର ।
ପରିବାର କହିଲେ ସ୍ତ୍ରୀ ଓ ୩ବର୍ଷର ପୁଅ । କେନ୍ଦ୍ରାପଡ଼ା ସହରର ତିନିମୁହାଣୀ,ବସଷ୍ଟାଣ୍ଡ,ସାନ୍ତସାହି,କାକଟ ଆଦି ଅଞ୍ଚଳରେ ଦୈନିକ ଖବରକାଗଜ ବିକ୍ରି କରି ଗୁଜୁରାଣ ମେଣ୍ଟାଉଥିଲେ ଆଦିତ୍ୟ । ତେବେ କୋରୋନାର ଦ୍ଵିତୀୟ ଲହରକୁ ଦୃଷ୍ଟିରେ ରଖି ଗତ ୫ତାରିଖରେ ପ୍ରଥମ ପର୍ଯ୍ୟାୟ ଲକଡାଉନ ଓ ୨୦ତାରିଖରେ ଦ୍ଵିତୀୟ ପର୍ଯ୍ୟାୟ ଲକଡାଉନ ପାଇଁ ଦୋକାନ ବଜାର ବନ୍ଦ ରହିଥିବାରୁ ଖବର କାଗଜ ବିକ୍ରି ସମ୍ଭବପର ହୋଇପାରୁନାହିଁ । ଘରେ ଚୁଲି ଜଳିବା ମୁସ୍କିଲ ହୋଇ ପଡିଛି ଆଦିତ୍ୟଙ୍କ ପରିବାର ପାଇଁ ।