ଓଡିଶା

odisha

By

Published : Aug 17, 2023, 4:30 PM IST

ETV Bharat / state

ବଳଦେବଜୀଉ ରଥଯାତ୍ରାରେ ବିଳମ୍ବରେ ପହଣ୍ଡି ଘଟଣା: ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ

ବଳଦେବଜୀଉ ମନ୍ଦିରରେ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ସେପଟେ ପ୍ରଶାସନ ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି ସେବାୟତ । ଅଧିକ ପଢନ୍ତୁ

ବଳଦେବଜୀଉ ମନ୍ଦିର ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ
ବଳଦେବଜୀଉ ମନ୍ଦିର ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ

ବଳଦେବଜୀଉ ମନ୍ଦିର ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ

କେନ୍ଦ୍ରାପଡ଼ା:ପାଉଣା ବଦଳରେ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯାଇଛି । ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ରଥଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ବିଳମ୍ବରେ ପହଣ୍ଡି କରାଯାଇଥିବା ଅଭିଯୋଗ ରହିଥିଲା । ତେଣୁ ଶ୍ରୀ ବଳଦେବଜୀଉ ଦେବୋତ୍ତର ବିଭାଗ ପକ୍ଷରୁ ପାଳିଆ ପଣ୍ଡା ଓ ବିଜେ ପଣ୍ଡାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଯେଉଁଥିପାଇଁ ସେବାୟତ ମହଲରେ ଏକ ବିକ୍ଷୋଭ ଦେଖାଯାଇଛି । ସେବାୟତଙ୍କ ଅଭିଯୋଗ ଅନୁଯାୟୀ, ଜିଲ୍ଲା ପ୍ରଶାସନକୁ ପ୍ରସ୍ତୁତି ବୈଠକ ସମୟରୁ ପ୍ରବଳ ଗ୍ରୀଷ୍ମପ୍ରବାହ ଓ ଟାଣଖରାକୁ ଦୃଷ୍ଟିରେ ରଖି ପହଣ୍ଡିବେଳେ ଗାଲିଚା କିମ୍ବା ଅନ୍ୟ ବ୍ୟବସ୍ଥା କରାଯିବା ପାଇଁ ଅନୁରୋଧ କରାଯାଇଥିଲା ।

ବଳଦେବଜୀଉ ମନ୍ଦିର ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ

ସେତେବେଳେ ପ୍ରଶାସନ ରାଜି ହୋଇଥିବାବେଳେ ଘୋଷଯାତ୍ରା ଦିନ ଏସବୁ ବ୍ୟବସ୍ଥା ପ୍ରତି ପ୍ରଶାସନ ତିଳେ ହେଲେ ଧ୍ୟାନ ଦେଇନଥିଲେ । ଅନ୍ୟପଟେ ମଙ୍ଗଳାର୍ପଣ ସମୟ ବିଳମ୍ବ ହୋଇଥିବା କାରଣରୁ ପହଣ୍ଡିରେ ବିଳମ୍ବ ହୋଇଥିବା ଅଭିଯୋଗ କରିଛନ୍ତି ସେବାୟତ। ଏନେଇ ସେବାୟତ ବଳରାମ ପାଢୀ କହିଛନ୍ତି, "ନିଜ ଦୋଷକୁ ଘଉଡ଼ାଇବା ପାଇଁ ଦେବୋତ୍ତର ବିଭାଗ ପାଉଣା ବଦଳରେ ପ୍ରତାରଣା କରିଛି । ସେବାୟତଙ୍କ ପକ୍ଷରୁ କାରଣ ଦର୍ଶାଅ ନୋଟିସର ଜବାବ ଦିଆଯିବା ସହ ପହଣ୍ଡି ସମୟର ପାଉଣା ପାଇଁ ଦାବି କରାଯିବ ।" ସେପଟେ ଦେବତ୍ତୋର ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ ପରେ ସେବାୟତଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି । ସହରର ଏକ ଘରୋଇ ମଣ୍ଡପରେ ଶତାଧିକ ବିଜେ ପଣ୍ଡା ମିଳିତ ହୋଇ ପ୍ରଶାସନର ଏହି କାରଣ ଦର୍ଶାଅ ନୋଟିସର ବିରୋଧ କରିଥିବା ଦେଖିବାକୁ ମିଳିଛି । ମହାପ୍ରଭୁଙ୍କ ବର୍ଷ ବର୍ଷର ପରମ୍ପରା ଭଙ୍ଗ କରିଥିବା ନେଇ ଯେଉଁ ଅଭିଯୋଗ ଅଣାଯାଇଛି ସେନେଇ ଯୁକ୍ତି ବାଢ଼ିଛନ୍ତି ସେବାୟତ ।

ଏହା ବି ପଢନ୍ତୁ...ଶେଷ ହୋଇପାରୁନି ବଳଦେବଜୀଉ ମନ୍ଦିର ବିକାଶ କାର୍ଯ୍ୟ, କଲ୍ୟାଣ ମଣ୍ଡପ ହସ୍ତାନ୍ତର ନେଇ ଅସନ୍ତୋଷ

ଗତବର୍ଷ ମଧ୍ୟ ନୀତିକାନ୍ତିରେ ବିଭ୍ରାଟ ହୋଇଥିବାବେଳେ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବାକୁ ୪ ଦିନ ସମୟ ଲାଗିଥିଲା । ସେତେବେଳେ "କେତେ ଜଣଙ୍କୁ ଦେବୋତ୍ତର ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା ?" ବୋଲି ପ୍ରଶ୍ନ କରିଛନ୍ତି ସେବାୟତ । ଏନେଇ ବଳଦେବଜୀଉ ମନ୍ଦିର ଦେବୋତ୍ତର ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ସେ କ୍ୟାମେରା ସାମ୍ନାରେ ମୁହଁ ଖୋଲିନଥିବାବେଳେ ପହଣ୍ଡି ବିଳମ୍ବକୁ ନେଇ ୩ ଜଣ ପାଳିଆ ପଣ୍ଡା ଓ ୮ ଜଣ ବିଜେପଣ୍ଡାଙ୍କୁ ନୋଟିସ ଜାରି କରାଯାଇଛି । ଏଥିରେ ସେମାନଙ୍କ ସମ୍ମାନ କ୍ଷୁର୍ଣ୍ଣ ହେବା ଭଳି କୌଣସି କଥା ଲେଖାଯାଇନଥିବା ସୂଚନା ଦେଇଛନ୍ତି । ଯେହେତୁ ଦେବୋତ୍ତର ବିଭାଗ କମିଟିରେ ଏହି ଘଟଣା ବିଚାରାଧୀନ ରହିଛି ତେଣୁ ଏହା ଉପରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ନିର୍ବାହୀ ଅଧିକାରୀ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ABOUT THE AUTHOR

...view details