କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ 80 ବର୍ଷୀୟ ବୃଦ୍ଧାଙ୍କୁ ଦୁଷ୍କର୍ମ ଘଟଣା । ଅଭିଯୁକ୍ତକୁ ଗିରଫ ଦାବିରେ ଥାନା ଅଧିକାରୀଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କଲେ ଶକ୍ତି ସ୍ୱରୂପା ମହିଳା ମହାସଂଘର ସଦସ୍ୟା । ବୃଦ୍ଧାଙ୍କ ଝିଅ ମଧ୍ୟ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିବା ବେଳେ ଏପର୍ଯ୍ୟନ୍ତ ଅଭିଯୁକ୍ତକୁ ଗିରଫ କରିବାରେ ପୋଲିସ ବିଫଳ ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଗତ ବୁଧବାର ପହିଲି ରଜରେ ୮୦ ବର୍ଷୀୟା ବୃଦ୍ଧା ତାଙ୍କ ଝିଅ ଘରକୁ ପିଠା ଓ ଫଳମୂଳ ଧରି ଘରୁ ବାହାରିଥିଲେ । ଅଟୋକୁ ଅପେକ୍ଷା କରି ସେ ରାସ୍ତାରେ ଛିଡା ହୋଇଥିବା ବେଳେ ଜଣେ ଯୁବକ ବୃଦ୍ଧାଙ୍କୁ ଝିଅ ଘରେ ଛାଡି ଦେବାକୁ କହି ବାଇକରେ ବସାଇଥିଲେ । କିଛି ବାଟ ଯିବା ପରେ ଯୁବକ ଜଣଙ୍କ ବାଇକଟିକୁ ଗ୍ରାମାଞ୍ଚଳ ଥାନା ଠାରୁ ମାତ୍ର ୩୦୦ମିଟର ଦୂରରେ ଥିବା ଏକ ନିଛାଟିଆ ସ୍ଥାନ ପୋଲ ନିକଟରେ ଅଟକାଇବୃଦ୍ଧାଙ୍କୁ ଦୁଷ୍କର୍ମ କରିବା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ।
ଏହା ମଧ୍ୟ ପଢନ୍ତୁ-ସୀମା ଟପୁଛି ପାଶବିକତା, ଲିପ୍ଟ ଦେବା ବାହାନାରେ 80 ବର୍ଷୀୟ ବୃଦ୍ଧାଙ୍କୁ ଦୁଷ୍କର୍ମ
ଏହାପରେ ବୃଦ୍ଧା ଜଣଙ୍କ ପୋଲ ଉପରକୁ ଆସି ସ୍ଥାନୀୟ ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ସ୍ଥାନୀୟ ଲୋକେ ବୃଦ୍ଧାଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସା ଜାରି ରହିଥିବା ବେଳେ ପୋଲିସ ଖବର ପାଇ ମେଡିକାଲରେ ପହଞ୍ଚିଥିଲା। ଏହାପରେ ବୃଦ୍ଧାଙ୍କ ବୟାନ ରେକର୍ଡ କରିଥିଲା ପୋଲିସ । ଦୁଷ୍କର୍ମକାରୀକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଗିରଫ କରିବାରେ ସଫଳ ହୋଇନାହିଁ ।
ଏହା ମଧ୍ୟ ପଢନ୍ତୁ-କଳାହାଣ୍ଡିରେ ଲଜ୍ଜା, ବୃଦ୍ଧାକୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଗିରଫ
ଅନ୍ୟପଟେ ଅସହାୟ ପୀଡ଼ିତା ବୃଦ୍ଧାଙ୍କୁ ନ୍ୟାୟ ଦେବା ଓ ଅଭିଯୁକ୍ତକୁ ଗିରଫ ଦାବି କରି ସ୍ଥାନୀୟ ଶକ୍ତି ସ୍ୱରୂପା ମହିଳା ମହାସଂଘ ପକ୍ଷରୁ ଥାନା ଅଧିକାରୀଙ୍କୁ ଏକ ଲିଖିତ ଦାବିପତ୍ର ଦିଆଯାଇଛି । ପୂର୍ବରୁ ବୃଦ୍ଧାଙ୍କ ଝିଅ ମଧ୍ୟ ଗ୍ରାମାଞ୍ଚଳ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ । ତେବେ ଖୁବ ଶୀଘ୍ର ଅଭିଯୁକ୍ତ ଯୁବକକୁ ଗିରଫ କରାନଗଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରି ଆଇନକୁ ହାତକୁ ନେବେ ବୋଲି ଚେତାବନୀ ଦେଇଛନ୍ତି ମହିଳା ମହାସଂଘର ସଦସ୍ୟା। ସମ୍ପୃକ୍ତ ଅଭିଯୁକ୍ତକୁ ପୋଲିସ କାବୁ କରି କଠୋରରୁ କଠୋର ଦଣ୍ଡରେ ଦଣ୍ଡିତ କରୁ ବୋଲି ସାଧାରଣରେ ଦାବି ହୋଇଛି । ଖାଲି ଦେଖିବାକୁ ବାକି ରହିଲା କେବେ ଗିରଫ ହେଉଛି ଅଭିଯୁକ୍ତ ।
ଇଟିଭି ଭାରତ, କେନ୍ଦ୍ରାପଡା