କେନ୍ଦ୍ରାପଡା: ଯୁବ ବ୍ୟବସାୟୀ ତଥା ତିନିମୁହାଣୀ ବଜାର କମିଟି ସଭାପତି ବିବେକାନନ୍ଦ ମହାରଣା ଓରଫ ବାବୁଲିଙ୍କୁ ହତ୍ୟା ଉଦ୍ଦେଶ୍ୟରେ ଆସିଥିଲେ ଦୁର୍ବୃତ୍ତ । ହେଲେ ବାବୁଲିଙ୍କ ସୁରକ୍ଷା ଦାୟିତ୍ଵରେ ଥିବା ପୋଲିସ ସୁରକ୍ଷା କର୍ମୀଙ୍କ ଉପରେ ଗୁଳି ଚଳାଇ ଛୁ ମାରିଛନ୍ତି ଦୁଇ ଦୁର୍ବୃତ୍ତ ।
ପିଏସଓଙ୍କ ଯୋଗୁଁ ବଞ୍ଚିଗଲା ବ୍ୟବସାୟୀଙ୍କ ଜୀବନ ସୂଚନା ଅନୁଯାୟୀ, ବୁଧବାର ଅପରାହ୍ନ ୧ଟା ସମୟରେ ବାବୁଲି ସଦର ଥାନା ଅଧିନ ବାରିମୂଳ ବଢ଼େଇ ସାହିସ୍ଥିତ ନିଜ ଟ୍ରାକ୍ଟର ଶୋରୁମରେ ଥିବା ବେଳେ ଦୁଇଜଣ ଯୁବକ ଏକ ମୋଟର ସାଇକେଲରେ ଆସି ତାଙ୍କୁ ଦେଖା କରିବା ପାଇଁ ସୁରକ୍ଷା କର୍ମୀଙ୍କୁ କହିଥିଲେ । ସୁରକ୍ଷା କର୍ମୀ ସେମାନଙ୍କୁ ପରିଚୟ ପଚାରିବାରୁ ଉକ୍ତ ଦୁଇ ଯୁବକ ତାଙ୍କ ସହ ବଚସା କରି ହଠାତ ବନ୍ଧୁକ ବାହାର କରି ସୁରକ୍ଷା କର୍ମୀ ମାନସ ମହାନ୍ତିଙ୍କ ଉପରକୁ ଗୁଳି ଚଳାଇଥିଲେ ।
ପ୍ରତି ଜବାବରେ ମାନସ ମଧ୍ୟ ସେମାନଙ୍କ ଉପରକୁ ଗୁଳି ଚଳାଇବାରୁ ଯୁବକ ଦୁଇଜଣ ବାଇକରେ ଖସି ପଳାଇବାରେ ସମର୍ଥ ହୋଇଥିଲେ । ଘଟଣା ସ୍ଥଳରେ କେନ୍ଦ୍ରାପଡ଼ା SP ପହଞ୍ଚି ପରିସ୍ଥିତି ଅନୁଧ୍ୟାନ ସହ ତଦନ୍ତ ଜାରି ରଖିଛନ୍ତି । ଅନ୍ୟପଟେ ଜିଲ୍ଲାର ସୀମାନ୍ତବର୍ତ୍ତୀ ଥାନା ମାନଙ୍କୁ ଆଲର୍ଟ କରାଯାଇଥିବା ବେଳେ ସୀମା ଗୁଡିକୁ ସିଲ କରାଯାଇଛି । ଏଥି ସହିତ ଭଦ୍ରକ, ଯାଜପୁର ଓ ଜଗତସିଂହପୁର ଏସପିଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଯାଇଥିବା କହିଛନ୍ତି କେନ୍ଦ୍ରାପଡ଼ା ଏସପି ।
ତେବେ ପୋଲିସ ମୁତୟନ କରିଥିବା ସୁରକ୍ଷା କର୍ମୀଙ୍କ ପାଇଁ ତାଙ୍କ ଜୀବନ ବଞ୍ଚିଯାଇଛି ଓ ଗତ ୨୦୧୯ ଜୁଲାଇ ୧୩ ତାରିଖରେ ବିବେକାନନ୍ଦଙ୍କ ଉପରେ ହୋଇଥିବା ଗୁଳିମାଡ଼ର ଏକମାତ୍ର ସାକ୍ଷୀକୁ ରାସ୍ତାରୁ ହଟାଇବା ପାଇଁ ଏହି ଗୁଳିକାଣ୍ଡ କରାଯାଇ ଥାଇପାରେ ବୋଲି କହିଛନ୍ତି ବିବେକାନନ୍ଦ ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ