କେନ୍ଦ୍ରାପଡା: ଜାନୁଆରୀ 8 ରୁ ଖୋଲିବ ସ୍କୁଲ । ଶହେ ଦିନ ପାଠପଢ଼ା ସହ ଦଶମ ଶ୍ରେଣୀ ପରୀକ୍ଷା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର । ସେପଟେ ଯେଉଁ ବିଦ୍ୟାଳୟରେ ଆବଶ୍ୟକୀୟ ଶିକ୍ଷକ ଶିକ୍ଷୟିତ୍ରୀ ନାହାନ୍ତି ସେଠାରେ କିପରି ପାଠପଢ଼ା ହେବ ଓ ପିଲାମାନେ କିପରି ପଢିବେ ସେନେଇ ଯୁକ୍ତି ବାଢ଼ିଛି OSSTA(ଓଷ୍ଟା)। ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଛାତ୍ରଛାତ୍ରୀ, ଅଭିଭାବକ ମହଲରେ ଆନନ୍ଦ କିନ୍ତୁ କମ ସଂଖ୍ୟକ ଶିକ୍ଷକ ଶିକ୍ଷୟିତ୍ରୀ ଥିବା ବିଦ୍ୟାଳୟ ଗୁଡିକରେ ପାଠପଢ଼ା ନେଇ ପ୍ରଶ୍ନ । ସ୍କୁଲ ଖୋଲିବା ନେଇ ପ୍ରସ୍ତୁତ ରହିଥିବା ଓ ସରକାରୀ sop ଅନୁଯାୟୀ ପାଠପଢା କରାଯିବ ବୋଲି କହିଛନ୍ତି କେନ୍ଦ୍ରାପଡ଼ା ବାଳିକା ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ।
ସେପଟେ OSSTA(ଓଷ୍ଟା)ର ଯୁକ୍ତି ଅନୁଯାୟୀ, ଏବେ ରାଜ୍ୟରେ ଆବଶ୍ୟକୀୟ ପରିମାଣରେ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ପାଇନଥିବା ବେଳେ ଏହି ପାଠପଢ଼ା କିପରି ସମ୍ଭବ ହେବ ? କେବଳ ସେତିକି ନୁହେଁ, ରବିବାର ବିଦ୍ୟାଳୟ ଖୋଲା ରହିଲେ ଏହା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମାନସିକତା ଉପରେ ପ୍ରଭାବ ପକାଇବ ଓ ଛାତ୍ରଛାତ୍ରୀମାନେ ମଧ୍ୟ ଅତ୍ୟଧିକ ଚାପଗ୍ରସ୍ତ ହେବେ ବୋଲି ସଙ୍ଘ କହିଛି । ବିଦ୍ୟାଳୟ ଖୋଲୁ କିନ୍ତୁ SOP ରେ ପରିବର୍ତ୍ତନ କରାଯାଉ ବୋଲି ଦାବି କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଓଷ୍ଟାର କାର୍ଯ୍ୟକାରୀ ସଭାପତି।