କେନ୍ଦ୍ରାପଡ଼ା: ଜିଲ୍ଲାରେ ବିପର୍ଯ୍ୟସ୍ତ ହୋଇ ପଡ଼ିଛି ପରିମଳ ବ୍ୟବସ୍ଥା । ରାସ୍ତାଘାଟ ସଫେଇ ନାଁରେ ରାଜକୋଷ ଶୂନ୍ୟ ହେବାକୁ ବସିଥିବାବେଳେ କୌଣସି କାର୍ଯ୍ୟ କରାଯାଉଥିବା ମନେ ହେଉନାହିଁ । ଠିକା କମ୍ପାନୀକୁ ଅନୁକମ୍ପା ଦେଖାଇ ୧୪ଟି ୱାର୍ଡ ଦାୟିତ୍ୱ ଦିଆଯାଇଥିଲେ ସୁଦ୍ଧା କେନ୍ଦ୍ରାପଡ଼ା ମ୍ୟୁନିସିପାଲଟିରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ରହିଛି । ଖାଲି ସେତିକି ନୁହେଁ, ସଫେଇ କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀଙ୍କୁ ସେଫ୍ଟି କିଟ୍ ମଧ୍ୟ ପ୍ରଦାନ କରାଯାଉନଥିବା ଅଭିଯୋଗ ହୋଇଛି ।
ରାଜ୍ୟର ସର୍ବ ପ୍ରଥମ ଓ ପୁରାତନ କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟିରେ ପରିମଳ ବ୍ୟବସ୍ଥା ଭୁଷୁଡ଼ି ପଡ଼ିଥିବାରୁ ନାହିଁ ନଥିବା ହନ୍ତସନ୍ତ ହେଉଛନ୍ତି ସ୍ଥାନୀୟ ଲୋକ । କେନ୍ଦ୍ରାପଡ଼ା ସହରର ରାସ୍ତା କଡରେ କୁଢ଼କୁଢ଼ ଆବର୍ଜନା ଏଣେତେଣେ ପଡ଼ି ରହିଥିବା ଦେଖିବାକୁ ମିଳିଛି । ୫ ବର୍ଷରୁ ଅଧିକ ସମୟ ହେଲା ପୌର ନିର୍ବାଚନ ବନ୍ଦ ରହିଥିବାରୁ ପୌର ପ୍ରଶାସନିକ ଅଧିକାରୀ ଏହାର ଫାଇଦ ଉଠାଉଥିବା ଅଭିଯୋଗ ହୋଇଛି । ଟେଣ୍ଡର ନାମରେ ବ୍ୟୟବରାଦ ବୃଦ୍ଧି କରାଯାଉଛି, ହେଲେ ଏହାର କୌଣସି ସୁଫଳ ଦେଖିବାକୁ ମିଳୁନାହିଁ । ବର୍ଷା ହେଲେ ଡ୍ରେନ ଗୁଡିକରେ ପାଣି ଭର୍ତ୍ତି ରାସ୍ତା ଉପରେ ନର୍ଦ୍ଦମା ପାଣି ଚାଲୁଛି ।
୨୦୧୬-୧୭ରେ କେନ୍ଦ୍ରାପଡ଼ାର ୧୦ରୁ ୨୧ନଂ ୱାର୍ଡର ସଫେଇ ପାଇଁ ଶେଖ୍ ମକସୁଦ ନାମକ ଜଣେ ବ୍ୟକ୍ତିଙ୍କୁ ଟେଣ୍ଡର ଦିଆଯାଇଥିଲା । ୩ଲକ୍ଷ ୮୫ହଜାର ଟଙ୍କାରେ ଦିଆଯାଇଥିଲା ଟେଣ୍ଡର । ତେବେ କମ୍ପାନୀର କର୍ମଚାରୀ ହିସାବରେ ଅର୍ଥ କମ୍ ହେଉଥିବା ଦର୍ଶାଇ ପରବର୍ତ୍ତୀ ସମୟରେ ଏହାକୁ ୯ ପ୍ରତିଶତ ବୃଦ୍ଧି କରି ୪ଲକ୍ଷ ୨୦ହଜାର କରାଯାଇଥିଲା । ୨୦୧୭-୧୮ରେ ମଧ୍ୟ ପରିମଳ ବ୍ୟବସ୍ଥା ପାଇଁ ସମ୍ପୃକ୍ତ ଠିକା କମ୍ପାନୀ ହାତକୁ ୮ ଓ ୯ ନଂ ୱାର୍ଡ ଦାୟିତ୍ବ ଦେଇ ଖର୍ଚ୍ଚ ବାବଦକୁ ୬ଲକ୍ଷ ୯ହଜାର ୫୦୦ଟଙ୍କା ଅନୁଦାନ ଦିଆଗଲା । ୨୦୧୭ ମସିହାରୁ ୨୦୨୦ ମସିହା ପର୍ଯ୍ୟନ୍ତ ଠିକାଦାର ଶେଖ୍ ମକସୁଦ୍ କାମ କରିବା ପାଇଁ ଚୁକ୍ତି କରିଥିଲେ । ତେବେ କେଉଁ ସ୍ୱାର୍ଥରେ ଅଧିକ ୧ଲକ୍ଷ ୮୯ ହଜାର ଟଙ୍କା ଟେଣ୍ଡର ବାବଦକୁ ବୃଦ୍ଧି କରାଗଲା ତାହାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି ।