ଓଡିଶା

odisha

ETV Bharat / state

ମଦ ବିକ୍ରି ପାଇଁ ପ୍ରୋତ୍ସାହନ: କେମିତି ଦେଖୁଛନ୍ତି ଆମ ନେତାଏ ? - assembly

ବିଧାନସଭା ଅବକାରୀ ବିଭାଗର ଷ୍ଟାଣ୍ଡିଂ କମିଟି ସୁପାରିସକୁ ନେଇ ସାରା ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା। ରାଜ୍ୟ ବିଧାନସଭାର ଷ୍ଟାଣ୍ଡିଂ କମିଟି ଅଧିକ ମଦ ବିକ୍ରି କରୁଥିବା ଦୋକାନୀକୁ ପୁରସ୍କୃତ କରିବା ପାଇଁ ହୋଇଥିବା ସୁପାରିସକୁ ନେଇ ଅଡୁଆରେ ପଡିଛି ଶାସକ ଦଳ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

By

Published : Jul 16, 2019, 11:26 AM IST

କେନ୍ଦ୍ରାପଡା: ଅଧିକ ମଦ ବିକ, ପୁରସ୍କାର ଜିତ । ନକଲି ମଦ ବିକ୍ରି କମାଇବା, ମଦମୃତ୍ୟୁ ରୋକିବା ସହ ରାଜ୍ୟ ରାଜସ୍ବ ବଢାଇବା ପାଇଁ ଏଭଳି ଏକ ସୁପାରିସ କରିଛି ଅବକାରୀ ଗୃହ କମିଟି । ଯାହାକୁ ନେଇ କିଛିଦିନ ହେଲା ରାଜ୍ୟ ରାଜନୀତିରେ ତୁମ୍ବିତୋଫାନ ଦେଖାଦେଇଛି । ରାଜ୍ୟ ସରକାର ମଦବିକ୍ରି ପାଇଁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ କରିଛନ୍ତି ବିରୋଧୀ । ବିଭିନ୍ନ ମହଲରେ ମଧ୍ୟ ଏହାକୁ କଡା ସମାଲୋଚନା କରାଯାଉଛି । ସଫେଇ ଦେଉଛି ଶାସକ ଦଳ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ପାଟକୁରା ନିର୍ବାଚନ ପାଇଁ ଡେରା ପକାଇଥିବା ଶାସକ ଦଳର ବହୁ ନେତା ଏବେ ଏହି ପ୍ରସଙ୍ଗକୁ ନେଇ ଅଡୁଆରେ ପଡୁଛନ୍ତି । କମିଟିର ଏପରି ସୁପାରିସକୁ ସିଧାସଳଖ ବିରୋଧ କରୁନଥିଲେ ମଧ୍ୟ ସମର୍ଥନ ବି ଦେଇ ପାରୁନାହାଁନ୍ତି । ପୂର୍ବତନ ଅବକାରୀ ମନ୍ତ୍ରୀ ତଥା କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି, ଏଭଳି ନିଷ୍ପତ୍ତି କେବେ ବି ହୋଇନଥିବ । ଚୋରାମଦକୁ ରୋକିବା ପାଇଁ କ’ଣ ଗୋଟିଏ ସୁପାରିସ କରିଥିବେ । ତେବେ ବିଧାନସଭା ଗୃହ କମିଟିର ସମସ୍ତ ସୁପାରିସକୁ ରାଜ୍ୟ ସରକାର ମାନିବାକୁ ବାଧ୍ୟ ନୁହେଁ ବୋଲି ସେ କହିଛନ୍ତି । ଲୋକଙ୍କ ପାଇଁ ଯାହା ମଙ୍ଗଳମୟ ହେବ, ତାହା ସରକାର କରିବେ ବୋଲି କହିଛନ୍ତି ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ।

ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ କହିଛନ୍ତି, ଏଭଳି କୌଣସି ପ୍ରକାର ସୁପାରିଶ ବିଷୟରେ ସେ ଜାଣିନାହାନ୍ତି। ଯଦି ଏଭଳି କିଛି ସୁପାରିସ ହୋଇଥାଏ, ତେବେ ଏହା ଅତି ସମ୍ବେଦନଶୀଳ ବିଷୟ। ସେପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ କହିବା କଥା ହେଲା, ବିଜେଡି-ବିଜେପି ଦୁଇଭାଇ । ସେମାନେ ମଦ ଓ ମଦୁଆଙ୍କୁ ପ୍ରୋତ୍ସାହନ ଦିଅନ୍ତି। ଓଡ଼ିଶାରେ ମଦର ବହୁଳ ଭାବରେ ବିକ୍ରିଯୋଗୁଁ ଅପରାଧ ବଢୁଥିବା କହିଛନ୍ତି ନରସିଂହ ।

ସୂଚନାଯୋଗ୍ୟ, ବିଜେଡିର ରଘୁନାଥପଲ୍ଲୀ ବିଧାୟକ ତଥା ବିଧାନସଭା ଅବକାରୀ ଗୃହ କମିଟିର ମୁଖ୍ୟ ସୁବ୍ରତ ତରାଇଙ୍କ ତତ୍ତ୍ୱାବଧାନରେ ଏହି ସୁପାରିସ କରାଯାଇଥିଲା । କମିଟିରେ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ ଥିବା ବେଳେ ବିଜେପିର ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ଜଷିପୁର ବିଧାୟକ ଗଣେଶ ଖୁଣ୍ଟିଆ ସଦସ୍ୟ ଅଛନ୍ତି। ଏଥିସହ ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଓ ଚନ୍ଦ୍ରସାରଥୀ ବେହେରା ମଧ୍ୟ ସଦସ୍ୟ ଅଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details