କେନ୍ଦ୍ରାପଡ଼ା: ବକେୟା ପ୍ରଦାନ ଦାବିରେ ରାଜରାସ୍ତାକୁ ଓହ୍ଲାଇଲା ଡିଲର ସଂଘ। ଆଜି କେନ୍ଦ୍ରାପଡା ଜିଲ୍ଲାରେ କାର୍ଯ୍ୟ କରୁଥିବା ପ୍ରାୟ ୪୦୦ ଡିଲର ଗରାପୁରଠାରୁ ପଦଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନାରାବାଜି କରିଥିବା ଦେଖିବାକୁ ମିଳିଛି। "କେନ୍ଦ୍ର ସରକାର ଦେଇଛନ୍ତି ହେଲେ ରାଜ୍ୟ ସରକାର ଦେଉନାହାନ୍ତି" ବୋଲି ଡିଲରମାନଙ୍କର ଅଭିଯୋଗ ରହିଛି। ଦୀର୍ଘ ୨୮ ମାସ ହେବ ପାରିଶ୍ରମିକ ନପାଇ ହନ୍ତସନ୍ତ ହେଉଥିବା ସେମାନେ କହିଛନ୍ତି। ଗ୍ରାମାଞ୍ଚଳରେ ଲୋକମାନଙ୍କ ପାଖରେ ଚାଉଳ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଆସୁଥିବା ଶହଶହ ଡିଲର ନିଜର ପ୍ରାପ୍ୟ ପାଇବା ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି।
ପ୍ରତି କ୍ୱିଣ୍ଟାଲ ଚାଉଳ ବାଣ୍ଟିବା ପାଇଁ ୭୦ ଟଙ୍କା ହିସାବରେ ମାସକୁ ୬ରୁ ୭ ହଜାର ଟଙ୍କା କେନ୍ଦ୍ର ଦେଉଥିବାବେଳେ ରାଜ୍ୟ ସରକାର ଦେଉନଥିବା ଅଭିଯୋଗ କରିଛନ୍ତି ଡିଲର। ଏନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ଦଫା ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଦାନ କରିଛି ଡିଲର ସଂଘ । AIFPSDF(All India Fair Price Shop Dealer's Federation) ପକ୍ଷରୁ ଗତ ୩୦ ତାରିଖରେ ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଡିଲରମାନଙ୍କ ହକ୍ ପ୍ରାପ୍ୟ ପାଇବା ପାଇଁ ପ୍ରତ୍ୟେକ ଜିଲ୍ଲାପାଳଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ ପାଇଁ ସ୍ଥିର କରାଯାଇଥିଲା।
କେନ୍ଦ୍ର ସରକାର ଅର୍ଥରାଶି ଦେଉଥିବାବେଳେ ରାଜ୍ୟ ସରକାର ଦେବାକୁ କୁଣ୍ଠାବୋଧ କାହିଁକି କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଡିଲର। ସେମାନଙ୍କ ଦାବି ଅନୁଯାୟୀ, ରାଜ୍ୟରେ କାର୍ଯ୍ୟରତ ରିଟେଲରମାନଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା(PMGKAY) ବଣ୍ଟନ ବାବଦକୁ ବକେୟା ରହିଥିବା ୨୮ ମାସର ପାରିଶ୍ରମିକ, ଇ-ପୋସ ମେସିନର ବ୍ୟାବହାରିକ ଖର୍ଚ୍ଚ, ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ବଣ୍ଟନ ବାବଦକୁ ଖର୍ଚ୍ଚ, ଫେରସ୍ତ ଅଖାର ମୂଲ୍ୟ ତତ୍କାଳୀନ ପ୍ରଦାନ ଦାବି ହୋଇଛି।