ଓଡିଶା

odisha

ETV Bharat / state

ବହୁମୁଖୀ ଯୋଜନା ଫେଲ, ପ୍ରକୃତ ହିତାଧିକାରୀଙ୍କ ପେଟରେ ଲାତ - ration card problem in kendrapara

ଲକଡାଉନ ସମୟରେ ସମସ୍ୟାରେ ଜୁଝି ହେଉଛନ୍ତି ପ୍ରକୃତ ହିତାଧିକାରୀ । ମହାମାରୀ କୋରୋନା ସମୟରେ ଲକଡାଉନରେ ଗରିବ ଶ୍ରେଣୀର ଲୋକମାନଙ୍କୁ ତିନି ମାସର ଅଗ୍ରୀମ ରାସନ ଜିନିଷ ସାଙ୍ଗକୁ ରିଲିଫ ବାବଦୀୟ ମୁଣ୍ଡପିଛା ୫ କେଜି ଚାଉଳ ଓ ୧ କେଜି ଡାଲି ପାଇବାରୁ ବଞ୍ଚିତ କେନ୍ଦ୍ରାପଡା ମହାକାଳପଡାର 10 ରୁ ଉର୍ଦ୍ଧ୍ବ ପରିବାର। ଦେଖନ୍ତୁ ଇଟିଭି ଭାରତର ସ୍ପେସିଆଲ ରିପୋର୍ଟ...

ବହୁମୁଖୀ ଯୋଜନା ଫେଲ, ପ୍ରକୃତ ହିତାଧିକାରୀଙ୍କ ପେଟରେ ଲାତ
ବହୁମୁଖୀ ଯୋଜନା ଫେଲ, ପ୍ରକୃତ ହିତାଧିକାରୀଙ୍କ ପେଟରେ ଲାତ

By

Published : Jun 22, 2020, 2:19 PM IST

Updated : Jun 22, 2020, 3:10 PM IST

କେନ୍ଦ୍ରାପଡା: ଲକଡାଉନ ସମୟରେ କେହି ଭୋକିଲା ରହିବେନି । ସମସ୍ତଙ୍କୁ ଯୋଗାଇ ଦିଆଯିବ ରାସନ ସାମଗ୍ରୀ । ଏପରି କିଛି ଲକ୍ଷ୍ୟ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ଆଣିଛନ୍ତି ପୁଳା ପୁଳା ଯୋଜନା । ହେଲେ ପ୍ରକୃତ ହିତାଧିକାରୀ ସୁଫଳ ପାଇବାରୁ ବଞ୍ଚିତ । ଆମେ କହୁଛୁ କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତର ୬ ନଂ ୱାର୍ଡ ବାସିନ୍ଦାଙ୍କ କଥା।

ବହୁମୁଖୀ ଯୋଜନା ଫେଲ, ପ୍ରକୃତ ହିତାଧିକାରୀଙ୍କ ପେଟରେ ଲାତ

ସ୍ଥାନୀୟ ମାତୃ କଲ୍ୟାଣ ସ୍ବୟଂ ସହାୟକ ଗୋଷ୍ଠୀ ଏହି ୱାର୍ଡ ବାସିନ୍ଦାଙ୍କୁ ପୂର୍ବରୁ ରାସନ ସାମଗ୍ରୀ ଯୋଗାଉଥିବା ବେଳେ ଏବେ ବିଭିନ୍ନ ଆଳ ଦେଖାଇ କାର୍ଡ କାଟି ଦେଇଥିବା ଅଭିଯୋଗ ହୋଇଛି । ସରକାରଙ୍କ ଗାଇଡଲାଇନ ଅନୁଯାୟୀ ଯେଉଁମାନେ ପ୍ରଧାନମନ୍ତ୍ରୀ ଆବାସ ଅଥବା ବିଜୁ ପକ୍କାଘର ପାଇଥିବେ ସେମାନଙ୍କର କାର୍ଡ କଟାଯିବ ନାହିଁ ବୋଲି ଗାଇଡ଼ଲାଇନରେ ସ୍ପଷ୍ଟ ଉଲ୍ଲେଖ ରହିଛି । ତେବେ କିଏ ଓ କେଉଁ ଉଦ୍ଦେଶ୍ୟରେ ଗରିବ ଶ୍ରେଣୀୟ ଶ୍ରମିକ ମାନଙ୍କର କାର୍ଡ କାଟିଛି ତାହା ସମୟ କହିବ।

ସେପଟେ 75 ବର୍ଷୀୟ କୁସୁମ ମଣ୍ଡଳ ନାମକ ଜଣେ ନିରାଶ୍ରୟ ମହିଳା ସରକାରୀ ରାସନକୁ ଚାହିଁ ଚାହିଁ ଆଖିରୁ ପାଣି ଶୁଖିଲାଣି । ସେହିପରି ବାସନ୍ତୀ ନାୟକ ନାମକ ଜଣେ ସ୍ବାମୀ ପରିତ୍ୟକ୍ତା ମହିଳା ନିଜ ଝିଅକୁ ଧରି ବାପ ଘର ଜାଗାରେ ପଡି ରହିଥିଲେ ମଧ୍ୟ ରାସନ କାର୍ଡ ଓ ଏଥିରୁ ମିଳୁଥିବା ସାମଗ୍ରୀ ଏମାନଙ୍କ ପାଇଁ ସାତସପନ ପାଲଟିଛି।

ଏନେଇ ସ୍ଥାନୀୟ ଲୋକେ ବାରମ୍ବାର ଡିଲର, ସରପଞ୍ଚ, ବିଡ଼ିଓ ଓ ଜିଲ୍ଲାପାଳଙ୍କୁ ଭେଟି ଲିଖିତ ଅଭିଯୋଗ ଓ ରାସନ କାର୍ଡ ଯୋଗାଇଦେବା ପାଇଁ ଅନୁରୋଧ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରୁ ନାହିଁ । ସେପଟେ ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀଙ୍କୁ ଏବିଷୟରେ ପଚରା ଯିବାରୁ ସେ ଏହା ବିଷୟରେ ଜାଣିନାହାନ୍ତି ବୋଲି କହିଛନ୍ତି । ରାଜ୍ୟ ସରକାରଙ୍କର ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ବର୍ତ୍ତମାନ ନୂଆ ପଞ୍ଜୀକରଣ ଚାଲୁ ରହିଛି ତେଣୁ ସେମାନେ ନୂତନ ଭାବରେ ଆବେଦନ କରିପାରିବେ । ଯୋଗ୍ୟ ହିତାଧିକାରୀ ଚୟନ କରାଯାଇ ପ୍ରତ୍ୟେକ ସପ୍ତାହରେ ନୂତନ ହିତାଧିକାରୀଙ୍କ ଚାଉଳ ଉଠାଣ ଏବଂ ରିଲିଫ ଟଙ୍କା ପ୍ରଦାନ କରାଯିବ ବୋଲି କହିଛନ୍ତି ଯୋଗାଣ ଅଧିକାରୀ ।

କେବେ ଉପକୂଳବର୍ତ୍ତୀ ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ୬ନଂ ୱାର୍ଡ ବାସିନ୍ଦାଙ୍କ ଦୁଃଖ ଦୂର ହେବ ଏବଂ କେବେ ଏମାନଙ୍କୁ ରାସନ କାର୍ଡ ମିଳିବ ଦେଖିବାକୁ ବାକି ରହିଲା ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Jun 22, 2020, 3:10 PM IST

ABOUT THE AUTHOR

...view details