କେନ୍ଦ୍ରାପଡ଼ା:ଅଦିନିଆ କୁହୁଡି, ବର୍ଷାର ଅଭାବ ଓ ଫସଲ କ୍ଷତିକାରୀ କୀଟ କେନ୍ଦ୍ରାପଡା ଜିଲ୍ଲାରେ ଉଜାଡ଼ି ଦେଲା ରବି ଫସଲ । ଯାହାକୁ ନେଇ ଏବେ ଚିନ୍ତାରେ ଚାଷୀ । ହଜାର ହଜାର ହେକ୍ଟର ଚାଷ ଜମିରେ ଫଳିଥିବା ମୁଗ ଓ ବିରି ଫସଲ ରୋଗ ପୋକର ଆହାର ପାଲଟି ଯାଇଛି । ଫଳରେ ରବି ଫସଲରୁ ଆର୍ଥିକ ଲାଭ ପାଇବା ନେଇ ସ୍ୱପ୍ନ ଦେଖିଥିବା ଚାଷୀ ଏବେ ଭାଗ୍ୟକୁ ନିନ୍ଦୁଛି ।
ତେବେ ଏହି ପୋକ ଲାଗିବା ପଛରେ ଦୁଇଟି କାରଣ ରହିଛି । ଅଦିନିଆ କୁହୁଡ଼ି ଯୋଗୁଁ ରବି ଫସଲରେ ପୋକ ଲାଗିଛନ୍ତି । ସେହିପରି ଦୀର୍ଘଦିନ ଧରି ବର୍ଷା ନହେବା ଏବଂ ଟାଣ ଖରା ରୋଗ ପୋକ ବଂଶବୃଦ୍ଧିରେ ସହାୟକ ହେଉଛି। ଅଦିନିଆ ବର୍ଷା ଏବଂ ପ୍ରଳୟଙ୍କରୀ ବନ୍ୟାରେ ଧାନଫସଲ ଉଜୁଡ଼ିଯିବା ପରେ ରବି ଫସଲରୁ କ୍ଷତିଭରଣା କରିବା ପାଇଁ ଲକ୍ଷ୍ୟ ରଖିଥିଲେ ଚାଷୀ । କିନ୍ତୁ ଏବେ ରବି ଫସଲରେ ବିନିଯୋଗ କରିଥିବା ମୂଳ ଧନ ପାଇବାର ଆଶା ବି ମଉଳି ଯାଇଛି ।