କେନ୍ଦ୍ରାପଡା:ନୀତି ଆୟୋଗ ରିପୋର୍ଟକୁ ନେଇ ପ୍ରଶ୍ନ ।ସଦ୍ୟ ପ୍ରକାଶିତ ନୀତି ଆୟୋଗ ରିପୋର୍ଟରେ ଦେଶରେ ଦାରିଦ୍ର୍ୟ କମିଛି । କେନ୍ଦ୍ରାପଡା ଜିଲ୍ଲାର ସ୍ଥିତି ନୀତି ଆୟୋଗ ରିପୋର୍ଟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନୀତି ଆୟୋଗ ଦ୍ୱାରା ସଦ୍ୟ ପ୍ରକାଶିତ "ଜାତୀୟ ବହୁମୂଖୀ ଦାରିଦ୍ର୍ୟ ସୂଚୀ" ରିପୋର୍ଟରେ ରାଜ୍ୟର ୧୦ଟି ଜିଲ୍ଲାର ଗରିବୀ ହାର ୧୦%ରୁ କମ୍ ଥିବା ରିପୋର୍ଟକୁ ନେଇ ଦ୍ଵନ୍ଦ୍ୱ ଉପୁଜିଛି ।
ରିପୋର୍ଟରେ ଉପକୂଳ ଓଡ଼ିଶାର ପୁରୀ, ଗଞ୍ଜାମ, ଜଗତସିଂହପୁର, ଖୋର୍ଦ୍ଧା, କଟକ ସମେତ କେନ୍ଦ୍ରାପଡ଼ା ଜିଲ୍ଲାରେ ଗରିବ ଲୋକଙ୍କ ପ୍ରତିଶତ ୧୦ରୁ କମ୍ ଦର୍ଶା ଯାଇଥିବା ବେଳେ ଏହି ରିପୋର୍ଟକୁ ନେଇ ବୁଦ୍ଧିଜୀବୀ ତଥା କୃଷକ ନେତା ପ୍ରଶ୍ନ ଉଠାଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ଯୋଜନାରେ ପ୍ରାୟ ୧୨ ଲକ୍ଷ ହିତାଧିକାରୀ ରାସନ ସାମଗ୍ରୀ ପାଉଥିବା ବେଳେ ୨୦୧୧ ଜନଗଣନା ଅନୁଯାୟୀ ଏହି ହାର ୮୨.୯% ବୋଲି ସୂଚନା ମିଳିଛି । ଏହି ରିପୋର୍ଟ ପ୍ରସ୍ତୁତ କରି କେନ୍ଦ୍ରକୁ ପ୍ରଦାନ କରିଥିବା ଅଧିକାରୀ କେବେ ନିଜ କାର୍ଯ୍ୟାଳୟକୁ ନଆସି ଏଭଳି ଭ୍ରମାତ୍ମକ ରିପୋର୍ଟ ଦେଇଥିବା ଅଭିଯୋଗ କରିଛନ୍ତି ଚାଷୀ ନେତା ତଥା ବୁଦ୍ଧିଜୀବୀ ବିଧୁଭୂଷଣ ମହାପାତ୍ର । ଅନୁରୂପ ଭାବେ କେନ୍ଦ୍ରାପଡ଼ା ଜିଲ୍ଲାର ଯୋଗାଣ ଅଧିକାରୀଙ୍କ ରିପୋର୍ଟ ଏବେ ଚିନ୍ତାରେ ପକାଇଛି । ଜିଲ୍ଲାରେ NFSA (National Food Security Act) ଅଧୀନରେ ୨ ଲକ୍ଷ ୯୯ ହଜାର ୧୨୨ ଟି କାର୍ଡ ରହିଥିବା ବେଳେ SFSA (State Food Security Act) ଅଧିନରେ ୨୨ ହଜାର ୧୦୮ଟି କାର୍ଡ ରହିଛି । ଏହି ଅନୁପାତରେ NFSA ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ୧୧ ଲକ୍ଷ ୧୯ ହଜାର ୮୮୦ ଜଣ ଓ SFSA ଯୋଜନାରେ ୭୩ ହଜାର ୭୮୬ ଜଣ ହିତାଧିକାରୀ ରହିଛନ୍ତି । ଏହି କାର୍ଡଗୁଡିକ ୨୦୧୫ ସର୍ଭେ ଅନୁସାରେ ପ୍ରଦାନ କରାଯାଇଥିବା ବେଳେ କାଁ ଭାଁ ନକଲି ହିତାଧିକାରୀ ରହିଛନ୍ତି କିନ୍ତୁ ସାମଗ୍ରିକ ଭାବେ ଦେଖିଲେ ହିତାଧିକାରୀଙ୍କ ସଂଖ୍ୟା ସମ୍ପୂର୍ଣ୍ଣ ଠିକ ଥିବା କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ । ପ୍ରତିମାସରେ ଜିଲ୍ଲାରେ ୭୦ ହଜାର କ୍ୱିଣ୍ଟାଲ ଚାଉଳ ମାଗଣାରେ ବଣ୍ଟା ଯାଉଥିବା ସୂଚନା ଦେଇଛନ୍ତି ଅଧିକାରୀ ।