କେନ୍ଦ୍ରାପଡ଼ା: ରଣକ୍ଷେତ୍ର ପାଲଟିଛି ରାଜକନିକାର ଭାରିଗଦା ପଞ୍ଚାୟତ । ପୋଲିସ ଏବଂ ଜନତାଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧ କୌଣସି ଭୟଙ୍କର ବିଦ୍ରୋହ ଠାରୁ କମ ନୁହେଁ । ବିବାଦ ଆରମ୍ଭ ହୋଇଥିଲା ଗତ ବର୍ଷ ନଭେମ୍ବର ମାସ 6 ତାରିଖରେ । ଯାହା ଏବେ ମହାଭାରତର ରୂପ ନେଇଛି । ସେତେବେଳେ ଖରସ୍ରୋତା ନଦୀରେ ହେବାକୁ ଥିବା ମେଗା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରିଥିଲେ ସ୍ଥାନୀୟ କିଛି ପଞ୍ଚାୟତର ଲୋକେ । ଏହି ପ୍ରକଳ୍ପ ହେଲେ କେନ୍ଦ୍ରାପଡା ଜିଲ୍ଲାର ଆଳି ଓ ରାଜକନିକା ବ୍ଲକରେ ଥିବା ଚାଷ ଜମି ବ୍ୟାପକ କ୍ଷତିଗ୍ରସ୍ତ ହେବ ବୋଲି ସେମାନେ ଅଭିଯୋଗ କରିଥିଲେ ।
ଏହି ପ୍ରକଳ୍ପ ଦ୍ବାରା ମଧୁର ଜଳର ପରିମାଣ ହ୍ରାସ ପାଇବା ଆଶଙ୍କା ଏବଂ ଜୀବନ ଓ ଜୀବିକା ପ୍ରଭାବିତ ହେବାର ସମ୍ଭାବନା ଥିବାରୁ ରାଜ୍ୟର ତୁଙ୍ଗ ନେତାମାନେ ଏହି ପ୍ରକଳ୍ପକୁ ବିରୋଧ କରି ବିଶାଳ ଜନସମାବେଶର ଆୟୋଜନ କରିଥିଲେ। ଏହାର ଠିକ କିଛିଦିନ ପରେ ଭିତରକନିକା ଇକୋ ସେନସିଟିଭ ଜୋନ ମନିଟରିଂ କମିଟିର ବୈଠକ କରାଯାଇଥିଲା । ଯେଉଁଥିରେ ଏହି ପ୍ରକଳ୍ପ ପାଇଁ ସହମ୍ମତି ନହୋଇଥିଲା । ତଥାପି ଚଞ୍ଚକତା କରି ପ୍ରଶାସନର ବଳରେ ସେଠାରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା । ତେଣୁ, ପୁନର୍ବାର ବାଳକାଟି, ଭାରିଗଦା ଓ ବାରୁଣାଡ଼ିହା ପଞ୍ଚୟତର ହଜାର ହଜାର ଜନସାଧାରଣ ଆନ୍ଦୋଳନ କରି କଟକ-ଚାନ୍ଦବାଲି ରାଜ୍ୟ ରାଜପଥକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖିଛନ୍ତି ।