କେନ୍ଦ୍ରାପଡା:ଫାର୍ମାସିଷ୍ଟଙ୍କ ଭରସାରେ ଲକ୍ଷାଧିକ ରୋଗୀ । ଡାକ୍ତରଖାନା ଅଛି ହେଲେ ଚିକିତ୍ସା ପାଇଁ ନାହାଁନ୍ତି ଡାକ୍ତର । ଫାର୍ମାସିଷ୍ଟ କରୁଛନ୍ତି ଚିକିତ୍ସା । ଏହି ଡାକ୍ତରଖାନାକୁ ନିର୍ଭର କରନ୍ତି 15 ପଞ୍ଚାୟତର ଲୋକେ। କିନ୍ତୁ ଆଜି ଯାଏଁ ଖାଲି ପଡିଛି ଡାକ୍ତର ପଦବୀ । ଏନେଇ ଆଜିକୁ 6ଷ୍ଠ ଦିନରେ ପହଞ୍ଚିଛି ଡାକ୍ତର ନିଯୁକ୍ତି ଦାବି । ଅନ୍ୟପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ନିଯୁକ୍ତି ସମ୍ପର୍କରେ ନୋ କମେଣ୍ଟସ୍ କହି ଏଡାଇ ଯାଇଥିବା ବେଳେ ଶକ୍ତିମନ୍ତ୍ରୀ ଯାହା ଅଛି ସେଥିରେ ଖୁସି ହେବାକୁ କହି ଥିବା କଥାକୁ ନାପସନ୍ଦ କରିଛନ୍ତି ସ୍ଥାନୀୟ ଅଞ୍ଚଳର ଲୋକେ।
୧୯୫୦ ମସିହାର ହସ୍ପିଟାଲ ହେଲେ ରୋଗୀ ସେବା ପାଇଁ ନାହାନ୍ତି ଜଣେ ହେଲେ ଡାକ୍ତର । ଜଣେ ଫାର୍ମାସିଷ୍ଟଙ୍କ ଭରସାରେ ୭୩ ବର୍ଷର ଏହି ହସ୍ପିଟାଲ ଚାଲିଛି । ଅଭିଯୋଗ ଅନୁଯାୟୀ, କେନ୍ଦ୍ରାପଡ଼ା ରାଜକନିକା ବ୍ଲକର ମଧ୍ୟଭାଗରେ ଅବସ୍ଥିତ ଓଳାଭର ଠାରେ ଅବସ୍ଥିତ ଏହି ରାଧାନାଥ ରଥ ହସ୍ପିଟାଲ। ୧୯୫୦ ମସିହାରେ ସ୍ଥାନୀୟ ଲୋକଙ୍କ ସ୍ଵାସ୍ଥ୍ୟ ସେବା ପାଇଁ ସ୍ଥାନୀୟ ଲୋକେ ଜଣେ ବଙ୍ଗାଳୀ ଡାକ୍ତରଙ୍କୁ ନିଯୁକ୍ତି କରି ରାଧାନାଥ ରଥଙ୍କ ନାମରେ ଏହି ହସ୍ପିଟାଲ ନିର୍ମାଣ କରିଥିଲେ।
ପରବର୍ତ୍ତୀ ସମୟରେ ୧୯୯୦ ମସିହାରେ ପ୍ରବାଦ ପୁରୁଷ ତଥା ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ଏହି ଓଳାଭର ଅଞ୍ଚଳର ସ୍ୱାସ୍ଥ୍ୟ ସେବାର ଆବଶ୍ୟକତାକୁ ଉପଲବ୍ଧି କରି ଏହାକୁ ସରକାରୀ ଡାକ୍ତରଖାନାରେ ପରିବର୍ତ୍ତିତ କରିଥିଲେ। ଏହା ସହ ଏଠାରେ ୨୦ ଶଯ୍ୟା ବିଶିଷ୍ଟ ଏକ ହସ୍ପିଟାଲ ନିର୍ମାଣ କାର୍ଯ୍ୟ ପାଇଁ ଭିତ୍ତିଭୂମି ସ୍ଥାପନ କରି ସରକାରୀ ଡାକ୍ତର ନିଯୁକ୍ତ କରିଥିଲେ। ଜିଲ୍ଲାର ଦ୍ଵିତୀୟ ହସ୍ପିଟାଲ ନାମ ବହନ କରୁଥିବା ଏହି ରାଧାନାଥ ରଥ ହସ୍ପିଟାଲ ଉପରେ ଓଳାଭର,ଜାଗୁଳାଇପଡା, ପେଗରପଡା,ଲହୁଣି,ବାରହା ଦୋମଣ୍ଡା,ପାରି ନୂଆପଡା,ବଳରାମପୁର,ବରୁଣା,ବରୁଣାଡିହା,ନମତରା,ଦେଉଳତରା ଭଳି ୧୫ଟି ପଞ୍ଚାୟତର ଲକ୍ଷାଧିକ ଜନ ସାଧାରଣ ନିର୍ଭର କରିଥାନ୍ତି।
ତେବେ ଗତ କିଛି ବର୍ଷ ଧରି ଉକ୍ତ ହସ୍ପିଟାଲରେ ଡାକ୍ତରଙ୍କ ଅଭାବ ଦେଖିବାକୁ ମିଳିଛି। ପରୀକ୍ଷାଗାର, ଶଯ୍ୟା ଇତ୍ୟାଦି ଥିଲେ ମଧ୍ୟ ରୋଗୀମାନଙ୍କୁ ଏଠାରେ ଚିକିତ୍ସା ସୁବିଧା ମିଳୁନଥିବା ଦର୍ଶାଇ ସ୍ଥାନୀୟ ଅଞ୍ଚଳରେ ଜଣେ ଯୁବକ ତଥା ସାମାଜିକ କର୍ମୀ ସୁଶାନ୍ତ ନାୟକ ଆଜକୁ ୬ ଦିନ ହେବ ଧାରଣାରେ ବସିଥିବା ବେଳେ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ନିଦାବିଷ୍ଣୁ ସାଜିଛି। ଏନେଇ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହୋଇଥିବା ଏଠାକାର ଲୋକେ ଏହି ଧାରଣାକୁ ଗଣଧାରଣାରେ ବଦଳାଇ ଥିବା ବେଳେ ସ୍ଥାନୀୟ ଅଞ୍ଚଳର ଲୋକ ପ୍ରତିନିଧି, ସମାଜସେବୀ,ଓଡିଶା ସୂଚନାଧିକାର ଅଭିଯାନର ଜିଲ୍ଲା ଆବାହକ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ଏମିତିକି ପୁଅର ଏହି ଲଢେଇରେ ସୁଶାନ୍ତଙ୍କ ମା ସାମିଲ ହୋଇଥିବା ବେଳେ ପୂର୍ବତନ ବିଧାୟକ ଦେବେନ୍ଦ୍ର ନାଥଶର୍ମା ମଧ୍ୟ ଏଥିରେ ସାମିଲ ହୋଇଛନ୍ତି।