କେନ୍ଦ୍ରାପଡ଼ା:ହେନ୍ତାଳବଣ ସୃଷ୍ଟି କରି ନିଜ ଜନ୍ମମାଟିକୁ ନଦୀ ଓ ସମୁଦ୍ର ଦାଉରୁ ରକ୍ଷା କରିବା ପାଇଁ ପ୍ରେରଣା ଯୋଗାଇ ଆସୁଛନ୍ତି ପଟ୍ଟାମୁଣ୍ଡାଇ ବ୍ଲକ ହାଟପାଟଣା ଗାଁର ବିଜୟ କୁମାର କବି । କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ଗଂଜାମ ଜିଲ୍ଲାରେ ସମୁଦ୍ର ମାଡି ଆସୁଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ ଏକମାତ୍ର ବିକଳ୍ପ ଅଧିକରୁ ଅଧିକ ହେନ୍ତାଳବଣ ସୃଷ୍ଟି । ଓଡ଼ିଶାର 488କିଲୋମିଟର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳକୁ ଧିରେଧିରେ ସମୁଦ୍ର ମାଡି ଆସୁଥିବା ତଥ୍ୟ କହୁଛି । ଯଦିଓ ସମୁଦ୍ର ଜୁଆର ମାଡକୁ ପ୍ରତିହତ କରିବାକୁ ସରକାର ବିଭିନ୍ନ ସି-ୱାଲ ନିର୍ମାଣ କରୁଛନ୍ତି କିନ୍ତୁ ଆନ୍ତରିକତା ଅଭାବ ଯୋଗୁଁ ହେନ୍ତାଳବଣ ସୃଷ୍ଟି ହୋଇପାରୁନାହିଁ ।
ତେବେ ଏଭଳି ସ୍ଥିତିରେ ଦୀର୍ଘ ବାରବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି ବିଜୟ ଓ ବଡ଼କୋଟ ଗ୍ରାମବାସୀଙ୍କ ଉଦ୍ୟମରେ ପ୍ରାୟ ୨୫ଏକର ଜମିରେ ସୃଷ୍ଟି ହୋଇପାରିଛି ବିସ୍ତୀର୍ଣ୍ଣ ହେନ୍ତାଳବଣ । ବିଜୟଙ୍କ ଏହି ପ୍ରଚେଷ୍ଟା ଫଳରେ ଦିନେ ହଂସୁଆ ନଦୀର ଆଁରେ ବିଲୀନ ହେବାକୁ ବସିଥିବା ବଡ଼କୋଟ ଗାଁ ଆଜି ରକ୍ଷା ପାଇପାରିଛି । ଯେଉଁଥିପାଇଁ କି ବିଜୟଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା ମଧ୍ୟ କରାଯାଇଛି । କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ବିଜୟ ଓ ବଡ଼କୋଟ ଗ୍ରାମବାସୀଙ୍କ ଉଦ୍ୟମକୁ ଭୁୟସୀ ପ୍ରଶଂସା କରିଥିବା ବେଳେ ପ୍ରଧାନମନ୍ତ୍ରୀ "ମନ-କି-ବାତ" କାର୍ଯ୍ୟକ୍ରମରେ ମଧ୍ୟ ଉଭୟ ବିଜୟ ଓ ଗ୍ରାମବାସୀଙ୍କୁ ପ୍ରଶଂସା କରିଛନ୍ତି ।