କେନ୍ଦ୍ରାପଡା: ଜିଲ୍ଲାକୁ ଆସୁଥିବା ପ୍ରବାସୀମାନଙ୍କ ପାଇଁ କେନ୍ଦ୍ରାପଡା ଜିଲ୍ଲାରେ ଅଧିକ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲିବା ଓ ଶଯ୍ୟା ସଂଖ୍ୟା ବୃଦ୍ଧି କରିବା ଉପରେ ଗୁରୁତ୍ବ ଦେଇଛି ଜିଲ୍ଲା ପ୍ରଶାସନ । ସୋମବାର ସୁଦ୍ଧା ଜିଲ୍ଲାର 249ଟି ଗ୍ରାମ ପଞ୍ଚାୟତରେ 1081ଟି ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲା ଯାଇ 39,549ଟି ଶଯ୍ୟା ପ୍ରସ୍ତୁତ କରାଯାଇଛି । ସେହିପରି କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧିନରେ 30ଟି ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯାଇ 1706ଟି ଶଯ୍ୟା ପ୍ରସ୍ତୁତ କରାଯାଇଥିବା ସୂଚନା ମିଳିଛି ।
ସେହିପରି କେନ୍ଦ୍ରାପଡା ସ୍ବୟଂଶାସିତ ମହାବିଦ୍ୟାଳୟରେ 300, ଓଡିଶା ଆଦର୍ଶ ବିଦ୍ୟାଳୟରେ 160, ସରକାରୀ ପଲିଟେକ୍ନିକ(ଛତା)ରେ 150, ପଟ୍ଟାମୁଣ୍ଡାଇ ଓବିସି ଛାତ୍ରାବାସରେ 150, କେନ୍ଦ୍ରାପଡ଼ା ସାନ୍ଧ୍ୟ ମହାବିଦ୍ୟାଳୟରେ 130ଟି ପୃଥକୀକରଣ ଶଯ୍ୟା ପ୍ରସ୍ତୁତ କରାଯାଇଛି । ଅନ୍ୟପଟେ ସରକାରୀ ପଲିଟେକ୍ନିକ(ଛତା)ଠାରେ 110 ଶଯ୍ୟା ବିଶିଷ୍ଟ କୋଭିଡ-19 ହସ୍ପିଟାଲ ଖୋଲାଯାଇ ସେଥିରେ 100ଟି ଶଯ୍ୟା ଓ 10ଟି ଆଇସିୟୁ ଶଯ୍ୟାର ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗ ଉପନିର୍ଦ୍ଦେଶକ ଚନ୍ଦ୍ରକାନ୍ତ ନାୟକ ।