କେନ୍ଦ୍ରାପଡା:ଜୀବନ୍ତ ହେଉଛି କେନ୍ଦ୍ରାପଡା ଜିଲ୍ଲାରେ ଶିଳ୍ପର ଆଶା । ଶିଳ୍ପ ସମୃଦ୍ଧ ହେବ କେନ୍ଦ୍ରାପଡା । ଶିଳ୍ପ ବିହୀନ ଜିଲ୍ଲାରେ ପ୍ରତିଷ୍ଠା ହେବ ସର୍ବବୃହତ ଷ୍ଟିଲ ପ୍ଲାଣ୍ଟ । ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ଏବଂ ଏବେ 5T ସଚିବ ଭିକେ ପାଣ୍ଡିଆନ ଦୁଇ ଦିନିଆ କେନ୍ଦ୍ରାପଡା ଗସ୍ତରେ ଆସି ଆଡୋଇ ଠାରେ ଷ୍ଟିଲ ପ୍ଲାଣ୍ଟ ସମ୍ପର୍କରେ ଆଲୋଚନା କରିଛନ୍ତି । ଯାହା ଶିଳ୍ପ ବିହୀନ ଜିଲ୍ଲା ପାଇଁ ନୂଆ ଦିଗ ଦେଖାଉଛି । ସଚିବଙ୍କ ଗସ୍ତ ପରେ ଜିଲ୍ଲାବାସୀଙ୍କ ମଧ୍ୟରେ ଶିଳ୍ପକୁ ନେଇ ଆଶା ବଢିଛି ।
କେନ୍ଦ୍ରାପଡା ଜିଲ୍ଲାରେ ସର୍ବବୃହତ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ କରିବ ଜାପାନର ନିପ୍ପନ କମ୍ପାନୀ । ଏନେଇ ଆର୍ସେଲର ମିତ୍ତଲ ସହ ପୂର୍ବରୁ ଚୁକ୍ତି ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜାପାନ ଗସ୍ତ ସମୟରେ ବାର୍ଷିକ ୩୦ ନିୟୁତ ଟନ ଉତ୍ପାଦନ ପାଇଁ ଚୁକ୍ତିପତ୍ର ସମ୍ପର୍କରେ ଆଲୋଚନା କରିଥିଲେ । ଏହା ପରେ ପରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5T ସଚିବ ଜିଲ୍ଲାକୁ ଦୁଇ ଦିନିଆ ତୋଫାନୀ ଗସ୍ତରେ ଆସି ଏହି ଶିଳ୍ପର ଆଶାକୁ ଦୃଢ଼ କରିଛନ୍ତି । ଜିଲ୍ଲାର ମହାକାଳପଡ଼ା ବ୍ଲକରେ ପ୍ରସ୍ତାବିତ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ଏକପ୍ରକାର ନିଶ୍ଚିତ ହୋଇଥିବାରୁ ଏହାକୁ ନେଇ ଉତ୍ସାହିତ ଅଛନ୍ତି ସ୍ଥାନୀୟ ବାସିନ୍ଦା । ଶିଳ୍ପବିହୀନ ଜିଲ୍ଲାର ଶିରପ୍ପା ଧାରଣ କରିଥିବା କେନ୍ଦ୍ରାପଡାରେ ଶିଳ୍ପ ପ୍ରତିଷ୍ଠା ସହ ଏକ ନୂଆ ଅଧ୍ୟାୟର ଆରମ୍ଭ ହେବ ବୋଲି ଜିଲ୍ଲାବାସୀ କହିଛନ୍ତି ।