କେନ୍ଦ୍ରାପଡା: ରାଜ୍ୟରେ ଏବେ ପୌର ନିର୍ବାଚନର ହାୱା ବହୁଛି । ନିର୍ବାଚନକୁ ନେଇ ସରଗରମ୍ ରହିଛି କେନ୍ଦ୍ରପଡା ଜିଲ୍ଲାର ଦୁଇଟି ମ୍ୟୁନିସିପାଲିଟି । ରାଜ୍ୟର ସର୍ବ ପୁରାତନ ମ୍ୟୁନିସିପାଲିଟି କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟିରେ ସୋମବାର ନାମାଙ୍କନ ପତ୍ର ପ୍ରତ୍ୟାହାର ଶେଷଦିନ ହେବା ପରେ ପ୍ରଚାରକୁ ଜୋରଦାର କରିଛନ୍ତି ପ୍ରମୁଖ ରାଜନୈତିକ ଦଳ । ଆର୍ଥିକ କାରବାର ଓ ବ୍ୟବସାୟିକ ଦୃଷ୍ଟିକୋଣରୁ ଜିଲ୍ଲାର ସର୍ବବୃହତ୍ ପଟ୍ଟାମୁଣ୍ଡାଇରେ ମ୍ୟୁନିସିପାଲିଟିରେ ଚାଲିଛି ତ୍ରିମୁଖୀ ଲଢେଇ । ଏଥର ପୌରାଧ୍ୟକ୍ଷ ପଦବୀ ପାଇଁ ସିଧାସଳଖ ନିର୍ବାଚନ ହେଉଥିବାରୁ ୱାର୍ଡ ୱାର୍ଡରେ କମ୍ପୁଛି ପ୍ରାର୍ଥୀଙ୍କ ପ୍ରଚାର । ମାଳ ମାଳ ପ୍ରତିଶ୍ରୁତି ବର୍ଷାରେ ଶାସକ ଦଳକୁ ଚେକ୍ ଦେବାକୁ କଳବଳ ଲଗାଇଛନ୍ତି ବିରୋଧି । ବିଶେଷକରି ବିଜେଡି ଓ ବିଜେପି ମଧ୍ୟରେ ଚାଲିଛି କଡା ଟକ୍କର ।
ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟ ଅଧିନରେ ମୋଟ ୨୦ଟି ୱାର୍ଡ ରହିଛି । ଏଠାରେ ୩୦ହଜାରରୁ ଅଧିକ ଭୋଟର ରହିଛନ୍ତି । ଗତ ପୌର ନିର୍ବାଚନରେ ଏହି ମ୍ୟୁନିସିପାଲିଟିରେ ବିଜେଡି ବାଜି ମାରିଥିଲା । ଏଥର ମଧ୍ୟ ପୌରଧ୍ୟକ୍ଷ ପଦ ହାତେଇବା ଲକ୍ଷ୍ୟରେ ରହିଛି ଦଳ । ଚଳିତ ନିର୍ବାଚନରେ ପୌରାଧ୍ୟକ୍ଷ ପାଇଁ ବିଜୁ ଜନତା ଦଳରୁ ପ୍ରତିଦ୍ବନ୍ଦିତା କରୁଛନ୍ତି ହେମନ୍ତ କୁମାର ସାହୁ । ସେହିପରି ବିଜେପିରୁ ଶଶୀକାନ୍ତ ସ୍ୱାଇଁ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସରୁ ଲଢୁଛନ୍ତି ଅବିନାଶ ଲେଙ୍କା । ଆସନ ଦଖଲ ପାଇଁ ହେମନ୍ତ ନବୀନ ସରକାରଙ୍କ ବିକାଶକୁ ମୁଦ୍ଦା କରିଛନ୍ତି । ସେ ସମସ୍ତ ୱାର୍ଡ ବୁଲି ଲୋକମାନଙ୍କ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ପହଞ୍ଚାଉଥିବା କହିଛନ୍ତି । ସେ ବିଜୟୀ ହୋଇ ସାଧାରଣ ଲୋକଙ୍କ ଯାହା କିଛି ସମସ୍ୟା ରହିଛି ସେଗୁଡିକୁ ଦୂର କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ୮ ହଜାରରୁ ଉର୍ଦ୍ଧ୍ବ ଭୋଟରେ ବିଜୟୀ ହେବେ ବୋଲି ଦୃଢ଼ ଦାବି କରିଛନ୍ତି ହେମନ୍ତ ।