ଓଡିଶା

odisha

କେନ୍ଦ୍ରାପଡା ଲୋକସଭା ନିର୍ବାଚନ: ବିଜେଡିର ଏକତରଫା ବିଜୟ ଦୃଢୋକ୍ତି, ବିଜେପି କହିଲା ଲଢେଇ ହେବ

By

Published : Aug 5, 2023, 7:51 PM IST

ସବୁବେଳେ ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ରହି ଆସିଥିବା କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପାଇଁ ପାଗ ଭିଡ଼ିଲେଣି ବିଭିନ୍ନ ରାଜନୈତିକ ଦଳ । ବିଜେଡି କହିଲା ଏଥର ମଧ୍ୟ ଏକତରଫା ବିଜୟ । ବିଜେପି କହିଲା ଲଢ଼େଇ ହେବ ଓ ବିଜେପି ଜିତିବ । ଏବେ ମଧ୍ୟ ବିକାଶ ଆଶାରେ କେନ୍ଦ୍ରାପଡ଼ା ଭୋଟର । ଅଧିକ ପଢ଼ନ୍ତୁ

କେନ୍ଦ୍ରାପଡା ଲୋକସଭା ନିର୍ବାଚନ
କେନ୍ଦ୍ରାପଡା ଲୋକସଭା ନିର୍ବାଚନ

କେନ୍ଦ୍ରାପଡା ଲୋକସଭା ନିର୍ବାଚନ

କେନ୍ଦ୍ରାପଡ଼ା: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ସବୁଥର ଭଳି ଏଥର ମଧ୍ୟ ଚର୍ଚ୍ଚାକୁ ଆସିଛି କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀ । ଏଠାରେ ୧୮ ଥର ନିର୍ବାଚନ ହୋଇଥିବା ବେଳେ ମାତ୍ର ଥରୁଟିଏ କଂଗ୍ରେସ ପ୍ରାର୍ଥୀ ବିଜୟ ଲାଭ କରିଥିଲେ । ପ୍ରଜା ସୋସିଆଲିଷ୍ଟ ପାର୍ଟି ୩ ଥର ଓ ଉତ୍କଳ କଂଗ୍ରେସ ଥରେ ବିଜୟୀ । ଏହାପରେ ଏହି ଆସନରୁ ବିଜୟଧାରା ଅବ୍ୟାହତ ରଖିଛି ଶାସକ ଦଳ । କିନ୍ତୁ ନିର୍ବାଚନ ମଣ୍ଡଳୀର ବିକାଶ ଯେଉଁ ଅନୁପାତରେ ହେବା କଥା ତାହା ହୋଇନାହିଁ ବୋଲି ଅଭିଯୋଗ ଆସିଛି ।

୧୯୭୭ରୁ ଶାସକ ଦଳ ହାତରେ କେନ୍ଦ୍ରାପଡ଼ା: ଆଉ ମାସ କେଇଟା ପରେ ସାଧାରଣ ନିର୍ବାଚନ । ନିର୍ବାଚନକୁ ନେଇ ବିଜେଡି ଓ ବିଜେପି ଏବେ ନିଜ ନିଜର ସାଙ୍ଗଠନିକ ସୁଦୃଢତାକୁ ଧ୍ୟାନ ଦେଉଥିବା ବେଳେ ପଛରେ ପଡ଼ିଯାଇଛି କଂଗ୍ରେସ । କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀଟି କେନ୍ଦ୍ରାପଡ଼ା ଜିଲ୍ଲାର ୫ଟି ଓ କଟକ ଜିଲ୍ଲାର ୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠନ କରାଯାଇଛି । ଏହି ଆସନକୁ ସ୍ବାଧୀନତା ପରେ ନିତ୍ୟାନନ୍ଦ କାନୁନଗୋ ୧୯୫୨ ମସିହାରେ କଂଗ୍ରେସ ଟିକେଟରେ ଅକ୍ତିଆର କରିଥିଲେ । ଏହାପରେ ୧୯୫୭ରୁ ୧୯୭୧ ପର୍ଯ୍ୟନ୍ତ ଏହି ଆସନକୁ ହାତେଇଥିଲେ ପ୍ରଜା ସୋସିଆଲିଷ୍ଟ ପାର୍ଟିର ସୁରେନ୍ଦ୍ରନାଥ ଦ୍ବିବେଦୀ । ଏହାପରେ ଉତ୍କଳ କଂଗ୍ରେସରୁ ସୁରେନ୍ଦ୍ର ମହାନ୍ତି ବିଜୟୀ ହେବା ପରେ ୧୯୭୭ ମସିହାରେ ଏହି ଆସନରୁ ଲଢ଼ି ବିଜୟୀ ହୋଇଥିଲେ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକ । ତେବେ ୧୯୭୭ ମସିହାରୁ ଲଗାତାର ଭାବେ ଏହି ଆସନ ଶାସକ ଦଳ ହାତରେ ରହିଛି ।

୨ ଥର ବିଜୟୀ ହେବା ସତ୍ତ୍ବେ ଅସଫଳ ବୈଜୟନ୍ତ !: ଗତ ୨୦୦୯ ଓ ୨୦୧୪ରେ ଏହି ଆସନରୁ ବିଜେଡି ଟିକେଟରେ ନିର୍ବାଚିତ ହୋଇଥିଲେ ବର୍ତ୍ତମାନ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ବୈଜୟନ୍ତ ୨୦୦୯ରେ ୩୫.୦୪% ଭୋଟ୍ ପାଇ କଂଗ୍ରେସ ପ୍ରାର୍ଥୀ ରଞ୍ଜୀବ ବିଶ୍ବାଳଙ୍କୁ ୧ ଲକ୍ଷ ୨୭ ହଜାରରୁ ଊର୍ଦ୍ଧ୍ବ ଭୋଟରେ ପରାସ୍ତ କରିଥିଲେ । ମାତ୍ର ମାତ୍ର ୮୦ ହଜାର ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ବିଜେପିର ଜ୍ଞାନଦେବ ବେଉରା । ସେହିପରି ୨୦୧୪ରେ ବୈଜୟନ୍ତ କଂଗ୍ରେସ ପ୍ରାର୍ଥୀ ତଥା ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକଙ୍କୁ ୫୨% ଭୋଟ୍ ପାଇ ୨ ଲକ୍ଷ ୧୦ ହଜାର ଭୋଟରେ ପରାସ୍ତ କରିଥିଲେ । ତେବେ ରାଜ୍ୟସଭାରୁ ଲୋକସଭା ସାଂସଦ ହୋଇଥିବା ବୈଜୟନ୍ତ ଜଣେ ଶିଳ୍ପପତି ହୋଇଥିବାରୁ କେନ୍ଦ୍ରାପଡାବାସୀ ତାଙ୍କଠାରୁ ଜିଲ୍ଲାରେ ଏକ ଶିଳ୍ପର ଆଶା ରଖିଥିଲେ । ଦୁଇ ଦୁଇଥର ବିଜୟୀ ହୋଇ ଜିଲ୍ଲାରେ ଶିଳ୍ପ ତ ଦୂରର କଥା "କେନ୍ଦ୍ରାପଡ଼ାକୁ ଗୁର୍‌ଗାଓଁ"କରିବା ପାଇଁ ଦେଇଥିବା ପ୍ରତିଶ୍ରୁତି ପାଣିରେ ମିଳାଇ ଯାଇଥିଲା । ତେବେ ଦଳପତିଙ୍କ ସହ ନପଡିବାରୁ ପ୍ରଥମେ ବିଜେଡିରୁ ନିଲମ୍ବନ ହୋଇ ପରେ ୨୦୧୮ରେ ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ ବୈଜୟନ୍ତ ।

'ଅନୁଭବଙ୍କର କେନ୍ଦ୍ରାପଡ଼ା ସହ ସମ୍ପର୍କ ନାହିଁ': ୨୦୧୯ରେ ବୈଜୟନ୍ତ ବିଜେପିର ପ୍ରାର୍ଥୀ ହେବା ପରେ ସମ୍ମାନ ରଖିବା ପାଇଁ ବିଜେଡି ଏହି ଆସନରୁ ଓଲିଉଡ ଷ୍ଟାର ତଥା ରାଜ୍ୟସଭା ସାଂସଦ ଥିବା ଅନୁଭବ ମହାନ୍ତିଙ୍କୁ ବୈଜୟନ୍ତଙ୍କ ବିରୋଧରେ ଲଢ଼ାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ କେନ୍ଦ୍ରାପଡାକୁ ଘନଘନ ଗସ୍ତ କରିବା ସହ ଅନୁଭବଙ୍କ ସପକ୍ଷରେ ନିଜେ ମୈଦାନକୁ ଓହ୍ଲାଇଥିଲେ । ଫଳରେ ୫୦.୮୭% ଭୋଟ୍ ପାଇ ବୈଜୟନ୍ତ ପଣ୍ଡାଙ୍କୁ ଦେଢ଼ ଲକ୍ଷରୁ ଊର୍ଦ୍ଧ୍ବ ଭୋଟରେ ପରାସ୍ତ କରିଥିଲେ ଅନୁଭବ । କିନ୍ତୁ ବିଜୟୀ ହେବା ପରେ ନିର୍ବାଚନ ମଣ୍ଡଳୀ କଥା କମ ପାରିବାରିକ ବିବାଦରେ ଅଧିକ ସମୟ ଦେଲେ ଅନୁଭବ । ଲୋକଙ୍କ ସୁଖଦୁଃଖ ବୁଝିବା ପରିବର୍ତ୍ତେ ନିଜେ ସାମାଜିକ ଗଣମାଧ୍ୟମରେ ନିଜର ଦୁଃଖ ବଖାଣିବା କେନ୍ଦ୍ରାପଡାର ଭୋଟରଙ୍କୁ ଆଘାତ ଦେଇଥିଲା । ବିକାଶ ମୂଳକ କାମ ଏକପ୍ରକାର ଠପ ହୋଇଯାଇଥିଲା । ସାଂସଦ ଅନୁଭବ ଯେ ଲୋକଙ୍କ ପାଖରେ ପହଞ୍ଚିନାହାନ୍ତି, ସେଥିରେ ସନ୍ଦେହ ନାହିଁ ।

ଏହା ମଧ୍ୟ ପଢ଼ନ୍ତୁ...ଅନୁଭବଙ୍କ ନୂଆ ଭିଡିଓ, ବର୍ଷା ନୁହେଁ ସମସ୍ୟା ବିଷୟରେ ଲୋଡିଲେ ମତ

'ବିଜେପି ଦଖଲକୁ ଯିବ କେନ୍ଦ୍ରାପଡା': ବର୍ତ୍ତମାନ ସାଂସଦଙ୍କ ଅପାରଗତା ଓ ମୋଦୀ ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ନେଇ ବିଜେପି ଲୋକଙ୍କ ପାଖରେ ପହଞ୍ଚିବ ବୋଲି କହିଛନ୍ତି କେନ୍ଦ୍ରାପଡା ଜିଲ୍ଲା ବିଜେପି ସଭାପତି କିଶୋର କୁମାର ପଣ୍ଡା । ସେ କହିଛନ୍ତି, "ବିଜେଡି ଶାସନରେ ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଲୋକେ ଅତିଷ୍ଠ ହୋଇ ତ୍ରାହି ତ୍ରାହି ଡାକୁଛନ୍ତି । ସବୁ କ୍ଷେତ୍ରରେ କେନ୍ଦ୍ରାପଡ଼ା ଅବହେଳିତ ।" ଏଥର ଏହି ଆସନ ବିଜେପି ଦଖଲକୁ ଯିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ସାଂସଦଙ୍କ ବିଫଳତାକୁ ସ୍ବୀକାର କଲା ବିଜେଡି: କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସଭାପତି ଉତ୍କଳ କେଶରୀ ପରିଡ଼ା କହିଛନ୍ତି, "ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନ ଓ ଲୋକପ୍ରିୟତାକୁ ଆୟୁଧ କରି ଦଳ ପୁନର୍ବାର ଏହି ଲୋକସଭା ଆସନ ଦଖଲ କରିବ । ସାଂସଦ ପାରିବାରିକ ସମସ୍ୟାରେ ଫସିଯାଇ ଲୋକେ ତାଙ୍କଠାରୁ ଯାହା ଆଶା କରିଥିଲେ, ତାହା ପୂରଣ ହୋଇ ପାରିନଥିବା କଥାକୁ ଆମେ ସ୍ବୀକାର କରୁଛୁ । ତେବେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ କ୍ଷେତ୍ରକୁ ଦେଖିଲେ ରାଜ୍ୟ ସରକାର ବହୁଗୁଣରେ କେନ୍ଦ୍ରାପଡା ପାଇଁ ବିକାଶର ପେଡି ଖୋଲିଛନ୍ତି । ବର୍ତ୍ତମାନ ଆମେ ପ୍ରତିଘରେ ଭୋଟରଙ୍କ ନିକଟରେ ପହଞ୍ଚିଛୁ ।"

ତେଣୁ ବିଜେଡି ଏଥର ଏକତରଫା ଭାବେ ବିଜୟୀ ହେବ ବୋଲି କହିବା ସହ ବିଜେଡି ସହ ଲଢ଼ିବା ପାଇଁ କୌଣସି ଦଳର ସାମର୍ଥ୍ୟ ନଥିବା କହିଛନ୍ତି ବିଜେଡି ଜିଲ୍ଲା ସଭାପତି ଉତ୍କଳ କେଶରୀ ପରିଡ଼ା । ତେବେ ରାଜ୍ୟ ରାଜନୀତିରେ ଏକ ସ୍ବତନ୍ତ୍ର ପରିଚୟ ରଖୁଥିବା କେନ୍ଦ୍ରାପଡା ଜିଲ୍ଲା ଏବେ ସବୁ କ୍ଷେତ୍ରରେ ଅବହେଳିତ । ତେଣୁ ଆଗାମୀ ନିର୍ବାଚନ ହିଁ କେନ୍ଦ୍ରାପଡା ଜିଲ୍ଲାର ଭାଗ୍ୟ ନିର୍ଦ୍ଧାରଣ କରିବ ବୋଲି ଆଶା ରଖିଛନ୍ତି ଜିଲ୍ଲାବାସୀ ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details