'ପ୍ରଧାନମନ୍ତ୍ରୀ ମୋଦିଙ୍କ ଲାଗି ଦେଶର ଗାଁ ଗାଁରେ ପହଞ୍ଚିଛି ବିକାଶର ଗଙ୍ଗା' କେନ୍ଦ୍ରାପଡ଼ା: ୨୧ ଶତାବ୍ଦୀରେ ଜଣେ ନରେନ୍ଦ୍ର କହିଥିଲେ କୌଣସି ଲୋକ ଅଶିକ୍ଷିତ ରହିବେ ନାହିଁ, ଭୋକିଲା ରହିବେ ନାହିଁ । ଆଉ ଆଜି ଉକ୍ତ ଭବିଷ୍ୟବାଣୀକୁ ପୂରଣ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ପ୍ରୟାସ ଲାଗି ଆଜି ଦେଶର ଗାଁଗାଁରେ ବିକାଶର ଗଙ୍ଗା ପ୍ରବାହିତ ହେଉଛି । ସଙ୍ଗଠନ ସୁଦୃଢ଼ ପାଇଁ ଜିଲ୍ଲାରେ ଅନୁଷ୍ଠିତ ବୈଠକରେ ଯୋଗ ଦେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ । ଏହାସହ ସେ କଂଗ୍ରେସକୁ ମଧ୍ୟ ସମାଲୋଚନା କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ବିକାଶର କଥା କହିବା ସମୟରେ ସେ ସ୍ବାମୀ ବିବେକାନନ୍ଦଙ୍କୁ ଉକ୍ତ ଭବିଷ୍ୟବାଣୀକୁ ସ୍ମରଣ କରିଛନ୍ତି । ଏ ନେଇ ସେ କହିଛନ୍ତି, "୨୧ଶତାବ୍ଦୀରେ ଭାରତର କୌଣସି ଲୋକ ଅଶିକ୍ଷିତ ରହିବେ ନାହିଁ, ବିନା ଘରରେ ରହିବେ ନାହିଁ, ଅବଳା କିମ୍ବା ଦୁର୍ବଳ ରହିବେ ନାହିଁ ଓ କେହି ଭୋକିଲା ରହିବେ ନାହିଁ ବୋଲି ଜଣେ ନରେନ୍ଦ୍ର ଭବିଷ୍ୟବାଣୀ କରି କହିଥିଲେ । ଜଣେ ବିଦେଶୀଙ୍କ ପ୍ରଶ୍ନର ଉତ୍ତର ଦେଇ ସ୍ବାମୀ ବିବେକାନନ୍ଦ ଏଭଳି ଭବିଷ୍ୟବାଣୀ କରିଥିବା ବେଳେ ଆଜି ଉକ୍ତ ଭବିଷ୍ୟବାଣୀକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂରଣ କରୁଛନ୍ତି ।" ଏହି ଅବସରରେ ସ୍ବାମୀ ବିବେକାନନ୍ଦଙ୍କ ପିଲାଦିନର ନାମ ନରେନ୍ଦ୍ର ଥିବା ଓ ଆଜି ଭାରତର ପ୍ରିୟ ପ୍ରଧାନମନ୍ତ୍ରୀଙ୍କ ନାମ ନରେନ୍ଦ୍ର ମୋଦି ହୋଇଥିବାରୁ ଭାରତ ଏବେ ବିଶ୍ୱଗୁରୁ ହେବାକୁ ଯାଉଥିବା କହିଛନ୍ତି ମନ୍ତ୍ରୀ ।
ଏହା ବି ପଢନ୍ତୁ- ସପ୍ତାହେ ମଧ୍ୟରେ ଦାବି ପୂରଣ ନହେଲେ ଅମଲା ସଂଘର ଆନ୍ଦୋଳନ ଚେତାବନୀ
ଜିଲ୍ଲାର ଏକ ଘରୋଇ ଲଜ୍ରେ ସଂଗଠନ ସୁଦୃଢ଼ ପାଇଁ ଅନୁଷ୍ଠିତ ବୈଠକରେ ଯୋଗ ଦେଇ କଂଗ୍ରେସ ସରକାର ସମୟକୁ କଳାଦିନର ଆଖ୍ୟା ଦେଇଛନ୍ତି ରାୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାଗି ସମଗ୍ର ଦେଶର କୋଣ ଅନୁକୋଣରେ ପ୍ରତି ଗାଁ ଓ ଘରେଘରେ ବିକାଶର ଗଙ୍ଗା ପ୍ରବାହିତ ହେଉଛି । ଦେଶରୁ ଗରିବୀ କମୁଛି ଓ କଂଗ୍ରେସ ଦେଶରୁ ଗରିବୀ ହଟାଇବା ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ ଦେଶରେ କଂଗ୍ରେସ ସମୟରେ ହିଁ ଗରିବୀ ବଢିଥିବା ସେ କହିଛନ୍ତି । କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ଯୋଜନା, କଲ୍ୟାଣକାରୀ ଯୋଜନା, ବିକାଶ ଯୋଜନା, ମହିଳା କଲ୍ୟାଣ ଯୋଜନା, ଯୁବ କଲ୍ୟାଣ ଯୋଜନା, ଶ୍ରମିକ କଲ୍ୟାଣ ଯୋଜନା, ବିଦ୍ୟାର୍ଥି କଲ୍ୟାଣ ଓ କୃଷକ କଲ୍ୟାଣ ଯୋଜନା ଭଳି ସମସ୍ତ ବର୍ଗର ଲୋକଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି ।
ଏହାଦ୍ବାରା ଏବେ ଦେଶ ଉନ୍ନତିର ଶିଖରରେ ପହଞ୍ଚିବା ସହ ଦେଶବାସୀଙ୍କ ଜୀବନରେ ଏବେ ଖୁସି ଭରି ଯାଇଛି ବୋଲି ସେ କହିଛନ୍ତି । ଭାରତ ଆତ୍ମନିର୍ଭରଶୀଳ ହେଉଛି, ଦେଶରେ ଉତ୍ପାଦନ ବଢୁଛି ଓ ଏହି କାରଣରୁ ଯୁବକମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ବଡ଼ ସହଯୋଗ ମିଳୁଛି ବୋଲି କହିଛନ୍ତି । ସେହିପରି ଦେଶର ଶିକ୍ଷାନୀତି ବଦଳିବା କାରଣରୁ ସ୍ଥାନୀୟ ଭାଷାରେ ପାଠ ପଢ଼ାଯିବ ଓ ଭାଷା କାରଣରୁ ନିଜର ପାରଦର୍ଶିତା ପ୍ରଦର୍ଶନ କରି ପାରୁନଥିବା ଶିକ୍ଷାର୍ଥୀମାନଙ୍କ ପ୍ରଦର୍ଶନ ଭଲ ହେବ ଓ ଟେକ୍ନୋଲୋଜି କ୍ଷେତ୍ରରେ ମଧ୍ୟ ସ୍ଥାନୀୟ ମାତୃଭାଷାରେ ଶିକ୍ଷା ଦିଆଯିବ ବୋଲି କହିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ।
ଇଟିଭି ଭାରତ, କେନ୍ଦ୍ରାପଡ଼ା