ଓଡିଶା

odisha

ETV Bharat / state

ଉଚ୍ଚଶିକ୍ଷା ରାସ୍ତାରେ ଅର୍ଥ ବାଧକ, କଣ ହେବ କଲ୍ୟାଣୀଙ୍କ ଭବିଷ୍ୟତ ? - ଗଣପର୍ବ ରଜ

ଆଇପିଏସ ହେବା ସ୍ବପ୍ନ ଦେଖିଛନ୍ତି କଲ୍ୟାଣୀ । କିନ୍ତୁ ସ୍ନାତକ ପଢିବାକୁ ଅର୍ଥ ନାହିଁ । ଉଚ୍ଚଶିକ୍ଷା କେମିତି ପଢିବେ ସେନେଇ ଚିନ୍ତାରେ କେନ୍ଦ୍ରାପଡାର କଲ୍ୟାଣୀ । ଅଧିକ ପଢନ୍ତୁ

topper facing money problems for higher study
topper facing money problems for higher study

By

Published : Jun 15, 2023, 5:17 PM IST

ଉଚ୍ଚଶିକ୍ଷା ରାସ୍ତାରେ ଅର୍ଥ ସାଜିଛି ବାଧକ

କେନ୍ଦ୍ରାପଡା: ଗଣପର୍ବ ରଜକୁ ନେଇ ଉତ୍ସବମୁଖର ଗାଁଠୁ ସହର । କିଏ ନୂଆ ଡ୍ରେସ ପିନ୍ଧି ଦୋଳିରେ ଝୁଲୁଛି ତ ଆଉ କିଏ ଖିଲି ପାନ ଖାଇ ପାଟି ଲାଲ କରିଛି। ପୁଣି କେଉଁଠି କୁଆଁରୀ ମାନେ ପୁଚି ଖେଳରେ ବ୍ୟସ୍ତ। କିନ୍ତୁ ଏ ଜଣେ ଏମିତି କୁଆଁରୀ ଯିଏକି ରଜରେ ସଜବାଜ ନୁହଁ ବରଂ ସ୍ବପ୍ନ ପୂରଣ ପାଇଁ ପାଠପଢାରେ ବ୍ୟସ୍ତ। ଡେରାବିଶ୍ ବ୍ଲକ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତ ବଳଭଦ୍ରପୁର ଗାଁର ପ୍ରଦୀପ ଦାସଙ୍କର ଝିଅ କଲ୍ୟାଣୀ ଦାସ। ସ୍ବପ୍ନ ଭବିଷ୍ୟତରେ ଆଇପିଏସ ଅଫିସର ହେବେ। ଏଥିପାଇଁ ଦିନ ରାତି ଏକ କରି ପାଠ ପଢାରେ ସେ ନିମଗ୍ନ। କିନ୍ତୁ ତାଙ୍କର ସ୍ବପ୍ନର ରାସ୍ତାରେ ବାଧକ ସାଜିଛି ଅର୍ଥ

କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପଢୁଥିଲେ କଲ୍ୟାଣୀ । ଚଳିତ ବର୍ଷ ଜିଲ୍ଲାର +୨ ପରୀକ୍ଷାରେ କଳା ବିଭାଗରେ ମୋଟ ୬୦୦ ନମ୍ବରରୁ ୫୨୭ ନମ୍ବର ରଖି ସେ ଜିଲ୍ଲାର ଟପ୍ପର ହୋଇ ସୁନାମ ଆଣିଛନ୍ତି । କିନ୍ତୁ ଆଗକୁ ସେ ପଢିବେ କି ନାହିଁ ସେନେଇ ଏବେ ଚିନ୍ତାରେ । କାରଣ ଯୌଥ ପରିବାରର ଏକମାତ୍ର ରୋଜଗାରକ୍ଷମ ବାପାଙ୍କ ପାଖରେ ଅର୍ଥ ନାହିଁ ଝିଅକୁ ପାଠ ପଢାଇବା ପାଇଁ।

କଲ୍ୟାଣୀ ପିଲାଟି ବେଳୁ ମେଧାବୀ । ବାଲୁଙ୍କେଶ୍ୱର ବିଦ୍ୟାପୀଠ ବଳଭଦ୍ରପୁରରୁ ୨୦୨୧ ମସିହାରେ ମ୍ୟାଟ୍ରିକ ପାସ କରିବା ପରେ କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ କଳା ବିଭାଗର ଛାତ୍ରୀ ଭାବେ ନାଁ ଲେଖାଇଥିଲେ। ଘରୁ କଲେଜକୁ ଯିବାକୁ ଘରୋଇ ବସ ଏକମାତ୍ର ମାଧ୍ୟମ ହୋଇଥିବା ବେଳେ ଅନେକ ସମୟରେ ଟଙ୍କା ଅଭାବରୁ ସେ କଲେଜ ନଯାଇ ଘରେ ରହି ପାଠ ପଢିଛନ୍ତି। ତେବେ ବର୍ତ୍ତମାନ ଜିଲ୍ଲା ଟପ୍ପର ଆଗକୁ ଆଉ ଉଚ୍ଚ ଶିକ୍ଷା ଲାଭ କରିବେ କି ନାହିଁ ସେନେଇ ନିଜେ ଦ୍ଵନ୍ଦ୍ୱରେ । ରେଭେନ୍ସା କିମ୍ବା ଅନ୍ୟ କୌଣସି ବିଶ୍ୱ ବିଦ୍ୟାଳୟରୁ ସ୍ନାତକ କରିବା ପାଇଁ ଆଶା ରଖିଥିବା କଲ୍ୟାଣୀଙ୍କ ପାଇଁ ଅର୍ଥ ଏକମାତ୍ର ବାଧକ ସାଜିଛି।

ଝିଅର ଆଇପିଏସ ହେବାର ସ୍ବପ୍ନ ଥିଲେ ମଧ୍ୟ ଅର୍ଥ ସାଜୁଛି ବାଧକ । ଫଳରେ କଲ୍ୟାଣୀଙ୍କ ପାଠପଢାରେ ଡୋରି ବାନ୍ଧିବାକୁ ପରିସ୍ଥିତି ବାଧ୍ୟ କରୁଛି ବୋଲି କୁହନ୍ତି କଲ୍ୟାଣୀଙ୍କ ବାପା । ପର ଜମିରେ ଭାଗ ଚାଷ କରିବା ସହ ମାତ୍ର ଦୁଇ ତିନୋଟି ଗାଈଗୋରୁ ପାଳି ସେଥିରୁ ଯାହା ରୋଜଗାର ହୁଏ ସେଥିରେ ୨୨ ଜଣିଆ ଯୌଥ ପରିବାର ପ୍ରତିପୋଷଣ ହୁଏ। ଆଉ ଯାହା ବଳକା ରହେ ସେଥିରେ କଲ୍ୟାଣୀର ଯାହା ଯେମିତି ପାଠପଢା ହେଉଥିବା ବେଳେ ଆଗକୁ ସ୍ନାତକ କରିବା ପାଇଁ ଅର୍ଥର ଘୋର ଅଭାବ ରହିଛି। ଏନେଇ ଉପ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ଲୋଡ଼ାଯିବାରୁ ସେ ଏହି ମେଧାବୀ ଛାତ୍ରୀ ଜଣଙ୍କ ଘଟଣା ସମ୍ପର୍କରେ ଜାଣିବା ପରେ ଜିଲ୍ଲା ଇମରେଜେନ୍ସି ଫଣ୍ଡରୁ ୩୦ ହଜାର ଟଙ୍କା ଦିଆ ଯାଇଥିବା କହିଛନ୍ତି ।

କଲ୍ୟାଣୀ ଭଳି ମେଧାବୀ ଛାତ୍ରୀ ଅର୍ଥ ଅଭାବରୁ ଆଇପିଏସ ହେବାର ସ୍ବପ୍ନରେ ଡୋରି ନବାନ୍ଧୁ ବିଭିନ୍ନ ସାମାଜିକ ଅନୁଷ୍ଠାନ ବଦାନ୍ୟ ବ୍ୟକ୍ତି ବିଶେଷଙ୍କ ସାହାଯ୍ୟ ଲୋଡିଛନ୍ତି । କଲ୍ୟାଣୀଙ୍କୁ ସହଯୋଗ କରିବା ପାଇଁ ଆକାଉଣ୍ଟ ନଂ:-401834006003231 , IFSC-IOBAOROGB01 ଓଡିଶା ଗ୍ରାମ୍ୟ ବ୍ୟାଙ୍କ, ଡେରାବିଶ୍ ଶାଖା ମାଧ୍ୟମରେ ସହାୟତା ପଠାଇ ପାରିବେ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details