କେନ୍ଦ୍ରାପଡା: ଇଚ୍ଛାଶକ୍ତି ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା । ଦିବ୍ୟାଙ୍ଗ ହୋଇ ମଧ୍ୟ ନିଜ ଦକ୍ଷତାକୁ ପ୍ରତିପାଦନ କରି ପାରିଛନ୍ତି । କେନ୍ଦ୍ରାପଡ଼ାର ଦିବ୍ୟାଙ୍ଗ ବରଜ ଦାସ ପଦାର୍ଥ ବିଜ୍ଞାନ(ସମ୍ମାନ)ରେ ଟପ୍ପର ହୋଇ ପୁଣିଥରେ ନିଜର ଦକ୍ଷତାକୁ ପ୍ରତିପାଦନ କରି ପାରିଛନ୍ତି । ଚଳିତବର୍ଷ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ 3ରେ ବରଜ ଦାସ ୯୦% ମାର୍କ ରଖି କୃତିତ୍ବ ଅର୍ଜନ କରିଛନ୍ତି ।
୨୦୨୦ ମସିହାରେ ବରଜ ଯୁକ୍ତ ୨ ବିଜ୍ଞାନରେ ୮୪% ନମ୍ବର ରଖି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ସେ ଜଣେ ଦିବ୍ୟାଙ୍ଗ । ପରେ ତତ୍କାଳୀନ ଜିଲ୍ଲାପାଳ ସମର୍ଥ ବର୍ମା, ବରଜଙ୍କୁ ସମ୍ବର୍ଦ୍ଧିତ କରି ତାଙ୍କ ପାଠପଢାରେ ପ୍ରଶାସନର ସହଯୋଗ ରହିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତେବେ ପଛକୁ ନଚାହିଁ ଦିବ୍ୟାଙ୍ଗ ବରଜ ନିଷ୍ଠାର ସହ ପାଠପଢି ଯୁକ୍ତ 3ରେ ୯୧.୪% ନମ୍ବର ରଖି ପଦାର୍ଥ ବିଜ୍ଞାନ ସମ୍ମାନରେ ଟପ୍ପର ହୋଇଥିଲେ । ଦୃଢ଼ ଇଚ୍ଛାଶକ୍ତି ବଳରେ ଜଣେ ଦିବ୍ୟାଙ୍ଗ ମଧ୍ୟ ସିନ୍ଧୁ ଲଙ୍ଘିପାରେ ବୋଲି ବିଶ୍ୱାସ ରଖି ଭବିଷ୍ୟତରେ ଜଣେ ପ୍ରଶାସନିକ ଅଧିକାରୀ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି ବରଜ ।
ବରଜ ଦାସ କହିଛନ୍ତି, "ଭଲପାଠ ପଢି ସମାଜ ପାଇଁ କିଛି କରିବାର ଲକ୍ଷ୍ୟ ରଖିଛି । ଗ୍ରାଜୁଏସନ କରିବା ପରେ ପିଜିରେ ନାମ ଲେଖାଇବା ପାଇଁ ପ୍ରୟାସ ଆରମ୍ଭ କରିଛି । ଏହାସହ ଆଗକୁ ଏକ ପ୍ରଶାସନିକ ଅଧିକାରୀ ହେବା ପାଇଁ କୋଚିଂ ନେବି । ପ୍ରଶାସନିକ ଅଧିକାରୀ ହେବା ପାଇଁ ଆବଶ୍ୟକ କରୁଥିବା କୋଚିଂ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ୩୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି ।"