କେନ୍ଦ୍ରାପଡ଼ା: ସାରା ଦେଶରେ ଗଡ଼ିଲାଣି ବନ୍ଦେ ଭାରତ ଏକ୍ସପ୍ରେସ ଠାରୁ ଆରମ୍ଭ କରି ଅମୃତ ଭାରତ ଏକ୍ସପ୍ରେସ । ଏଭଳି ସ୍ଥଳରେ କେନ୍ଦ୍ରାପଡ଼ା ଜିଲ୍ଲାରେ ରେଳଗାଡି ପାଇଁ ସ୍ୱପ୍ନ ଥିବା ବେଳେ କେତେକାଂଶରେ ଏହା ଗତ ୨୦୨୦ ମସିହା ଠାରୁ ପୁରଣ ହୋଇଛି, କିନ୍ତୁ କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ଆଜିଯାଏ କେନ୍ଦ୍ରାପଡ଼ାବାସୀ ରେଳ ଦେଖିଲେ ସିନା ହେଲେ ରେଳଗାଡିରେ ବସିବା ଆଜି ମଧ୍ୟ ସେମାନଙ୍କ ପାଇଁ ସ୍ୱପ୍ନ ହୋଇ ରହିଛି ବୋଲି ଅଭିଯୋଗ ହୋଇଛି । ଅନ୍ୟପଟେ ବାରମ୍ବାର ଆନ୍ଦୋଳନ ହୋଇ ଆସୁଥିଲେ ମଧ୍ୟ କେନ୍ଦ୍ରାପଡ଼ାକୁ ଯାତ୍ରୀବାହୀ ରେଳ ଗଡ଼ିବା ପାଇଁ କୌଣସି ପ୍ରକାର ବ୍ୟବସ୍ଥା ହେଉନଥିବା କାରଣରୁ ଜିଲ୍ଲାରେ ଏବେ ଅସନ୍ତୋଷର ବହ୍ନି ତେଜିଛି ।
କେନ୍ଦ୍ରାପଡା ମଧ୍ୟ ଦେଇ ଗତ ୨୦୨୦ ମସିହାରେ ହରିଦାସପୁର-ପାରାଦ୍ୱୀପ ଗଡିଥିଲା ପ୍ରଥମ ମାଲବାହୀ ରେଳଗାଡି । ଜୁଲାଇ ୩୧ ତାରିଖରେ ପ୍ରଥମ ଥର ପାଇଁ ଏକ ମାଲବାହୀ ଟ୍ରେନ ପାରାଦ୍ୱୀପରୁ ହରିଦାସପୁର ଆସୁଥିବା ବେଳେ କେନ୍ଦ୍ରାପଡ଼ା ମାର୍ଶାଘାଇ ନୂଆଗାଁ ଷ୍ଟେସନରେ ସାଧାରଣ ଲୋକ ଏହି ଟ୍ରେନକୁ ଅଟକାଇ ଜିଲ୍ଲାରେ ପ୍ରଥମେ ଯାତ୍ରୀବାହୀ ରେଳ ଗଡ଼ିବା ପରେ ମାଲବାହୀ ଟ୍ରେନ ଚଳାଯାଉ ବୋଲି ଦାବି କରିଥିଲେ । ତେବେ ବହୁ ବାଦବିବାଦ ପରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ, ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ, ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦଙ୍କ ମିଳିତ ଆଲୋଚନା ପରେ ଖୁବଶୀଘ୍ର ଜିଲ୍ଲାରେ ଯାତ୍ରୀବାହୀ ରେଳ ଚଳାଚଳ କରିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ହେଲେ ଏହାରି ଭିତରେ ମାଲବାହୀ ରେଳ ଚଳାଚଳକୁ ଦୀର୍ଘ ସାଢେ ତିନିବର୍ଷ ପୁରିଥିଲା ବେଳେ ଯାତ୍ରୀବାହୀ ରେଳ ଦେଖିବା ସ୍ୱପ୍ନ କେବଳ ସ୍ୱପ୍ନରେ ହିଁ ରହିଯାଇଛି ।
ସୂଚନା ଅନୁଯାୟୀ, ହରିଦାସପୁର-ପାରାଦ୍ୱୀପ ରେଳପଥଟି ଦୀର୍ଘ ୮୨ କିଲୋମିଟରର ହୋଇଥିବା ବେଳେ ଏହି ରେଳପଥ କେନ୍ଦ୍ରାପଡ଼ା ଜିଲ୍ଲା ଦେଇ ୪୫ କିଲୋମିଟର ଯାଇଛି । ଅନ୍ୟପଟେ ଯାଜପୁର ଓ ଜଗତସିଂହପୁର ଜିଲ୍ଲାର ଅର୍ଥନୀତି ଏହି ରେଳପଥ ଯୋଗୁଁ ସୁଦୃଢ଼ ହେଉଥିବା ବେଳେ କେନ୍ଦ୍ରାପଡ଼ାବାସୀ ଗଛରେ ବେଲ ପାଚିଲେ କାଉର କି ଲାଭ ଲୋକକଥା ହେବା ସାର ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲାକୁ ଅତିଶୀଘ୍ର ଯାତ୍ରୀବାହୀ ରେଲଗାଡି ଚଳାଚଳ ପାଇଁ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ଗଣେଶ୍ବର ବେହେରା ପ୍ରଥମେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଚିଠି ଲେଖିଥିଲେ । ଗତ ୨୦୨୧ ନଭେମ୍ବର ୧୦ ତାରିଖରେ ମାଲବାହୀ ରେଳରୋକ କରି ଖୁବଶୀଘ୍ର ଜିଲ୍ଲାକୁ ଯାତ୍ରୀବାହୀ ରେଳ ଚଳାଚଳ ପାଇଁ ରେଳମନ୍ତ୍ରୀ ରେଳ ବିଭାଗଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ । ସପେଟେ ଭିତ୍ତିଭୂମିର ଅଭାବ ରହିଥିବା କାରଣରୁ ଏବେ ଏହି ହରିଦାସପୁର-ପାରାଦ୍ୱୀପ ରେଳପଥରେ ଯାତ୍ରୀବାହୀ ରେଳ ଚଳାଚଳ କରିବା ପାଇଁ କୌଣସି ଯୋଜନା ନଥିବା ସଂସଦରେ ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପ୍ରଶ୍ନର ଉତ୍ତରରେ କହିଥିଲେ ରେଳମନ୍ତ୍ରୀ ।