ଓଡିଶା

odisha

ETV Bharat / state

ଶକ୍ତିମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ବାବୁଙ୍କ ଦାଦାଗିରି ! ବିକାଶ କାମ ପାଇଁ ଭିକ୍ଷା ମାଗିଲେ ସରପଞ୍ଚ ଓ ସମିତିସଭ୍ୟ - ସମସ୍ୟାରେ ସର୍ପାବାଦ ଦାଣ୍ଡି

ନିର୍ବାଚିତ ପ୍ରିତିନିଧିଙ୍କୁ କାମ କରାଇ ଦେଉନାହିଁ ପ୍ରଶାସନ । ଲୋକଙ୍କ ସମସ୍ୟାର ସମାଧାନ କରିବାକୁ ଶେଷରେ ହାତରେ ବ୍ୟାଗ ଧରି ଭିକ୍ଷା ମାଗିବାକୁ ବାଧ୍ୟ ହେଉଛନ୍ତି ଲୋକ ପ୍ରତିନିଧି । ଏହାର ଏକ ଜ୍ବଳନ୍ତ ଉଦାହରଣ କେନ୍ଦ୍ରାପଡ଼ା ରାଜକନିକା ବ୍ଲକ୍‌ରେ ଦେଖିବାକୁ ମିଳିଛି (Pegarpada ward member and Sarpanch begging) । ଅଧିକ ପଢ଼ନ୍ତୁ

Pegarpada ward member and Sarpanch begging to build a road in village of Kendrapara
ଶୁଣୁନି ପ୍ରଶାସନ, ରାସ୍ତା ତିଆରି ପାଇଁ ଭିକ୍ଷା କଲେ ପେଗରପଡ଼ା ସରପଞ୍ଚ ଓ ସମିତିସଭ୍ୟ

By

Published : Sep 8, 2022, 10:08 PM IST

କେନ୍ଦ୍ରାପଡ଼ା:ଗ୍ରାମାଞ୍ଚଳ ବା ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ସମସ୍ୟାର ସମାଧାନ ପାଇଁ ସରକାର ମାଳମାଳ ଯୋଜନା ପ୍ରଣୟନ କରୁଛନ୍ତି । ହେଲେ ବାସ୍ତବରେ ଅନେକ କାରଣରୁ ଲୋକଙ୍କ ପାଖରେ ଏହି ଯୋଜନା ପହଞ୍ଚି ପାରୁନାହିଁ । କେତେବେଳେ ଲୋକଙ୍କ ସେବା କରିବାକୁ ଜନ ପ୍ରତିନିଧି ମନ ବଳାଉନଥିବା ବେଳେ କେତେବେଳେ ଜନ ପ୍ରତିନିଧିଙ୍କୁ ସହଯୋଗ କରୁନାହାଁନ୍ତି ପ୍ରଶାସନ ଅଧିକାରୀ । ଫଳରେ ବାଧ୍ୟ ହୋଇ ଜନ ପ୍ରତିନିଧିଙ୍କୁ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଭିକ୍ଷାବୃତ୍ତି କରିବାକୁ ପଡ଼ୁଛି । ଏହାର ଏକ ଜ୍ବଳନ୍ତ ଉଦାହରଣ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍‌ରେ ଦେଖିବାକୁ ମିଳିଛି (Pegarpada ward member and Sarpanch begging)।

ଶୁଣୁନି ପ୍ରଶାସନ, ରାସ୍ତା ତିଆରି ପାଇଁ ଭିକ୍ଷା କଲେ ପେଗରପଡ଼ା ସରପଞ୍ଚ ଓ ସମିତିସଭ୍ୟ

ଶିଳ୍ପ ଓ ଶକ୍ତିମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ କରୁଣ ଚିତ୍ର

ହାତରେ ଜରି ବ୍ୟାଗ ଆଉ ଘରକୁ ଘର ବୁଲି ଚାଲିଛି ଭିକ୍ଷା ସଂଗ୍ରହ । ମନ୍ତ୍ରୀ ପ୍ରତାପ ଦେବଙ୍କ ନିର୍ବାଚନ ମଣ୍ଡଳୀ କେନ୍ଦ୍ରାପଡ଼ା ରାଜକନିକା ବ୍ଲକ ପେଗରପଡା ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ଲୋକଙ୍କ ସମାଧାନ ପାଇଁ ଭିକ୍ଷା ପନ୍ଥା ଆପଣାଇବାକୁ ବାଧ୍ୟ ହୋଇଛନ୍ତି । ପେଗରପଡା ପଞ୍ଚାୟତ ପ୍ରତି ସରକାରୀ ଅଧିକାରୀଙ୍କ ଉଦାସୀନ ମନୋଭାବ ରହୁଥିବା ଅଭିଯୋଗ ହୋଇଛି ।

ସମସ୍ୟାରେ ସର୍ପାବାଦ ଦାଣ୍ଡି

ପେଗରପଡ଼ା ପଞ୍ଚାୟତ ସର୍ପାବାଦ ଦାଣ୍ଡି ଗାଁ ରାସ୍ତାରେ ଦୀର୍ଘଦିନ ଧରି ବର୍ଷା ପାଣି ଜମି ରହୁଥିଲା । ରାସ୍ତାରେ ପାଣି ଜମିବା ଯୋଗୁଁ ୧୫୦୦ରୁ ଅଧିକ ଗ୍ରାମବାସୀ ପ୍ରଭାବିତ ହେଉଛନ୍ତି । ଜ୍ବର, ଝାଡା, ବାନ୍ତି ଭଳି ସଂକ୍ରାମକ ରୋଗ ବ୍ୟାପିବାର ଆଶଙ୍କା ରହୁଛି । ଏହାକୁ ନେଇ ବାରମ୍ବାର ପ୍ରଶାସନ ନିକଟରେ ଏନେଇ ଗୁହାରି କରାଯାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ଗତ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ଭାବେ ଶ୍ରଦ୍ଧାଞ୍ଜଳି ମଲିକ ଓ ସମିତିସଭ୍ୟ ଭାବେ ପ୍ରବେଶନ ମଲିକ ବିଜୟୀ ହୋଇ ଜଳ ନିଷ୍କାସନ ସମସ୍ୟାର ସମାଧାନ କରିବା ପାଇଁ ଅଣ୍ଟା ଭିଡିଥିଲେ । ପାଣି ଜମି ରହୁଥିବା ସ୍ଥାନରୁ ପଙ୍କ କାଦୁଅ ବାହାର କରିବା ସହ ବ୍ଲିଚିଂ ପକାଯାଇଥିଲା । ଏହି ରାସ୍ତାକୁ କଂକ୍ରିଟ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ ।

କାମ କରାଇ ଦେଉନାହାଁନ୍ତି ସରକାରୀ ଅଧିକାରୀ

ପ୍ରଶାସନ ପକ୍ଷରୁ କୌଣସି ସହଯୋଗ ନମିଳିବାରୁ ଶେଷରେ ନିଜ ଖର୍ଚ୍ଚରେ ରାସ୍ତା ତିଆରି କରିବାକୁ ମନସ୍ତ କରିଥିଲେ ସରପଞ୍ଚ ଓ ସମିତି ସଭ୍ୟ । ଏହାକୁ ନେଇ ସେଠାରେ ବାଲି ଓ ମେଣ୍ଟାଲ ପକାଇ କାମ ଆରମ୍ଭ କରିବା ପରେ ପଞ୍ଚାୟତ ନିର୍ବାହୀ ଅଧିକାରୀ, କନିଷ୍ଠ ଯନ୍ତ୍ରୀ ଓ ବିଡିଓ ସେଠାରେ କାମ ହୋଇପାରିବ ନାହିଁ ବୋଲି କହିଥିଲେ । ଶେଷ ଭିକ୍ଷା କରିବାକୁ ବାଧ୍ୟ ହୋଇଛନ୍ତି ସମିତି ସଭ୍ୟ ଓ ସରପଞ୍ଚ ( Sarpanch begging to build a road in village)। ଗୋଟିଏ ଦିନରେ ୧୦ ହଜାର ୨ ଶହ ଟଙ୍କା ସଂଗ୍ରହ କରିଛନ୍ତି ସରପଞ୍ଚ ଓ ସମିତି ସଭ୍ୟ ।

ଏହାକୁ ନେଇ ସରପଞ୍ଚ ଶ୍ରଦ୍ଧାଞ୍ଜଳି ମଲିକ କହିଛନ୍ତି, "ଗ୍ରାମରେ ଅନେକ ସମସ୍ୟା ଲାଗି ରହିଛି । ନିର୍ବାଚନ ପୂର୍ବରୁ ଆମେ ଗ୍ରାମର ସମସ୍ତ ସମସ୍ୟାର ସମାଧାନ କରିବୁ ବୋଲି ପ୍ରତିଶ୍ରୁତି ଦେଇ ନିର୍ବାଚିତ ହୋଇଛୁ । ସମସ୍ୟା ନେଇ ବାରମ୍ବାର ପ୍ରଶାସନ ଅଧିକାରୀଙ୍କ ଅବଗତ ମଧ୍ୟ କରାଇଥିଲୁ । କିଛି ଲାଭ ହୋଇନି । ଆମେ ପ୍ରାୟ ୪୦ରୁ ୫୦ ଥର ବିଡିଓଙ୍କ ଦ୍ବାରସ୍ଥ ହୋଇଥିଲୁ । ହେଲେ କେହି ଆମକୁ କାମ କରିବାକୁ ଅନୁଦାନ ଦେଇ ନାହାନ୍ତି ।"

ସେପଟେ ସମିତିସଭ୍ୟ ପ୍ରବେଶନ ମଲିକ କହିଛନ୍ତି, "ଆମେ ଲୋକଙ୍କ କାମ କରିବାକୁ ନିର୍ବାଚିତ ହୋଇଛୁ । କିନ୍ତୁ ଆମକୁ କୌଣସି ଅଧିକାରୀ ସହଯୋଗ କରୁନାହାନ୍ତି । ଶେଷରେ ଆମେ ଭିକ୍ଷା କିରବାକୁ ବାଧ୍ୟ ହୋଇଛୁ । ଦରକାର ପଡ଼ିଲେ ଆମେ ବାହାର ଗ୍ରାମକୁ ଯାଇ ଭିକ୍ଷା କରିବୁ । ଲୋକଙ୍କ ପାଇଁ କାମ କରିବାକୁ ଆମ ଖରାପ ଲାଗିବ ନାହିଁ ।"

ସର୍ବଶ୍ବ ଦେବାକୁ ରାଜି ଅଛନ୍ତି ଗ୍ରାମବାସୀ

ସରପଞ୍ଚ ଓ ସମିତିସଭ୍ୟଙ୍କ ପ୍ରତି ସର୍ପାବାଦ ଦାଣ୍ଡି ଗ୍ରାମବାସୀଙ୍କ ରହିଛି ଅହେତୁକ ବିଶ୍ବାସ । ଗାଁ ରାସ୍ତା ତିଆରି ପାଇଁ ସରପଞ୍ଚ ଓ ସମିତିସଭ୍ୟ ଆରମ୍ଭ କରିଥିବା ଅଭିଯାନରେ ଭରପୁର ସହଯୋଗ କରୁଛନ୍ତି ଗ୍ରାମବାସୀ । ଗ୍ରାମର ଜଣେ ମହିଳା କହିଛନ୍ତି, "ଆମର ସେ ଭଲ ପିଲା । ସେ ବିଡିଓ ପିଲାଙ୍କୁ କାମ କରିବାକୁ ଟଙ୍କା ଦେଉନାହାନ୍ତି । ଏଥିପାଇଁ ସେମାନେ ଭିକ୍ଷାବୃତ୍ତି କରିବାକୁ ବାଧ୍ୟ ହୋଇଛନ୍ତି । ମୋ ପାଖରେ ଯାହା ଥିଲା ଦେଇଛି । ଦୁଇଟି ଗାଈ ଅଛି ସେମାନଙ୍କୁ ବିକ୍ରି କରି ବାକି ୩୦ ହଜାର ଟଙ୍କା ଆଉ ଦେବି ।"

ସରକାରୀ ଅଧିକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ଖୋଦ୍‌ ଶିଳ୍ପ ଓ ଶକ୍ତିମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଏଭଳି ଏକ ଦୃଶ୍ୟ ପ୍ରତ୍ୟେକଙ୍କୁ ଆନ୍ଦୋଳିତ କରିଛି । ଏହାକୁ ନେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ସେ କହିଛନ୍ତି, "ଏଭଳି ଘଟଣା ଘଟିଥିଲେ ବହୁ ଦୁଃଖଦାୟକ । ମୁଁ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରି କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିବି ।"

କୋଭିଡ ସମୟରେ ଜିଲ୍ଲାପାଳ କ୍ଷମତା ପାଇଥିବା ସରପଞ୍ଚ ଆଜି ଘରକୁ ଘର ବୁଲି ଭିକ୍ଷା ମାଗିବା ଅତ୍ୟନ୍ତ ଦୁଃଖଦାୟକ । ତାହା ପୁଣି ରାଜ୍ୟ ସରକାରଙ୍କ ବରିଷ୍ଠ କ୍ୟାବିନେଟ ମନ୍ତ୍ରୀ ପ୍ରତାପ ଦେବଙ୍କ ନିର୍ବାଚନ ମଣ୍ଡଳୀରେ । ଭାତ ହାଣ୍ଡିରୁ ଗୋଟିଏ ଚାଉଳ ଚିପିବା ଭଳି ଏ ଦୃଶ୍ୟ ହିଁ ବୟାନ କରୁଛି ଗୁହାରି ଶୁଣିବାକୁ କେତେ ପ୍ରସ୍ତୁତ ରହିଛି ପ୍ରଶାସନ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details