ଓଡିଶା

odisha

ETV Bharat / state

ପାଟକୁରା ମହାସମର: ଆସନ୍ତାକାଲି ପ୍ରଚାର କରିବେ ନବୀନ - bjd

ଜୋରଦାର ଚାଲିଛି ପାଟକୁରାରେ ନିର୍ବାଚନୀ ପ୍ରଚାର। ଆସନ୍ତାକାଲି ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରପଡା

By

Published : Jul 17, 2019, 12:08 AM IST

କେନ୍ଦ୍ରପଡା: ପାଟକୁରା ନିର୍ବାଚନ ପାଇଁ ବୁଧବାର ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନଙ୍କ ଗସ୍ତକୁ ନେଇ ବିଜେଡି ନେତା ଓ କର୍ମୀଙ୍କ ମନରେ ଉତ୍କଣ୍ଠା ଦେଖା ଦେଇଥିବା ବେଳେ ଏହି ଗସ୍ତକୁ ଜୋରଦାର ଟାର୍ଗେଟ କରୁଛନ୍ତି ବିରୋଧୀ । ଆସନ୍ତା ୨୦ ତାରିଖରେ ହେବ ଭୋଟଗ୍ରହଣ । ଏନେଇ ବିଭିନ୍ନ ଦଳ ପକ୍ଷରୁ ଦଳୀୟ ପ୍ରଚାରକୁ ଜୋରଦାର କରାଯାଉଛି। ପ୍ରଚାରର ସମୟସୀମା ରହିଛି ଆଉ ମାତ୍ର ୪୮ ଘଣ୍ଟା। ବିଜେପି ବିଜେଡି ଓ କଂଗ୍ରେସର ବହୁ ହେଭି ୱେଟ ନେତା ଓ ନେତ୍ରୀ ପ୍ରଚାରକୁ ଓହ୍ଲାଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଦେବାକୁ ଜନସାଧାରଣଙ୍କୁ ନିବେଦନ କରୁଛନ୍ତି ।

ଏହି ପ୍ରଚାରକୁ ଆଉ ଟିକେ ଜୋରଦାର କରିବା ପାଇଁ ବୁଧବାର ପାଟକୁରା ଆସିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଦିନ ୧୦ଟା ସମୟରେ ଡେରାବିଶ ବ୍ଲକ ବାରିମୂଳ ପଞ୍ଚାୟତ ଅଫିସ ନିକଟରେ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡ଼ ନିକଟରେ ଅବତରଣ କରିବା ପରେ ସେଠାରୁ ଅତ୍ୟାଧୁନିକ ବସ ଯୋଗେ ବିଭିନ୍ନ ପଞ୍ଚାୟତ ପରିଭ୍ରମଣ କରିବେ । ଏହାପରେ ଜଣ୍ଟିଲୋ ଡାକବଙ୍ଗଳାରେ ମଧ୍ୟାହ୍ନ ଭୋଜନ କରିବାର ବ୍ୟବସ୍ଥା ହୋଇଥିବା ସୂଚନା ମିଳିଛି ।


ଅନ୍ୟପଟେ ବିଜେପି ଓ କଂଗ୍ରେସ ପକ୍ଷରୁ ମଧ୍ୟ ସମାନ ରଣନୀତି ଆପଣା ଯାଇଛି । ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର, ବରିଷ୍ଠ ନେତା ଦାମୋଦର ରାଉତ ଘନଘନ ପାଟକୁରା ନିର୍ବାଚନ ମଣ୍ଡଳୀ ଗସ୍ତକରି ଲୋକଙ୍କୁ ସେମାନଙ୍କ ପାଖକୁ ନେବାପାଇଁ ଚେଷ୍ଟା ଜାରି ରଖିଛନ୍ତି ।

ସେପଟେ ନବୀନଙ୍କ ଗସ୍ତ ପାଟକୁରା ନିର୍ବାଚନ ମଣ୍ଡଳୀ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କଂଗ୍ରେସ ଜିଲ୍ଲା ସଭାପତି ଚିନ୍ମୟ ବେହୁରା କହିଥିବା ବେଳେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ, ନବୀନ ପଟ୍ଟନାୟକଙ୍କର ବିଜୟଙ୍କୁ ଭୟ କରିବା କାରଣରୁ ସେ ବାରମ୍ବାର କେନ୍ଦ୍ରାପଡ଼ା ଆସୁଥିବା କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରପଡା

ଅନ୍ୟପକ୍ଷରେ ନବୀନଙ୍କୁ ରାଜନୀତି ପାଠ ଶିଖାଇଥିବା ବିଜୟଙ୍କୁ ଯେଉଁଭଳି ଭାବରେ ଗତ ୨୦୦୦ମସିହାରେ ପଛପଟୁ ଛୁରାଘାତ କରାଗଲା ଓ ତାଙ୍କୁ ଦୀର୍ଘ ୨୦ ବର୍ଷ ଧରି ଯେଉଁପରି ବିଧାନସଭା ଠାରୁ ଦୂରେଇ ରଖାଗଲା ତା'ର ଉତ୍ତର ପାଟକୁରା ଭୋଟର ଦେବେ ବୋଲି କହିଛନ୍ତି ଦାମୋଦର ରାଉତ । ଏହାସହ ବିଗତ ୨୦ ବର୍ଷ ମଧ୍ୟରେ ବିଜୁଙ୍କ କର୍ମଭୂମି ମାଟି ମାଡିନଥିବା ନବୀନ ଏବେ ନିର୍ବାଚନ ପାଇଁ ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ଦର୍ଶନ କରି ୨ କୋଟି ଟଙ୍କା ଲାଞ୍ଚ ଦେଇଥିବା କହି କଡା ସମାଲୋଚନା କରିଛନ୍ତି ଶ୍ରୀ ରାଉତ ।

କେନ୍ଦ୍ରପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details