ଓଡିଶା

odisha

ETV Bharat / state

ଡେରାବିଶ ବ୍ଲକ ପ୍ରଶାସନର ବେପରୁଆ ବ୍ୟବସ୍ଥା, ତାତିଲେ ଅଭିଭାବକ - ଗାଁ ଠୁ ଦୂରରେ ଅଙ୍ଗନବାଡି ନିର୍ମାଣକୁ ବିରୋଧ

କେନ୍ଦ୍ରାପଡାରେ ଅଙ୍ଗନବାଡି କେନ୍ଦ୍ର ଜନବସତି ଅଞ୍ଚଳ ଠୁ ଦୂରରେ ନିର୍ମାଣକୁ ସ୍ଥାନୀୟ ଲୋକଙ୍କ ବିରୋଧ । ଅଧିକ ପଢନ୍ତୁ...

ଡେରାବିଶ ବ୍ଲକ ପ୍ରଶାସନର ବେପରୁଆ ବ୍ୟବସ୍ଥା, ତାତିଲେ ଅଭିଭାବକ
ଡେରାବିଶ ବ୍ଲକ ପ୍ରଶାସନର ବେପରୁଆ ବ୍ୟବସ୍ଥା, ତାତିଲେ ଅଭିଭାବକ

By

Published : Apr 28, 2021, 8:16 PM IST

କେନ୍ଦ୍ରାପଡା: ଅଙ୍ଗନବାଡି କୋମଳମତି ଛାତ୍ରଛାତ୍ରୀଙ୍କ ସୁନେଲି ଭବିଷ୍ୟତ ସହ ଖେଳ ଖେଳୁଛି ଜିଲ୍ଲା ପ୍ରଶାସନ । ଆବଶ୍ୟକୀୟ ସୁବିଧା ସୁଯୋଗ ଥାଇ ସୁଦ୍ଧା ଗାଁର ଶେଷ ମୁଣ୍ଡରେ ଚାଲିଛି ଅଙ୍ଗନବାଡି ଗୃହ ନିର୍ମାଣ କାର୍ଯ୍ୟ, ଯାହାକୁ ନେଇ କ୍ଷୋଭ ବ୍ୟକ୍ତ କରିବା ସହ ଆନ୍ଦୋଳନ ଓ ଅନଶନର ଚେତାବନୀ ଦେଇଛନ୍ତି ଅଭିଭାବକ ସଙ୍ଘ ।

ଡେରାବିଶ୍ ବ୍ଲକ ପ୍ରଶାସନର ବେପରୁଆ ବ୍ୟବସ୍ଥା, ତାତିଲେ ଅଭିଭାବକ

କେନ୍ଦ୍ରାପଡା ଜିଲ୍ଲା ଲକ୍ଷ୍ମୀନାରାୟଣପୁର ଗାଁରେ ଥିବା ଅଙ୍ଗନବାଡି କେନ୍ଦ୍ରକୁ ପାଠପଢିବା ପାଇଁ ପଞ୍ଚାୟତର 16, 18, 19 ଓ 20ନଂ ୱାର୍ଡର 38ଜଣ ଛାତ୍ରଛାତ୍ରୀ ଆସିଥାନ୍ତି । ଏହି ସେଣ୍ଟରଟି ଜଣେ ବଦାନ୍ୟ ବ୍ୟକ୍ତିଙ୍କର ଘରେ(ସତ୍ୟସାଇ ବାଲବିକାଶ କେନ୍ଦ୍ର)ରେ ଦୀର୍ଘ 21ବର୍ଷ ଧରି ଚାଲି ଆସୁଥିବାବେଳେ ଗତ 2017 ମସିହାରେ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶାନୁସାରେ ଜାଗା ଚିହ୍ନଟ କରାଯାଇ 19ନଂ ୱାର୍ଡ ଅର୍ଥାତ ଗାଁର ଶେଷମୁଣ୍ଡରେ ହେବାପାଇଁ ସ୍ଥିର ହୋଇଥିଲା । ତତ୍କାଳୀନ ବିଧାୟକ ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲ ଜିଲ୍ଲାପାଳଙ୍କୁ ଚିଠି ଲେଖି ଉକ୍ତ ସ୍ଥାନରେ ଅଙ୍ଗନବାଡି ଗୃହ ନିର୍ମାଣ କରାଗଲେ ପିଲାମାନଙ୍କ ଆସିବାରେ ଅସୁବିଧା ହେବ ବୋଲି ଜଣାଇଥିଲେ । ଏଥିସହିତ 12ନଂ ଜିଲ୍ଲା ପରିଷଦ ଜୋନ ସଦସ୍ୟା ମନୋରମା ସାହୁ ମଧ୍ୟ ଜିଲ୍ଲାପାଳଙ୍କୁ ଉକ୍ତ ସ୍ଥାନରେ ଗୃହ ନିର୍ମାଣ ନକରି ଗାଁର ମଧ୍ୟଭାଗରେ ଥିବା ଲକ୍ଷ୍ମୀନାରାୟଣପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ କରିବା ପାଇଁ ନିବେଦନ କରିଥିଲେ ।

2017 ମସିହାରୁ ପ୍ରସ୍ତାବିତ ସ୍ଥାନରେ ଗୃହ ନିର୍ମାଣ ପାଇଁ ସୂଚନା ଫଳକ ଲଗାଯାଇଥିଲେ ମଧ୍ୟ ଅଭିଭାବକଙ୍କ ବିରୋଧ ପାଇଁ ଗୃହ ନିର୍ମାଣ ହୋଇପାରିନଥିଲା । ଇତିମଧ୍ୟରେ 4ବର୍ଷ ବିତିଯାଇଥିଲେ ମଧ୍ୟ ବ୍ଲକ ପ୍ରଶାସନ ତରବରିଆ ଭାବେ ଚଳିତବର୍ଷ ମାର୍ଚ୍ଚ 19 ତାରିଖରେ ବିଭାଗୀୟ ଯନ୍ତ୍ରୀ ପ୍ରଦୀପ ସାମନ୍ତରାୟଙ୍କୁ ଉକ୍ତ କେନ୍ଦ୍ରର ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରିଛି । 2016-17 ଆର୍ଥିକ ବର୍ଷରେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ ଆସିଥିବା ଅର୍ଥ 2021 ମସିହାରେ ଖର୍ଚ୍ଚ କରାଯିବା ପାଇଁ ଗାଇଡ଼ଲାଇନ ରହିଥିଲା । ମାତ୍ର ଶିଶୁବିକାଶ ଏବଂ ସମାଜ ମଙ୍ଗଳ ନିର୍ଦ୍ଦେଶକଙ୍କ ଚିଠି ନଂ 318/07.04.2021 କୁ ବ୍ଲକ ପ୍ରଶାସନ ସମ୍ପୂର୍ଣ୍ଣ ଉଲ୍ଲଙ୍ଘନ କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଶିଶୁବିକାଶ ନିର୍ଦ୍ଦେଶକଙ୍କ ଚିଠି ନଂ 318 ଅନୁଯାୟୀ ଅଙ୍ଗନବାଡି କେନ୍ଦ୍ର ନିକଟସ୍ଥ ବିଦ୍ୟାଳୟରେ କରାଯିବ ଓ ଯଦି ବିଦ୍ୟାଳୟରେ ସ୍ଥାନ ଅଭାବ ଥାଏ ତେବେ ଉପରେ ଘର କରି ଅଙ୍ଗନବାଡି ଛାତ୍ରଛାତ୍ରୀଙ୍କୁ ତଳମହଲା ଘର ପ୍ରଦାନ କରାଯାଇ ଉପରେ ସ୍କୁଲ ଚାଲିବ ବୋଲି ଉଲ୍ଲେଖ ରହିଛି । ମାତ୍ର ସ୍ଥାନୀୟ ପ୍ରଶାସନ ଏହି ନିର୍ଦ୍ଦେଶକୁ ବେଖାତିର କରି ମନମାନି କରି ପିଲାମାନଙ୍କ ଭବିଷ୍ୟତ ସହ ଖେଳ ଖେଳି ନୂତନ ଗୃହ ନିର୍ମାଣ କରୁଛି ବୋଲି ଅଭିଯୋଗ ହୋଇଛି । ନିର୍ମାଣଧୀନ ନୂତନ ଗୃହଟି ପ୍ରାୟ 2-3 କିଲୋମିଟର ଦୂର ହେଉଥିବାରୁ ସେଠାକୁ ପିଲାମାନଙ୍କୁ ପଠାଇବେ ନାହିଁ ବୋଲି ରୋକଠୋକ ଶୁଣାଇଛନ୍ତି ଅଭିଭାବକ ।

ଏଠାରେ ଅଙ୍ଗନବାଡି ନିର୍ମାଣ ହେଲେ କେବଳ ଯେ ଛାତ୍ରଛାତ୍ରୀ ପ୍ରଭାବିତ ହେବେ ସେକଥା ନୁହେଁ ଗର୍ଭବତୀ, ପ୍ରସୂତି, ଟୀକାକରଣ, ମମତା ଦିବସ, ଅନ୍ନପ୍ରଶନ, ସାଦଖିଆ ଭଳି ରାଜ୍ୟ ସରକାରଙ୍କ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟଗୁଡିକ ମଧ୍ୟ ବାଧାପ୍ରାପ୍ତ ହେବ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଏନେଇ ପଚାରିବାରୁ ଏନେଇ ତାଙ୍କ ନିକଟରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ଓ ଅଭିଯୋଗ ହେଲେ ସେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details