କେନ୍ଦ୍ରାପଡ଼ା:ଜିଲ୍ଲାରେ ସରକାରୀ କାମରେ ପିସି ନଦେଲେ ଘୁଞ୍ଚୁନି ଫାଇଲ । କେନ୍ଦ୍ରାପଡ଼ା ବ୍ଲକରେ ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ପୁରୁଷୋତ୍ତମପୁର ଓ ଢୋଲ ପଞ୍ଚାୟତର ନିର୍ବାହୀ ଅଧିକାରୀ ଦାୟିତ୍ବରେ ଅଛନ୍ତି ସୁଲେଖା ମଲିକ । ତେବେ ଜଣେ ଠିକାଦାରଙ୍କ ବିଲ୍ କରାଇବା ପାଇଁ ସେ ପିସି ମାଗୁଥିବା ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ ପିସି କାରବାର ପାଇଁ ମଧ୍ୟସ୍ତି ପାଲଟିଛନ୍ତି ସୁଲେଖା ମଲିକଙ୍କ ସ୍ବାମୀ ରଘୁ ମଲିକ ।
ଏହାକୁ ନେଇ ଏକ ଭିଡିଓ ଓ ଅଡିଓ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ପଞ୍ଚାୟତ ନିର୍ବାହୀ ଅଧିକାରିଣୀ ସରକାରୀ ଅଫିସ୍ରେ ଚାଲିଥିବା ପିସି କାରବାର ବିଷୟରେ ସୂଚନା ଦେଉଛନ୍ତି । ତା ସହିତ ଏଥିରେ ତାଙ୍କର କେତେ ପ୍ରତିଶତ ଭାଗ ରହିଛି ଓ ଅନ୍ୟମାନେ କେତେ ପ୍ରତିଶତ ଭାଗ ନେବେ ତାହା କହୁଛନ୍ତି । ସରକାରୀ ଚାକିିରୀ କରି ଭଲ ଦରମା ପାଉଥିଲେ ସୁଦ୍ଧା ଲାଞ୍ଚ ଟଙ୍କାର ଲୋଭ ଛାଡ଼ି ପାରୁ ନାହାନ୍ତି ସରକାରୀ କର୍ମଚାରୀ । ସେପଟେ ସୁଲେଖା ମଲିକଙ୍କ ସ୍ବାମୀ ରଘୁ ମଲିକ ବେଧଡ଼କ ଭାବରେ ସରକାରୀ ଅଫିସରେ ପସି କାର୍ଯ୍ୟ କରୁଛନ୍ତି । ତା ସହିତ ସେ ଠିକାଦାରଙ୍କ MB ରସିଦରେ ଦସ୍ତଖତ କରି ବିଲ୍ ମଧ୍ୟ କରୁଛନ୍ତି ।
ବିଶ୍ୱସୁନ୍ଦର ସେଠୀ ନାମକ ଠିକାଦାର ପୁରୁଷୋତ୍ତମପୁର ପଞ୍ଚାୟତରେ ୩ଲକ୍ଷ ଟଙ୍କାରେ ଏକ ରାସ୍ତାକାମ କାର୍ଯ୍ୟାଦେଶ ପାଇଥିଲେ । ସକ୍ୟୁରିଟି ବାବଦକୁ ୨୦ ହଜାର ଟଙ୍କା କାଟି ତାଙ୍କୁ ୨ ଲକ୍ଷ ୮୦ ହଜାର ଟଙ୍କା ଫେରାଇବା ବଦଳରେ ୨ ଲକ୍ଷ ୫୩ ହଜାର ଟଙ୍କା ଦିଆଯାଇଛି । ପିସି କାରବାର ପାଇଁ ତାଙ୍କ ପାଉଣାର ୨୭ ହଜାର ଟଙ୍କା କାଟି ଦିଆଯାଇଛି । ପିସି କାରାବାରରେ ବ୍ଲକ ଅଧିକାରୀଙ୍କ ସମେତ କନିଷ୍ଠ ଯନ୍ତ୍ରୀ ମଧ୍ୟ ସାମିଲ ଥିବା ନେଇ ଅଭିଯୋଗ ହୋଇଛି ।