ଓଡିଶା

odisha

ETV Bharat / state

କେନ୍ଦ୍ରାପଡ଼ାରେ ରାଜ୍ୟସ୍ତରୀୟ ପଲ୍ଲୀଶ୍ରୀ ମେଳା: ମହକୁଛି ଆରିସା-କାକରା, ଜମୁଛି ଭିଡ

କେନ୍ଦ୍ରାପଡ଼ା ଅଟୋନମସ କଲେଜ ପଡିଆରେ ଗତ ୨୦ ତାରିଖରୁ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ପଲ୍ଲୀଶ୍ରୀ ମେଳା ଓ ଜିଲ୍ଲା ସାଂସ୍କୃତିକ ମହୋତ୍ସବ । ଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ତିଆରି ହୋଇଥିବା ସାମଗ୍ରୀର କ୍ରୟବିକ୍ରୟ ସାଙ୍ଗକୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆକର୍ଷିତ କରିଛି ଦର୍ଶକଙ୍କୁ।

କେନ୍ଦ୍ରାପଡ଼ାରେ ରାଜ୍ୟସ୍ତରୀୟ ପଲ୍ଲୀଶ୍ରୀ ମେଳା: ଦର୍ଶକଙ୍କ ଖଚାଖଚ ଭିଡ଼
କେନ୍ଦ୍ରାପଡ଼ାରେ ରାଜ୍ୟସ୍ତରୀୟ ପଲ୍ଲୀଶ୍ରୀ ମେଳା: ଦର୍ଶକଙ୍କ ଖଚାଖଚ ଭିଡ଼

By

Published : Dec 26, 2019, 2:43 PM IST

କେନ୍ଦ୍ରାପଡ଼ା: ରାଜ୍ୟସ୍ତରୀୟ ପଲ୍ଲୀଶ୍ରୀ ମେଳା ଓ ଜିଲ୍ଲା ସାଂସ୍କୃତିକ ମହୋତ୍ସବ ପାଇଁ ଉତ୍ସବମୁଖର ହୋଇପଡିଛି କେନ୍ଦ୍ରାପଡା ଜିଲ୍ଲା । କେନ୍ଦ୍ରାପଡ଼ା ଅଟୋନମସ କଲେଜ ପଡିଆରେ ଗତ ୨୦ ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳାରେ ପରିଲକ୍ଷିତ ହୋଇଛି ନାହିଁ ନଥିବା ଭିଡ଼। ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ତିଆରି ହୋଇଥିବା ସାମଗ୍ରୀର କ୍ରୟବିକ୍ରୟ ସାଙ୍ଗକୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦର୍ଶକ ମାନଙ୍କୁ ଆକର୍ଷିତ କରିଛି ।

କେନ୍ଦ୍ରାପଡ଼ାରେ ରାଜ୍ୟସ୍ତରୀୟ ପଲ୍ଲୀଶ୍ରୀ ମେଳା: ଦର୍ଶକଙ୍କ ଖଚାଖଚ ଭିଡ଼


କନ୍ଧମାଳର ହଳଦୀ ଠାରୁ ଆରମ୍ଭ କରି ବ୍ରହ୍ମପୁରର ଆଚାର ଓ ପାମ୍ପଡ଼, ଗ୍ରାହକଙ୍କ ମନକୁ ଆକର୍ଷିତ କରୁଛି । ମେଳାର ଅପରପାଶ୍ବରେ ଖୋଲାଯାଇଛି ପିଠାଷ୍ଟଲ, ଯେଉଁଥିରେ ଆରିସାକାକରା, ପୋଡ଼ ପିଠା, ମଣ୍ଡା ପିଠା ଇତ୍ୟାଦି ବିକ୍ରି ହେଉଛି । ଓରମାସ ତରଫରୁ ଆୟୋଜିତ ଏହି ପଲ୍ଲୀଶ୍ରୀ ମେଳାରେ ପ୍ରାୟ ୨୦୦ରୁ ଊର୍ଦ୍ଧ୍ବ ଷ୍ଟଲ ପଡିଥିବାବେଳେ ଏଥିରୁ ଅନ୍ୟୁନ ୧୫୦ଟି ଷ୍ଟଲରେ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦ୍ବାରା ଉତ୍ପାଦିତ ଦ୍ରବ୍ୟ ବିକ୍ରି କରାଯାଉଛି । ଏହି ଗୋଷ୍ଠୀଙ୍କ ଦ୍ବାରା ପ୍ରସ୍ତୁତ ସମ୍ବଲପୁରୀ ଶାଢ଼ୀ, ବ୍ରହ୍ମପୁର ବଢି, ମାଣ୍ଡିଆ, କୋଳଥ, ଚାଉଳଚୁନା ପ୍ରଭୃତି କିଣିବା ପାଇଁ ଗ୍ରାହକଙ୍କ ମଧ୍ୟରେ ଏକ ଆଗ୍ରହ ସୃଷ୍ଟି ହୋଇଛି ।


ଗ୍ରାମଞ୍ଚଳରୁ ଆସିଥିବା ଗୋଷ୍ଠୀମାନଙ୍କ ଦ୍ବାରା ତିଆରି ହୋଇଥିବା ପାପୋଛା, ଧୂପକାଠି, କାଇଞ୍ଚ କାରିଗରୀ, ମାଟିରେ ତିଆରି ବିଭିନ୍ନ ସାମଗ୍ରୀ କିଣିବା ପାଇଁ ଦର୍ଶକଙ୍କ ମଧ୍ୟରେ ଅଧିକ ଉତ୍ସାହ ଥିବା ପରିଲକ୍ଷିତ ହେଉଛି । ବାଉଁଶ ଓ ବେତରେ ତିଆରି ଟେବୁଲ, ଚେୟାର, ଟିପଏ, ଫୁଲଦାନୀ ଏବଂ ବିଭିନ୍ନ ପ୍ରକାରର ଚିତ୍ର ପ୍ରଭୃତି କିଣିବା ପାଇଁ ଦର୍ଶକ ମାନେ ଆଗଭର ହେଉଛନ୍ତି । ସେହିପରି ଉଦ୍ୟାନ କୃଷି ବିଭାଗ ତରଫରୁ ହୋଇଥିବା ଷ୍ଟଲ, କୃଷି ବିଭାଗ ତଥା ମତ୍ସ୍ୟ ବିଭାଗ ପକ୍ଷରୁ ହୋଇଥିବା ଷ୍ଟଲରେ ଚାଷୀମାନଙ୍କୁ ପରାମର୍ଶ ଦିଆଯାଉଛି।


ପ୍ରତିଦିନ ମେଳା ପରିସରରେ ସାଂସ୍କୃତିକ ଉତ୍ସବ ଜମୁଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ଲୋକନୃତ୍ୟ ଦଳ ଭଳିକିଭଳି କାର୍ଯ୍ୟକ୍ରମ ପରିବେଷଣ କରୁଛନ୍ତି । ସମ୍ବଲପୁରୀ ଲୋକନୃତ୍ୟ, କଳାହାଣ୍ଡିର ଘୁମୁରା, ଆସାମର ବିହୁ ସାଙ୍ଗକୁ ଭଦ୍ରକର ମୋଗଲ ତାମସା, ଜଗତସିଂହପୁରର ଘଟନୃତ୍ୟ, ରାମଲୀଳା ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ନିଜ ହାତ ତିଆରି ଦ୍ରବ୍ୟ ବିକ୍ରି କରି ଖୁବ ଖୁସି ଅଛନ୍ତି ବ୍ୟବସାୟୀ । ତେବେ ଗତ ଅକ୍ଟୋବର ୨ ତାରିଖରୁ ଜିଲ୍ଳାରେ ପଲିଥିନ ବ୍ୟବହାର ନିଷିଦ୍ଧ କରାଯାଇଥିବା ବେଳେ ରାଜ୍ୟସ୍ତରୀୟ ପଲ୍ଲୀଶ୍ରୀ ମେଳାରେ ଏହାର ବହୁଳ ବ୍ୟବହାର ଦେଖିବାକୁ ମିଳିଛି । ଏପରିକି ବିଭିନ୍ନ ଷ୍ଟଲ ମାନଙ୍କରୁ ସାମଗ୍ରୀ କିଣିବା ବେଳେ ଉକ୍ତ ଷ୍ଟଲ ହିଁ ଏହି ପଲିଥିନ ଦେଉଥିବା ଦେଖିବାକୁ ମିଳିଛି ।

ପଲିଥିନ ବ୍ୟବହାରକୁ କଟକଣା କରିବା ସମ୍ପୂର୍ଣ୍ଣ ବେଖାତିର କରି ବ୍ୟବସାୟୀମାନେ ବ୍ୟବସାୟ କରୁଥିବାବେଳେ ଏହି ମେଳାର ଦାୟିତ୍ବରେ ଥିବା ଓରମାସର ଡେପୁଟି ସିଇଓ ଆଶିଷ ରାଉଳ ପଲିଥିନ ବ୍ୟବହାର ସମ୍ବନ୍ଧରେ ଲୋକମାନଙ୍କୁ ସଚେତନ କରାଯାଉଥିବା ଓ ଷ୍ଟଲ ଭିତରେ କେଉଁମାନେ ପଲିଥିନ ଦେଉଛନ୍ତି ଜାଣିନଥିବା କହିଛନ୍ତି । ସେହିପରି ଏଠାରେ ଦର୍ଶକ ତଥା ଗ୍ରାହକ ମାନଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ସାଇକେଲ ଷ୍ଟାଣ୍ଡରେ ଅଧିକ ଟଙ୍କା ନିଆଯାଉଥିବା ଓ ଗାଡିରୁ ତେଲ ଚୋରି ହେଉଥିବା ମଧ୍ୟ ଅଭିଯୋଗ କରିଛନ୍ତି ଦର୍ଶକ। ତେବେ ଗତବର୍ଷ ଏହି ପଲ୍ଲୀଶ୍ରୀ ମେଳାରେ ୭୦ ଲକ୍ଷ ଟଙ୍କାର ବ୍ୟବସାୟ ହୋଇଥିବା ବେଳେ ଚଳିତବର୍ଷ ୧ କୋଟି ଟଙ୍କାର ବ୍ୟବସାୟିକ ଲକ୍ଷ୍ୟ ରଖିଛି ଓରମାସ ତଥା ଜିଲ୍ଲା ପ୍ରଶାସନ। ବୁଧବାର ଶେଷ ହେବାକୁ ଥିବା ଏହି ମହୋତ୍ସବ ତଥା ମେଳାରେ ଅଧିକ ଭିଡ଼ ପରିଲକ୍ଷିତ ହେବାର ସମ୍ଭାବନା ରହିଛି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details