କେନ୍ଦ୍ରାପଡ଼ା: ଜିଲ୍ଲା ପ୍ରଶାସନ ଏବେ ଲୋକଙ୍କ ପାଖରେ। ପୂର୍ବରୁ ଜନସାଧାରଣ ନିଜ ସମସ୍ୟାକୁ ନେଇ ବାରମ୍ବାର ପ୍ରଶାସନ ପାଖକୁ ଧାଉଁଥିଲେ । କେତେବେଳେ ପ୍ରଶାସନିକ କାର୍ଯ୍ୟାଳୟ ବନ୍ଦ ରହିଥାଏ ତ ଆଉ କେତେବେଳେ ଅଭିଯୋଗ ଶୁଣିବା ପାଇଁ ଅଧିକାରୀ ଉପସ୍ଥିତ ନଥାନ୍ତି । ଏଭଳି ପରିସ୍ଥିତିରେ ଜନସାଧାରଣ ନିଜର ମୌଳିକ ଅଧିକାରରୁ ବଞ୍ଚିତ ମଧ୍ୟ ରହୁଥିଲେ । ତେବେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଏଭଳି ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି ।
କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି 'ପଲ୍ଲୀରେ ପ୍ରଶାସନ'। ପ୍ରତି ବ୍ଲକରେ ଅଭିଯୋଗ ଶୁଣାଣି ସହିତ ସରକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି । ଏହି କାର୍ଯ୍ୟକ୍ରମ ଫଳରେ ଗ୍ରାମବାସୀମାନଙ୍କୁ ଆଉ ସରକାରୀ କାର୍ଯ୍ୟାଳୟକୁ ବାରମ୍ବାର ଯିବାକୁ ପଡ଼ିବ ନାହିଁ । ବରଂ ପ୍ରଶାସନ ନିଜେ ଲୋକଙ୍କ ସମସ୍ୟା ଶୁଣିବା ପାଇଁ ଆସିବେ । 'ପଲ୍ଲୀରେ ପ୍ରଶାସନ' କାର୍ଯ୍ୟକ୍ରମରେ ବ୍ଲକ, ତହସିଲ ସମେତ ଜିଲ୍ଲାର ବିଭିନ୍ନ ବିଭାଗ ମଧ୍ୟ ସାମିଲ ହୋଇଥିବା ଦେଖାଯାଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହି ଲୋକମାନଙ୍କଠାରୁ ସିଧାସଳଖ ଅଭିଯୋଗ ଗ୍ରହଣ କରି ସମସ୍ୟାର ସମାଧାନ ପାଇଁ ଉତ୍ତରଦାୟୀ ରହିବେ ।
କେବଳ ଲୋକମାନଙ୍କ ସମସ୍ୟାର ସମାଧାନ ନୁହେଁ ବରଂ ବିଭିନ୍ନ ପ୍ରସଙ୍ଗରେ ଲୋକମାନଙ୍କୁ ସଚେତନ କରାଯାଉଥିବା ମଧ୍ୟ ଏହି କାର୍ଯ୍ୟକ୍ରମରେ ଦେଖାଯାଇଛି। ଅଭିଯୋଗକାରୀ ମଧ୍ୟ ଖୁବ ଉତ୍ସାହିତ ହୋଇ କାର୍ଯ୍ୟକ୍ରମର ଲାଭ ଉଠାଉଛନ୍ତି। ଅନ୍ୟପଟେ ନବ ନିର୍ବାଚିତ ଲୋକ ପ୍ରତିନିଧି ମଧ୍ୟ ଏହି ଅଭିନବ କାର୍ଯ୍ୟକ୍ରମରେ ସହଯୋଗ କରୁଛନ୍ତି।