କେନ୍ଦ୍ରାପଡା:ଦଇବ ଦାଉ ସାଧିଛି। ପ୍ରଥମେ ବାପା ଓ ପରେ ମାଆ ଦୁଇ ଜଣ ଯାକ ଚାଲି ଯାଇଛନ୍ତି ଆରପାରିକୁ । ହେଲେ ବଢିଲା ଝିଅ ମୁଣ୍ଡରେ ଲଦି ଦେଇଯାଇଛନ୍ତି ଦ୍ରାରିଦ୍ୟତାର ବୋଝ । ନୂଆଁଣିଆ ଚାଳ ଛପର ଘରେ ବିତୁଛି ତିନି ପ୍ରାଣୀଙ୍କ ଜୀବନ । କେଉଁଠି ଘରର କାନ୍ଥ ଭାଙ୍ଗି ଯାଇଛି ତ ଆଉ କେଉଁଠି ଚାଳ କଣା ହୋଇ ଘରେ ବର୍ଷା ପାଣି ପଡୁଛି । ଦୁଇ ନାବାଳକ ଭାଇକୁ ନେଇ ସେହି ଭଙ୍ଗା ଦଦରା ଘରେ ଦିନ କାଟୁଛନ୍ତି ୧୮ ବର୍ଷୀୟ ଯୁବତୀ ପ୍ରମିଳା ଦାସ । କେନ୍ଦ୍ରାପଡ଼ା ବ୍ଲକ ଧୂମାତ ଶାସନ ଗାଁରୁ ସାମ୍ନାକୁ ଆସିଛି ଏହି କରୁଣ ଚିତ୍ର । ଭାଇମାନଙ୍କୁ ନେଇ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ଏହି ଯୁବତୀ ।
ଗାଁରେ ରହୁଥିବା ଯୁବତୀ ପ୍ରମିଳାଙ୍କ ବାପା ପାରେଶ୍ବର ଦାସ ଦୀର୍ଘ ୮ ବର୍ଷ ତଳେ ରୋଗରେ ପଡ଼ି ଆଖି ବୁଜିଛନ୍ତି । ତାଙ୍କ ମାଆଙ୍କର ମଧ୍ୟ ୪ ମାସ ହେଲାଣି ଦେହାନ୍ତ ହୋଇଯାଇଛି । ଉଭୟ ବାପାମାଆ ଆରପାରିକୁ ଚାଲିଯାଇଥିବାବେଳେ ଏବେ ପ୍ରମିଳାଙ୍କ କାନ୍ଧରେ ୧୩ ବର୍ଷୀୟ ସାନଭାଇ ତ୍ରିଲୋଚନ ଓ ୮ ବର୍ଷୀୟ ସାନଭାଇ ଶୁଭମଙ୍କ ଭାଗ୍ୟ ଓ ଭବିଷ୍ୟତ । ପ୍ରମିଳାଙ୍କୁ ସରକାରୀ ସାହାଯ୍ୟ ଭାବେ ମାସକୁ ୩୫ କିଲୋ ଚାଉଳ ମିଳୁଛି । ମାତ୍ର ତେଲଲୁଣ ପାଇଁ ତାଙ୍କୁ ଅନ୍ୟ ପାଖରେ ହାତ ପତାଇବାକୁ ପଡୁଛି । ବେଳେବେଳେ ଓଳିଏ ଖାଇ ଆର ଓଳି ଉପାସ ମଧ୍ୟ ରହିବାକୁ ପଡୁଛି ବାପାମାଆ ଛେଉଣ୍ଡ ତିନି ଭାଉଭଉଣୀଙ୍କୁ । ଏଭଳି ସ୍ଥିତିରେ ପେଟ ପୋଷିବା ପାଇଁ ସାନ ଦୁଇଭାଇ ଭିକ୍ଷା ମଧ୍ୟ କରୁଥିବା କାନ୍ଦକାନ୍ଦ ହୋଇ କହିଛନ୍ତି ପ୍ରମିଳା । ସେପେଟେ ମଝିଆ ଭାଇ ତ୍ରିଲୋଚନ ସ୍ଥାନୀୟ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବାବେଳେ ସାନଭାଇ ଶୁଭମ ତୃତୀୟ ଶ୍ରେଣୀରେ ପଢୁଛି । କୋଭିଡ ଯୋଗୁଁ ଏବେ ବିଦ୍ୟାଳୟ ବନ୍ଦ ରହିଛି ଏବଂ ପିଲା ଅନଲାଇନରେ ପାଠ ପଢୁଛନ୍ତି । ହେଲେ ଦୁଇଓଳି ଖାଇବାକୁ ସଂଗ୍ରାମ କରୁଥିବା ପରିବାର ପାଖରେ ଅନଲାଇନ ପାଠପଢ଼ା ପାଇଁ ମୋବାଇଲ ପାଲଟିଛି ସାତ ସପନ । ଏଭଳି ସ୍ଥିତିରେ ସାନ ଦୁଇଭାଇଙ୍କୁ କିପରି ମଣିଷ କରିବେ, ସେନେଇ ଚିନ୍ତା ପ୍ରମିଳାଙ୍କୁ ଘାରିଛି ।