କେନ୍ଦ୍ରାପଡ଼ା: ଆଳି ବ୍ଲକ ଦେମାଳ ପଞ୍ଚାୟତ ଲୋକାପଡା ୧୬ ନମ୍ବର ୱାର୍ଡରେ ଗତକାଲି ଭୋଟ ଦେଇ ନାହାନ୍ତି ଆଳି ବିଧାୟକ ପ୍ରତାପ ଦେବ । ବର୍ତ୍ତମାନ ଏହି ପ୍ରସଙ୍ଗକୁ ନେଇ ବିଜେଡିକୁ ଘେରିଛନ୍ତି ବିରୋଧୀ । ରାଜତନ୍ତ୍ର ଶାସନ ଯୋଗୁଁ ଆଳି ବିଧାୟକ ପଞ୍ଚାୟତ ଭୋଟ ଦେଇ ନଥିବା କଥା କହିଛି ବିରୋଧୀ । ୧୬ ନମ୍ବର ୱାର୍ଡରେ ଥିବା ବୁଥରେ କ୍ରମିକ ନମ୍ବର ୧ରୁ ୧୫ ପର୍ଯ୍ୟନ୍ତ ନାମ ଥିବା ଭୋଟର ମତଦାନ କରି ନାହାନ୍ତି ।
କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକରେ ଗତକାଲି ମତଦାନ କାର୍ଯ୍ୟକ୍ରମ ଶେଷ ହୋଇଛି । ତେବେ ଟାଣୁଆ ନେତା ତଥା ବିଜେଡି ମୁଖପାତ୍ର ପ୍ରତାପ କେଶରୀ ଦେବ ଓ ତାଙ୍କ ରାଜ ପରିବାର ଭୋଟ ଦେବାକୁ ଆସିନଥିଲେ । ଏହାକୁ ନେଇ ସହଜରେ ଗ୍ରହଣ କରି ପାରିନାହାନ୍ତି ସ୍ଥାନୀୟ ବାସିନ୍ଦା ସହ ବିରୋଧୀ । ନିର୍ବାଚନରେ ମତଦାନ ନକରିବା ନେଇ ରାଜତନ୍ତ୍ର ଶାସନ ଚାହୁଁଥିବା ଅଭିଯୋଗ କରିଛନ୍ତି ବିଭିନ୍ନ ରାଜନୈତିକ ଦଳ ।
ଗଣତନ୍ତ୍ରର ପର୍ବ ମତଦାନରେ ନିଜକୁ ସାମିଲ ନକରି ଅନ୍ୟ ଭୋଟରଙ୍କୁ ଭୋଟ ଦେବାପାଇଁ ଅନୁରୋଧ କରିବା ଉଚ୍ଚାରଣ ଓ ଆଚରଣରେ ପାର୍ଥକ୍ୟ ବୋଲି କହିଛନ୍ତି କେନ୍ଦ୍ରାପଡ଼ା ବିଜେପି ଜିଲ୍ଲା ସଭାପତି । ବିଜେଡି ଦଳ ଏବେ ଭାଗଭାଗ ହୋଇଯାଇଥିବା ଓ ଭୟରେ ନିଜ ପଞ୍ଚାୟତରେ ଥିବା ଅନ୍ତଃକନ୍ଦଳ ଯୋଗୁଁ ପ୍ରତାପ ଦେବ ଭୋଟ ଦେଇନଥିବା ଆଲୋଚନା ହେଉଛି । ଗଣତନ୍ତ୍ରରେ ବିଶ୍ୱାସ ନରଖି ରାଜତନ୍ତ୍ର ଚଳାଇ ରାଜୁତି କରୁଥିବା ପ୍ରତାପ ଦେବଙ୍କ ଭୋଟ ନଦେବା ଘଟଣାକୁ ବିଜେପି ନିନ୍ଦା କରିଛି । ଏଥିସହ ଆଗାମୀ ନିର୍ବାଚନରେ ସାଧାରଣ ଜନତାଙ୍କୁ ନ୍ୟୁନ ଦେଖାଉଥିବା ପ୍ରତାପ ଦେବଙ୍କୁ ଲୋକେ ପ୍ରତ୍ୟାଖ୍ୟାନ କରିବେ ବୋଲି କହିଛନ୍ତି କେନ୍ଦ୍ରାପଡ଼ା ବିଜେପି ସଭାପତି ।