କେନ୍ଦ୍ରାପଡା:ବାରହା ଆକ୍ରମଣରେ ବୃଦ୍ଧା ଗୁରୁତର । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ବେଲପାଳ ଗ୍ରାମର ଅମରୀ ସାହାଣୀ ଧାନଖଳାରେ କାମ କରୁଥିବା ସମୟରେ ହଠାତ୍ ଏକ ବାରହା ତାଙ୍କ ଉପରକୁ ଆକ୍ରମଣ କରିଥିଲା । ମହିଳାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଆଜି ସକାଳୁ ଅମରୀ ସାହାଣୀ ତାଙ୍କ ଧାନ ଖଳାରେ କାମ କରୁଥିଲେ । ହଠାତ୍ କେଉଁ ଆଡୁ ଏକ ବାରହା ତାଙ୍କ ଉପରକୁ ଆକ୍ରମଣ କରିଥିଲା । ଫଳରେ ଅମରୀଙ୍କ ବାମପଟ ଆଖି ଓ ଅଣ୍ଟା ସମେତ ଶରୀରର ବିଭିନ୍ନ ଜାଗାରେ ଆଘାତ ଲାଗିଥିଲା । ତାଙ୍କୁ ଗୁରୁତର ଭାବରେ ଉଦ୍ଧାର କରାଯାଇ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।