କେନ୍ଦ୍ରାପଡା:କଥାରେ ଅଛି ଉଦ୍ୟମ ଇଚ୍ଛାଶକ୍ତି ଓ ଦୃଢ ମନୋବଳ ଥିଲେ ଦୁନିଆର କୌଣସି କାମ ବି ଅସମ୍ଭବ ନୁହେଁ । ବୟସ ଯେତେ ବି ହେଉନା କାହିଁକି ଯଦି ମନରେ କିଛି କରିବାର ଇଚ୍ଛା ଅଛି ତେବେ ସଫଳତା ନିଶ୍ଚୟ। କିଛି ନୂଆ କରି ଦେଖାଇବାର ନିଶା ଏବେ ବୃଦ୍ଧାଙ୍କୁ ଦେଇଛି ଭିନ୍ନ ଏକ ପରିଚୟ। ଯେଉଁ ବୟସରେ ବୋହୂ ପରସା ଖାଇବା କଥା ସେହି ବୟସରେ ନିଜ ହାତ ପରସା ଖାଦ୍ୟ ସମସ୍ତଙ୍କୁ ଖୁଆଉଛନ୍ତି କେନ୍ଦ୍ରାପଡା ସହରର କଜଳା ଗାଁର ପ୍ରେମଲତା ସ୍ୱାଇଁ। ବୟସର ଅପରାହ୍ନ ଓ ରୋଗ ବ୍ୟାଧିରେ ପୀଡିତ ହୋଇ ମଧ୍ୟ ଥକି ପଡିନାହାନ୍ତି ସେ।
ପିଠାର ସ୍ୱାଦ ନେଉଥିବା ସମସ୍ତ ଗ୍ରାହକଙ୍କ ପାଖରେ ସେ ମା'ର ଆଖ୍ୟା ପାଇଛନ୍ତି। ମା ହାତପିଠା ନାମରେ ସେ ଏବେ ବିଭିନ୍ନ ପ୍ରକାରର ସୁସ୍ବାଦୁ ପିଠା ଯେପରିକି ମଣ୍ଡା, କାକରା, ଚକୁଳି, ବିରି ପିଠା ଓ ଆଳୁ ପିଠା ତିଆରି କରି ସମସ୍ତଙ୍କର ପ୍ରିୟ ହୋଇପାରିଛନ୍ତି । ନିଜ ଘରେ ବିରି ଚାଉଳ ଆଣ ବଟାଯାଇ ତିଆରି କରୁଛନ୍ତି ସୁସ୍ୱାଦୁ ଚକୁଳି ଆଉ ତା ସହ ରହିଛି ଆଳୁଦମ। ସେହିପରି ଆଣ ଯନ୍ତାଯାଇ ସେଥିରୁ ପ୍ରସ୍ତୁତ ହେଉଛି ମଣ୍ଡା ଓ କାକରା । ଏହି ପିଠାରେ ଭଳିକି ଭଳି ଛେନା, ନଡିଆ ପୁର ମଧ୍ୟ ଦେଉଛନ୍ତି। ପ୍ରତିଦିନ ଏପରି ଭାବେ ପିଠା କରି ବିକ୍ରି କରୁଛନ୍ତି ପ୍ରେମଲତା। ଏଥିପାଇଁ ପ୍ରେମଲତାଙ୍କୁ ସହଯୋଗ କରୁଛନ୍ତି ତାଙ୍କ ବୋହୂ,ଝିଅ ଏବଂ ପଡୋଶୀ। ମା ହାତପିଠାର ସ୍ୱାଦ ନେବା ପାଇଁ ସହଯୋଗ କରୁଛି ଅଗ୍ରଣୀ ଅନଲାଇନ ଫୁଡ଼ ବ୍ୟବସାୟୀ ଜୋମାଟୋ।