କେନ୍ଦ୍ରାପଡା:ଦକ୍ଷିଣ ଆଫ୍ରିକାରେ ଫସିଛନ୍ତି ୧୪ଜଣ ଓଡିଆ ଶ୍ରମିକ । ଉଦ୍ଧାର କରିବା ଲାଗି ଭିଡିଓ ମାଧ୍ୟମରେ ସରକାରଙ୍କୁ କଲେ ନିବେଦନ । ଅଧିକ ରୋଜଗାର କରିବା ଆଶାରେ କେନ୍ଦ୍ରାପଡା ଜିଲ୍ଲାରୁ ୧୪ ଜଣ ଶ୍ରମିକ ଯାଇଥିବା ବେଳେ ସେଠାରେ ନିର୍ଯାତନା ଦିଆଯାଉଥିବା ଭିଡିଓ ମାଧ୍ୟମରେ ପ୍ରକାଶ କରିଛନ୍ତି । ସେପଟେ ଫସି ରହିଥିବା ଲୋକଙ୍କୁ ଫେରାଇ ଆଣିବା ପାଇଁ ପରିବାର ଲୋକେ ଦାବି କରିଛନ୍ତି ।
ସୂଚନା ମୁତାବକ, ଜିଲ୍ଲାର ରାଜକନିକା ବ୍ଲକ୍ ଅନ୍ତର୍ଗତ ଜୟନଗର, କୋଇଲିପୁର ଓ ତ୍ରୈଲୋକ୍ୟପୁର ଗ୍ରାମ ପଞ୍ଚାୟତ ୧୪ଜଣ ଶ୍ରମିକ ୨୦୨୨ ମସିହା ଜୁନ୍ ମାସରେ ନିଜ ପରିବାର ପ୍ରତିପୋଷଣ ଲାଗି ଅଧିକ ଟଙ୍କା ରୋଜଗାର ଆଶାରେ ସାଉଥ ଆଫ୍ରିକାର ସନ୍ରାଇଜ୍ ପ୍ଲାଇଉଡ୍ କମ୍ପାନୀକୁ କାମ କରିବାକୁ ଯାଇଥିଲେ । ହେଲେ ଏବେ ସେମାନେ ସେଠାରେ ନିର୍ଯାତନାର ଶିକାର ହେଉଥିବା ଏକ ଭିଡିଓ ଜାରି କରି ସେଠାରୁ ଉଦ୍ଧାର କରିବାକୁ ନିବେଦନ କରିଛନ୍ତି । ସେମାନଙ୍କ ସହିତ ଅନ୍ୟ ରାଜ୍ୟର ୭ ଜଣ ଶ୍ରମିକ ବି ରହିଛନ୍ତି । ଏବେ ସେଠାରେ ମୋଟ ୨୧ ଜଣ ଶ୍ରମିକ ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି । ଏହି ୨୧ ଜଣ ଶ୍ରମିକଙ୍କୁ ଦକ୍ଷିଣ ଆଫ୍ରିକାର ସନ୍ ରାଇଜ୍ କମ୍ପାନୀରେ ୪ ମାସ ହେବ ଦରମା ମିଳିନାହିଁ । ଏମାନେ ଜଙ୍ଗଲ ଭିତରେ କମ୍ପାନୀରେ ରହୁଛନ୍ତି, ସେଠାରେ ବିଦ୍ୟୁତ ନାହିଁ, ଜେନେରେଟର ଚାଲିଲେ ପାଣି ଆସୁଛି । କମ୍ପାନୀ ମଲିକ ଆଉ ଜେନେରେଟର ଚଲାଉ ନଥିବାରୁ ପାଣି ବି ଆସୁ ନାହିଁ, ପିଇବାକୁ ପାଣି ନାହିଁ କି ରୋଷେଇ କରି ଖାଇବାକୁ ପାଣି ନାହିଁ l ଦେହ ଖରାପ ହେଲେ ଡାକ୍ତରୀ ଚିକିତ୍ସା ନାହିଁ ବୋଲି ଅଭିଯୋଗ କରିଛନ୍ତି ଫସିଥିବା ଓଡ଼ିଆ ଶ୍ରମିକ l