କେନ୍ଦ୍ରାପଡା: ଟଙ୍କା ପାଇଁ ପୁତୁରାକୁ ଅପହରଣ କଲା ବଡବାପା। କୋଭିଡ ମହାମାରୀ ପାଇଁ ଚାକିରୀ ହରାଇ ବେକାର ହୋଇ ବୁଲୁଥିବା ଓ ପାରିବାରିକ କଳହ ପାଇଁ ସ୍ତ୍ରୀ ସହ ମିଶି ଟଙ୍କା ଲୋଭରେ ନିଜ ସାନଭାଇର 6 ବର୍ଷର ନାବାଳକ ପୁଅକୁ ଅପହରଣ କରିବା ଓ ପରେ ପୋଲିସ ହାତରେ ଧରାପଡିବା ଘଟଣା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ା ଡେରାବିଶ୍ ଥାନା ଚାଟରାଚକଡ଼ା ଗାଁର ରଞ୍ଜନ ଜେନା ଭୁବନେଶ୍ବରର ଏକ ଘରୋଇ କମ୍ପାନୀରେ ଚାକିରୀ କରୁଥିଲେ। ତେବେ ମହାମାରୀ କୋରୋନା ପାଇଁ ଚାକିରୀ ଚାଲିଯିବା ପରେ ନିଜ ବାପା ନଟବର ଜେନାଙ୍କୁ ଘରୋଇ ସମ୍ପତ୍ତି ବିକ୍ରିକରି ଟଙ୍କା ଦେବାପାଇଁ ଜିଦ କରିଥିଲେ। ତେବେ ବାପା ନଟବର ରଞ୍ଜନଙ୍କୁ ଟଙ୍କା ନଦେବାରୁ ବାପା ଓ ପୁଅଙ୍କ ମଧ୍ୟରେ ଅନେକ ସମୟରେ ବିବାଦ ଲାଗି ରହିଥିଲା। ନଟବର,ସାନପୁଅ ଅଜୟ ଜେନାଙ୍କ ପାଖରେ ଗାଁରେ ରହୁଥିବା ବେଳେ ସାନଭାଇ ଯୋଗୁଁ ବାପା ରଞ୍ଜନଙ୍କୁ ଟଙ୍କା ଦେଉନଥିବା ଭାବିନେଇଥିଲେ ରଞ୍ଜନ ଓ ତାଙ୍କ ପତ୍ନୀ ରଶ୍ମିତା। ପୂର୍ବରୁ ରଞ୍ଜନ, ସାନଭାଇ ଅଜୟର ଏକ ମୋଟର ସାଇକେଲ ଓ ପାଣିମୋଟର ଚୋରାଇ ନେଇ ବିକ୍ରି କରିଥିବା ଅଭିଯୋଗ ହୋଇଥିବା ବେଳେ ଗତକାଲି ଅଜୟଙ୍କ ଏକମାତ୍ର ପୁଅ ରୁଦ୍ର ନାରାୟଣଙ୍କୁ ଥଣ୍ଡା ପିଆଇବା ଆଳରେ ଅପହରଣ କରିନେଇ ଭୁବନେଶ୍ବର ଚାଲିଯାଇଥିଲା। ପୂର୍ବାହ୍ନ 10.40 0ମିନିଟ ସମୟରେ ରଞ୍ଜନ, ସାନଭାଇ ଅଜୟକୁ 5ଲକ୍ଷ ଟଙ୍କା ଦେଇ ପୁଅ ନେଇଯିବା ସହ ଏନେଇ ପୋଲିସକୁ ଜଣାଇଲେ ପୁଅ ରୁଦ୍ର ଓ ତାଙ୍କୁ ହତ୍ୟା କରିବାର ଧମକ ଦେଇଥିଲା ।