ଓଡିଶା

odisha

ETV Bharat / state

ଦିବ୍ୟସିଂହ ଦେବଙ୍କ କଳାପାଣି କାହାଣୀ: ପରିଚୟ ଖୋଜୁଛି ସମାଧି ପୀଠ, ଗୁପ୍ତ ସୁଡଙ୍ଗ - କେନ୍ଦ୍ରାପଡାରେ ପୁରୀ ଗଜପତିଙ୍କ ଆଶ୍ରୟସ୍ଥଳୀ ନ୍ୟୁଜ

ଅନେକ କାହାଣୀ ଆମେ ଇତିହାସରୁ ଜାଣିଥାଉ । ସେହିପରି କିଛି କାହାଣୀ କେବଳ ଇତିହାସ ପୃଷ୍ଠାରେ ହିଁ ରହିଯାଏ, ଯାହା ଲୋକଲୋଚନକୁ ଆସିପାରେ ନାହିଁ । ଏପରି ଏକ ଅନାଲୋଚିତ ଇତିହାସ ରହିଛି କେନ୍ଦ୍ରାପଡାରେ । ଆଉ ସେହି କାହାଣୀ ହେଉଛି 1877 ମସିହାର ପୁରୀ ଗଜପତି ଦିବ୍ୟସିଂହ ଦେବଙ୍କର । ଅଧିକ ପଢନ୍ତୁ

ଦିବ୍ୟସିଂହ ଦେବଙ୍କ କଳାପାଣି କାହାଣୀ: ଲୋପ ପାଉଛି ସମାଧି ପୀଠ, ହଜିଯାଉଛି କିମ୍ବଦନ୍ତୀ
ଦିବ୍ୟସିଂହ ଦେବଙ୍କ କଳାପାଣି କାହାଣୀ: ଲୋପ ପାଉଛି ସମାଧି ପୀଠ, ହଜିଯାଉଛି କିମ୍ବଦନ୍ତୀ

By

Published : May 25, 2022, 7:03 AM IST

କେନ୍ଦ୍ରାପଡା:ଅନେକ କାହାଣୀ ଆମେ ଇତିହାସରୁ ଜାଣିଥାଉ । ସେହିପରି କିଛି କାହାଣୀ କେବଳ ଇତିହାସ ପୃଷ୍ଠାରେ ହିଁ ରହିଯାଏ, ଯାହା ଲୋକଲୋଚନକୁ ଆସିପାରେ ନାହିଁ । ଏପରି ଏକ ଅନାଲୋଚିତ ଇତିହାସ ରହିଛି କେନ୍ଦ୍ରାପଡାରେ । ଆଉ ସେହି କାହାଣୀ ହେଉଛି 1877 ମସିହା ପୁରୀ ଗଜପତି ଦିବ୍ୟସିଂହ ଦେବଙ୍କର । ଇଂରେଜ ସରକାର ଦିବ୍ୟସିଂହ ଦେବଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିବା ସହ କଳାପାଣୀ ଦଣ୍ଡ ଦେବାପରେ କେନ୍ଦ୍ରାପଡାରେ ଆଶ୍ରୟ ନେଇଥିଲେ । ବର୍ତ୍ତମାନ ସେହି ଆଶ୍ରୟସ୍ଥଳୀ କ୍ଷୟ ହେବା ସହ ଦିବ୍ୟସିଂହ ଦେବଙ୍କ ସ୍ମୃତି ମଧ୍ୟ ଦିନକୁ ଦିନ ଇତିହାସ ପୃଷ୍ଠାରୁ ଲିଭିବାକୁ ବସିଲାଣି । ଯାହାର ପୁନରୁଦ୍ଧାରର ଆବଶ୍ୟକତା ପଡିଛି ।

ଦିବ୍ୟସିଂହ ଦେବଙ୍କ କଳାପାଣି କାହାଣୀ: ଲୋପ ପାଉଛି ସମାଧି ପୀଠ, ହଜିଯାଉଛି କିମ୍ବଦନ୍ତୀ


ପ୍ରଶାସନିକ ଅବହେଳା କାରଣରୁ ଇତିହାସ ପୃଷ୍ଠାରୁ ଲିଭିଯିବାକୁ ବସିଲାଣି ଐତିହାସିକ କୀର୍ତ୍ତିରାଜି । ଗୋରା ସରକାର ଦ୍ୱାରା ଦଣ୍ଡିତ ହୋଇ ତତ୍କାଳୀନ କଳାପାଣି(ଆଣ୍ଡାମାନ) ଦ୍ବୀପରୁ ଓଡ଼ିଆ ସାଧବ ପୁଅଙ୍କ ଦ୍ୱାରା ଉଦ୍ଧାର ହୋଇଥିଲେ ଦିବ୍ୟସିଂହ ଦେବ । ତେବେ କେନ୍ଦ୍ରାପଡ଼ା ବିନୋଦ ବିହାରୀ ମନ୍ଦିର ପରିସରରେ ତତ୍କାଳୀନ ଓଡ଼ିଶାର ବଡ଼ ଜମିଦାର ନରେନ୍ଦ୍ରଙ୍କ ଦ୍ୱାରା ଅବସ୍ଥାପିତ ହୋଇଥିବା ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ତଥା ଛଦ୍ମ ନାମଧାରୀ ରାଜାବାବାଙ୍କ ମୃତ୍ୟୁ ପରେ ତାଙ୍କ ଅମ୍ଳାନ ଗାଥା ଓ ଦୀର୍ଘ ୫୦୦ ମିଟର ସୁଡଙ୍ଗ ପ୍ରତି ଉଭୟ ରାଜ୍ୟ ସରକାର ଓ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଚରମ ଅବହେଳା ପ୍ରଦର୍ଶନ କରୁଛି ।

କେନ୍ଦ୍ରାପଡ଼ା ସହରସ୍ଥିତ ବିନୋଦବିହାରୀ ମନ୍ଦିର ସନ୍ନିକଟ ବାଲାବାବାଙ୍କ ମଠରେ ରହିଛି ରାଜାବାବା ଅର୍ଥାତ ଦିବ୍ୟସିଂହ ଦେବଙ୍କ ସମାଧିପୀଠ । ରକ୍ଷଣାବେକ୍ଷଣ ଅଭାବ କାରଣରୁ ଏହି ପୀଠଟି ଅବହେଳିତ ହୋଇପଡି ଥିବାବେଳେ ସମାଧି ପୀଠର ଠିକ ପଛରେ ରହିଥିବା ସୁଦୀର୍ଘ ସୁଡଙ୍ଗଟି ଏବେ ଜରାଜୀର୍ଣ୍ଣ ହୋଇପଡିଛି । ଇତିହାସକାର ଏବଂ ଇଂରେଜ ସରକାରଙ୍କ କଲେକ୍ଟର ରହିଥିବା ଜନ୍‌ ବିମସ୍‌ଙ୍କ ଆତ୍ମଜୀବନୀ "MEMORIES IN BENGAL CIVILIAN" ଅନୁଯାୟୀ, ୧୮୭୭ ଦୋଳଯାତ୍ରା ସମୟରେ ଶ୍ରୀମନ୍ଦିରରେ ଦଳାଚକଟା ଯୋଗୁଁ ଇଂରେଜ ସରକାରଙ୍କ କୋପଦ୍ରୁଷ୍ଟିରେ ଥିବା ଗଜପତି ଦିବ୍ୟସିଂହ ଦେବଙ୍କୁ ପୁରୀ ଠାରୁ ୬ ମାଇଲ ଦୂରରେ ଥିବା ଦାମୋଦରପୁର ସ୍ଥିତ ମଠ ମହନ୍ତ ଶିବ ଦାସ ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା ଅପରାଧରେ ୧୮୭୮ ଫେବ୍ରୁଆରୀରେ ଗିରଫ କରାଯାଇଥିଲା ।

ତତ୍କାଳୀନ ଓଡିଶା ପ୍ରଦେଶର ଲୋକେ ଠାକୁର ରାଜାଙ୍କୁ ଗୋରା ସରକାର ଗିରଫ କରିବା ଆଦୌ ସହ୍ୟ କରିପାରିନଥିଲା । ବାଧ୍ୟହୋଇ ଜନ୍ ବିମସ ଏବଂ ଏସପି ଆର୍ମଷ୍ଟ୍ରଙ୍ଗ ଗଜପତି ମହାରାଜାଙ୍କୁ ଯୋବ୍ରା ପର୍ଯ୍ୟନ୍ତ ସ୍ଥଳପଥରେ ଆଣି ସେଠାରୁ ଜଳପଥରେ କଲିକତା ଓ ଏହା ପରେ କଳାପାଣି ନିର୍ବାସନ ଦଣ୍ଡ କଲିକତା କୋର୍ଟଙ୍କ ନିର୍ଦ୍ଦେଶରେ ଦେଇଥିଲେ । ତେବେ ଏହାର କିଛିଦିନ ପରେ ନିର୍ବାସନ ଦଣ୍ଡ ଭୋଗୁଥିବା ମହାରାଜା ଦିବ୍ୟସିଂହ ଦେବଙ୍କୁ ବଣିଜ କରି ଯାଇଥିବା ଓଡ଼ିଆ ସାଧବ ପୁଅ କୌଣସି ପ୍ରକାରେ କଳାପାଣିରୁ ଉଦ୍ଧାର କରି ଜଳପଥରେ କେନ୍ଦ୍ରାପଡ଼ା ନେଇ ଆସିଥିଲେ । କେନ୍ଦ୍ରାପଡ଼ାରେ ପହଞ୍ଚିବା ପରେ ତତ୍କାଳୀନ ଜମିଦାର ବଡ଼କୋଠାର ନରେନ୍ଦ୍ର, ରାଜାଙ୍କ ରହିବାର ବ୍ୟବସ୍ଥା ମଠ ପରିସରରେ ଏକ ଚାଳ ଘର ନିର୍ମାଣ କରିଥିଲେ । ଏଥିସହ ଇଂରେଜ ସରକାରଙ୍କ ନଜରରୁ ବଞ୍ଚି କୌଣସି ମୁହୂର୍ତ୍ତରେ ଖସିଯିବା ପାଇଁ ରାଜାଙ୍କ ବାସସ୍ଥାନରେ ୫୦୦ ମିଟର ଦୀର୍ଘ ଏକ ସୁଡଙ୍ଗ ନିର୍ମାଣ କରାଯାଇଥିଲା ଯାହାର ପ୍ରସ୍ଥାନ ସ୍ଥାନ ସିଧାସଳଖ ଗୋବରୀ ନଦୀ ସହ ସଂଯୁକ୍ତ ଥିଲା ।


ତେବେ ୧୯୦୪ମସିହା ପର୍ଯ୍ୟନ୍ତ ଗଜପତି ମହାରାଜା ଦିବ୍ୟସିଂହ ଦେବ ଜୀବିତ ଥିବା ଏବଂ ତାଙ୍କ ପରିଚୟ ସମ୍ପର୍କରେ ଜଣେ ଶିଷ୍ୟଙ୍କୁ କହିଥିବା ଲୋକଶୃତିରୁ ଶୁଣାଯାଏ । ଐତିହ୍ୟ ବିମଣ୍ଡିତ ତଥା ଇଂରେଜ ସରକାରଙ୍କ ସହ କୁଶଳରେ ଯୁଦ୍ଧ କରି ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଇଂରେଜ ହାତରେ ଧରା ପଡିନଥିବା ମହାରାଜାଙ୍କ ବର୍ତ୍ତମାନର ଏହି ସମାଧିପୀଠର ଉନ୍ନତି ପାଇଁ ନା ଅଛି ଜିଲ୍ଲା ପ୍ରଶାସନ ନଜର ନା ରାଜବଂଶୀୟ ଗଜପତି ପରିବାରଙ୍କ ନଜର । ଜନସାଧାରଣ ଏବଂ ସ୍ଥାନୀୟ ଯୁବକଙ୍କ ଉଦ୍ୟମରେ ଏଠାରେ ଏକ ଆଜବେଷ୍ଟ ଘର ତିଆରି ହୋଇଛି ସତ ହେଲେ ଏହି ଘରଟି ଏବେ ଭଗ୍ନ ପ୍ରାୟ ।

ସେହିପରି ସୁଡଙ୍ଗଟି ଏବେ ପୋତି ହେବାକୁ ବସିଲାଣି । ଏଭଳି ସ୍ଥିତିରେ ଦୈନିକ ରାଜବାବାଙ୍କ ପାଖରେ ତିନିଥର ଭୋଗ ଲାଗି କରିବା ପାଇଁ ଅର୍ଥଟିଏ ମଧ୍ୟ ନାହିଁ । ଯଦି ପ୍ରଶାସନିକ ସହଯୋଗ ମିଳେ ତେବେ ଏକ ଛାତ ଘର ତିଆରି କରି ରାଜାବାବାଙ୍କ ପ୍ରତିମୂର୍ତ୍ତିକୁ ସ୍ଥାପନା କରିବା ସହ ସୁଡଙ୍ଗର ପୁନରୁଦ୍ଧାର କରାଯାଇପାରନ୍ତା ବୋଲି ଆଶାବ୍ୟକ୍ତ କରିଛନ୍ତି ସ୍ଥାନୀୟ ଜନସାଧାରଣ । ଅନ୍ୟପଟେ ଏହି ଅବହେଳିତ ପୀଠ ସମ୍ପର୍କରେ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ଅବଗତ କରାଯିବାରୁ ସେ ତୁରନ୍ତ ରାଜ୍ୟ ସରକାରଙ୍କୁ ଏହି ଐତିହ୍ୟ ବିଷୟ ଉପରେ ଚିଠି ଲେଖି ଜଣାଇବେ ଓ ନିର୍ଦ୍ଦେଶ ଆସିଲେ ଏହାର ପୁନରୁଦ୍ଧାର କାର୍ଯ୍ୟ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଚାଷ ପ୍ରଧାନ କେନ୍ଦ୍ରାପଡ଼ା ଜିଲ୍ଲାରେ ସଂସ୍କୃତି ଭିତ୍ତିକ ଅନେକ ପର୍ଯ୍ୟଟନ ସ୍ଥଳୀ ଅବହେଳିତ ଅବସ୍ଥାରେ ପଡି ରହିଥିବାବେଳେ ଏହାର ଏକ ପ୍ରମୁଖ ଉଦାହରଣ ଭାବେ ରାଜାବାବାଙ୍କ ସମାଧିପୀଠକୁ ନିଆଯାଇପାରେ । ଯଦି ରାଜାବାବାଙ୍କ ପୀଠର ଉନ୍ନତି ହୋଇପାରନ୍ତା ତେବେ ବର୍ଷକୁ ଅନେକ ରାଜସ୍ୱ ଆଦାୟ ସହ ଭବିଷ୍ୟତ ପିଢ଼ି ଏଭଳି ପୀଠ ବିଷୟରେ ଜ୍ଞାନ ଆହରଣ କରିପାରନ୍ତେ ଏବଂ ଇତିହାସ ପୃଷ୍ଠାରେ କେନ୍ଦ୍ରାପଡା ନାମରେ ଆଉ ଏକ ଅଧ୍ୟାୟ ଯୋଡି ହୋଇଯାଆନ୍ତା ।


କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details